ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର
କଟକ(ଏନ.ଏମ୍.): ପାରିବାରିକ କଳହକୁ କେନ୍ଦ୍ର କରି ଆତ୍ମହତ୍ୟା କରିବା ଉଦେ୍ଦଶ୍ୟରେ ଆଜି ଜଣେ ଯୁବତୀ ମହାନଦୀକୁ ଡେଇଁଛନ୍ତି । ତେବେ ସୌଭାଗ୍ୟ କ୍ରମେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ନରେ ଯୋବ୍ରା ବ୍ୟାରେଜ ଉପରେ ଏକ ଦମ୍ପତ୍ତି ଦୀର୍ଘ ସମୟ ଧରି ପାଟିତୁଣ୍ଡ କରିଥିଲେ । ହଠାତ୍ କେହି କିଛି ବୁଝିବା ପୂର୍ବରୁ ପତ୍ନୀ ବ୍ୟାରେଜରୁ ମହାନଦୀକୁ ଡେଇଁ ପଡିଥିଲେ । ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ପତି ମଧ୍ୟ ନଦୀକୁ ଡେଇଁବାକୁ ଉଦ୍ୟମ କରିଥିଲେ । ମାତ୍ର ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ମାଡି ବସିଥିଲେ। ଏପରି ଦୃଶ୍ୟ ଦେଖି ଦେଖଣାହାରୀଙ୍କ ହୋସ ଉଡିଯାଇଥିଲା । କିଛି ସମୟ ପରେ ଅଗ୍ନିଶମ ବାହିନୀ ପହଁଞ୍ôଚ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରିଥିଲା । ବର୍ତ୍ତମାନ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ଓ ତାଙ୍କର ଅବସ୍ଥା ଗୁରୁତର ରହଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ନହଙ୍ଗ ବିରନିଳକଣ୍ଠପୁର ଗାଁର ରାଜେଶ ସାହୁ ଓ ତାଙ୍କ ପତ୍ନୀ କଟକ କଲ୍ୟାଣନଗରର ସ୍ୱାଗତିକା ମହାନ୍ତି(୨୭) କଲ୍ୟାଣୀ ନଗରକୁ ଆସିଥିଲେ । ତାଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଅପରାହ୍ନରେ ଦୁହେଁ ନିଜ ନିଜ ଗାଡିରେ ଯୋବ୍ରା ବ୍ୟାରେଜରେ ଘରୋଇ କଳହକୁ ନେଇ ଦୀର୍ଘ ସମୟ ଧରି ପାଟିତୁଣ୍ଡ କରିଥିଲେ । ସ୍ୱାଗତିକା ଜଗତପୁର ଆଡ଼କୁ କିଛି ବାଟ ଯିବା ପରେ ହଠାତ ବ୍ୟାରେଜର ୬୩ ନମ୍ବର ଗେଟ ନିକଟରେ ଅଟକି ନଦୀକୁ ଡେଇଁ ପଡିଥିଲେ । ଏହାଦେଖି ରାଜେଶ ମଧ୍ୟ ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିଲା ବେଳେ ଲୋକେ ତାଙ୍କୁ ମାଡି ବସିଥିଲେ । ଏପଟେ ନଦୀରେ ମାଛ ଧରୁଥିବା କିଛି ମତ୍ସ୍ୟଜୀବୀ ସ୍ୱାଗତିକାଙ୍କୁ ବଞ୍ଚାଇବା ଲାଗି ତୁରନ୍ତ ବ୍ୟାରେଜ ତଳେ ପହଞ୍ଚିଥିଲେ । ତେବେ ସ୍ୱାଗତିକା ବ୍ୟାରେଜରୁ ଯେଉଁ ସ୍ଥାନରୁ ଡେଇଁଥିଲେ ତଳେ ପାଣି ନଥିବାରୁ ସେ ଏକ କଂକ୍ରିଟ ସ୍ଲାବ ଉପରେ ପଡିଥିଲେ । ଫଳରେ ତାଙ୍କର ମୁଣ୍ଡ, ଅଣ୍ଟା ଓ ପିଠିରେ ଶକ୍ତ ଆଘାତ ଲାଗିବାରୁ ସେ ଚେତାଶୂନ୍ୟ ହୋଇ ପଡିଥିଲେ । ଅନ୍ୟପଟେ ରାଜେଶ ମଧ୍ୟ ବ୍ୟାରେଜର ତଳବାଟ ଦେଇ ସ୍ୱାଗତିକା ପଡିଥିବା ସ୍ଥାନରେ ପହଞ୍ଚି ଥିଲେ । ଖବର ପାଇ ଜଗତପୁର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଓ ଓଡ଼୍ରାଫ ପହଞ୍ଚି ପାୱାର ବୋଟ ଯୋଗେ ସ୍ୱାଗତିକା ଓ ରାଜେଶକୁ ନଦୀ କୂଳକୁ ଆଣି ସେଠାରୁ ଆମ୍ବୁଲାନ୍ସ ଯୋଗେ ଏସସିବିକୁ ପଠାଇଥିଲେ । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି । ରାଜେଶ ଓ ସ୍ୱାଗତିକା କିଛି ମାସ ପୂର୍ବରୁ ପ୍ରେମ ବିବାହ କରିଥିଲେ । କିନ୍ତୁ ଏହି ବିବାହକୁ ରାଜେଶଙ୍କ ପରିବାର ଲୋକେ ଗ୍ରହଣ କରିନଥିଲେ । ତେଣୁ ବିବାହ ପରଠୁ ଦୁହେଁ କିଛି ଦିନ ଅଲଗା ରହିବା ପରେ ସ୍ୱାଗତିକା ରାଣୀହାଟ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେବିକା ଭାବେ କାର୍ୟ୍ୟ କରୁଥିଲେ । ରାଜେଶ ମଝିରେ ମଝିରେ ତାଙ୍କୁ ଭେଟିବା ଲାଗି କଟକ ଆସୁଥିଲେ । ଆଜି ରାଜେଶ କଲ୍ୟାଣନଗର ସ୍ଥିତ ଶଶୁର ଘରକୁ ଆସିଥିବାବେଳେ ସେଠାରେ ପୂର୍ବ ବିବାଦକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ଏନେଇ ଥାନାରେ କୌଣସି ମାମଲା ହୋଇନଥିବା ଜଣାପଡିଛି ।