ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ- ବିଜେପି କୃଷକ ମୋର୍ଚ୍ଚା
ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟ ବିଭିନ୍ନ ଅଞ୍ଚଳରେ ମଣ୍ଡିରେ ଧାନ ସଂଗ୍ରହ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱରର ୟୁନିଟ-୮ସ୍ଥିତ ଯୋଗାଣ ନିଗମ ମୁଖ୍ୟ କାର୍ଯ୍ୟାଳୟ ଆଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଏହି ବିକ୍ଷୋଭ ହୋଇଛି । ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଦିଆଯାଇଥିବା ଏହି ଧାରଣାରେ ମୁକେଶ ମହାଲିଙ୍ଗ, ନାଉରୀ ନାଏକ, କୁସୁମ ଟେଟେ, ସୁବାସ ପାଣିଗ୍ରାହୀ, ପୂର୍ବତନ ବିଧାୟକ ରବି ନାଏକ ପ୍ରମୁଖ ବରିଷ୍ଠ ବିଜେପି ନେତା ଏହି ଧାରଣାରେ ସାମିଲ ହୋଇଛନ୍ତି । ସରକାର ପ୍ରତିଶ୍ରୁତି ନଦେବା ପଯର୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି । କୃଷକ ମୋର୍ଚ୍ଚାର ଅଭିଯୋଗ, ଚାଷୀମାନେ ଟୋକନ ପାଇ ଧାନ ବିକ୍ରି ଲାଗି ମଣ୍ଡିକୁ ଆଣିଥିଲେ ବି ଧାନ ବିକ୍ରି ହୋଇପାରୁନାହିଁ । ଏହାଛଡ଼ା ବହୁ ଚାଷୀଙ୍କ ଟୋକନ ଲାପ୍ସ କରିଯାଇଛି । କେବଳ ଏତିକି ନୁହେଁ, ମିଲରମାନେ ମଣ୍ଡିକୁ ଆସି କ୍ୱିଣ୍ଟାଲ ପିଛା ୮ରୁ ୧୦ କିଲୋ କଟନି ଛଟନି କରୁଛନ୍ତି । ମିଲରମାନେ ଧାନ ଉଠାଇବାକୁ ଟ୍ୟାଗ ହୋଇଥିଲେ ବି ଧାନ ଉଠାଉ ନାହାନ୍ତି । ଏହିସବୁ ସମସ୍ୟା ଯୋଗୁଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ମଣ୍ଡିଗୁଡ଼ିକରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଛି । ବର୍ଷା ଯୋଗୁଁ କେତେକ ମଣ୍ଡିରେ ଧାନ ଗଜା ମଧ୍ୟ ହୋଇଗଲାଣି । ଏସବୁ ସମସ୍ୟା ନେଇ ଯୋଗାଣ ବିଭାଗ ସଚିବଙ୍କୁ ଚିଠି ଲେଖାଯାଇଥିଲା । ୩ ଦିନ ମଧ୍ୟରେ ପଦକ୍ଷେପ ନେବାକୁ କୁହାଯାଇଥିଲା । ହେଲେ ସଚିବ ନିରବଦ୍ରଷ୍ଟା ସାଜିବାରୁ ବିଜେପି କୃଷକ ମୋର୍ଚ୍ଚା ଆଜି ବିକ୍ଷୋଭ କରୁଛି ବୋଲି ସଭାପତି ଶ୍ରୀ ପୁରୋହିତ କହିଛନ୍ତି । ସଚିବ କିମ୍ବା ବରିଷ୍ଠ ଅଧିକାରୀ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି ।