ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଗୋ’ ଖାଦ୍ୟ ଖର୍ଚ୍ଚ ବାବଦ ମିଳିବ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା, ଉପକୃତ ହେବେ ୧ ଲକ୍ଷ୨୦ ହଜାର ଦୁଗ୍ଧଚାଷୀ
ଭୁବନେଶ୍ୱର(ଏନ୍.ଏମ୍.): ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସହାୟତା ଘୋଷଣା କରିଛନ୍ତି । ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋ’ଖାଦ୍ୟ ଖର୍ଚ୍ଚ ବାବଦକୁ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ୱାରା ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ । ଦୁଗ୍ଧ ଚାଷୀଙ୍କ ପାଇଁ ସହାୟତା ପ୍ୟାକେଜ୍ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍ ମହାମାରୀ ଓଡ଼ିଶା ସମେତ ସାରା ବିଶ୍ୱରେ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଛି । ଅର୍ଥନୀତିର ସମସ୍ତ କ୍ଷେତ୍ର ମାନ୍ଦା ଅବସ୍ଥାରେ ଥିବା ବେଳେ କେବଳ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସଞ୍ଜୀବନୀ ଭଳି ଆମ ଅର୍ଥନୀତିକୁ ଶକ୍ତି ଯୋଗାଇଛି । ଲକଡାଉନ ଓ ସଟଡାଉନ୍ ସମୟରେ ଚାଷୀମାନେ ଯେଭଳି ସାହସର ସହ ସେମାନଙ୍କର ଉତ୍ପାଦନ କାର୍ଯ୍ୟ ଜାରି ରଖିଛନ୍ତି ତେଣୁ ସେମାନେ ପ୍ରଶଂସାର ପାତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗ୍ରାମ୍ୟ ଅର୍ଥନୀତିରେ ଦୁଗ୍ଧ ଚାଷୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି । ଏହା ଛୋଟ ଓ ନାମମାତ୍ର ଚାଷୀଙ୍କ ଜୀବନଜୀବିକାରେ ବିଶେଷ ସହାୟକ ହୋଇଥାଏ । କୋଭିଡ୍ ମହାମାରୀ ସମୟରେ ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ଚାହିଦାରେ ବଡ଼ ଧରଣର ହ୍ରାସ ଘଟିଛି । ଯାହାଫଳରେ ଦୁଗ୍ଧ ଚାଷୀଙ୍କ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଗ୍ଧ ଚାଷୀଙ୍କୁ ଆର୍ôଥକ ସହାୟତା ଯୋଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।