ନୂଆଦିଲ୍ଲୀ(ଏଜେନ୍ସି): ରାଜଧାନୀ ନୂଆଦିଲ୍ଲୀ ପ୍ରଥମେ କରୋନା ସଂକ୍ରମିତ ସଂଖ୍ୟା ହୁହୁ ହୋଇ ବଢ଼ିବା ସହ ଅଣାୟତ ପରିସ୍ଥିତି ସୃଷ୍ଟି ହେବାରୁ ସରକାର ଓ ପ୍ରଶାସନ ପକ୍ଷରୁ ଲକ୍ଡାଉନ ଜାରି କରାଯାଇଥିଲା । ତେବେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବା ନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି । ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିବା ପରେ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି । ବହୁ ଉଦ୍ୟମ ପରେ କରୋନା ଭୂତାଣୁକୁ ନିୟନ୍ତ୍ରଣ କରାଯାଇ ପାରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ବିଜୟ ମିଳିନାହିଁ ବୋଲି କେଜରିୱାଲ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଦିଲ୍ଲୀରେ ଧୀରେ ଧୀରେ ଲକ୍ଡାଉନ ଅପସାରଣ ହେବ । ଯେଉଁମାନେ ଅଧିକ ଗରିବ ଶ୍ରେଣୀର, ଶ୍ରମିକ, ପ୍ରବାସୀ ସେମାନଙ୍କୁ ପ୍ରାଥମିକ ଗୁରୁତ୍ୱ ଦିଆଯିବ । ଆସନ୍ତା ସୋମବାର ଠାରୁ ନିର୍ମାଣ କାର୍ଯ୍ୟ ଏବଂ କଳକାରଖାନା ଖୋଲାଯିବ । ଆଗାମୀ ୧ସପ୍ତାହ ପର୍ଯ୍ୟନ୍ତ ଏହି ଦୁଇଟି କ୍ଷେତ୍ର ଖୋଲା ରହିବ ବୋଲି ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି ।