ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
ଭୁବନେଶ୍ୱର(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ; ତାଙ୍କ ସହ ରେଳ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ଦାନବେ ମଧ୍ୟ ଉପସ୍ଥିତଥିଲେ । ତେବେ ଏହି ସାକ୍ଷାତ ଆଲୋଚନା ବେଳେ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ତା’ ସହିତ ସୁନ୍ଦରଗଡ଼ରେ ଏନଟିପିସି ଦ୍ୱାରା ନିର୍ମିତ ହୋଇଥିବା ୫୦୦ ଶଯ୍ୟା, ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଏବଂ ତାଳଚେରର ଏମସିଏଲ୍ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଉଭୟଙ୍କ ମଧ୍ୟରେ ସାକ୍ଷାତ ବେଳେ କ୍ଲିନ ଏନର୍ଜି ସେସ୍ ନେଇ ଆଲୋଚନା ହୋଇଥିଲା । ଓଡ଼ିଶାରୁ ବର୍ଷକୁ ୫୦ ହଜାର କୋଟି ଟଙ୍କାର କ୍ଲିନ ଏନର୍ଜି ସେସ୍ ସଂଗ୍ରହ କରାଯାଉଥିବା ବେଳେ ଏହାର ୬୦ ପ୍ରତିଶତ ଅର୍ଥାତ ୩୦ ହଜାର କୋଟି ଟଙ୍କା ରାଜ୍ୟକୁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ । ଉଭୟ କେନ୍ଦ୍ରମନ୍ତ୍ରୀ ସିଂହଦ୍ୱାରଠାରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଦର୍ଶନ ସମୟରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସେବାୟତ ଓ ବିଜେପି କର୍ମୀମାନେ ଉପସ୍ଥିତ ରହିଥିଲେ । ମହାପ୍ରଭୁଙ୍କ ଦର୍ଶନ ସହ ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ ସହ ବେଢ଼ା ପରିକ୍ରମା କରିଥିଲେ । ପରେ ଉଭୟ ମନ୍ତ୍ରୀ ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରିଥିଲେ ।