ଭୁବନେଶ୍ୱର(ଏନ୍.ଏମ୍.): ସାମୁଦ୍ରିକ ଝଡ଼ ୟାସ ଅବପାତ ହେବାପରେ ବାତ୍ୟାର ରୂପ ନେଇ ସାରିଛି । ତେବେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ସଦ୍ୟତମ ବୁଲେଟନ୍ ଅନୁସାରେ ଏହା ପାରାଦୀପରୁ ୩୬୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟାରେ ଧରି ଏହା ୧୦ କିଲୋମିଟର ବେଗରେ ଏହା ବଙ୍ଗୋପସାଗରର ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଯଦି, ଏହି ଗତି ରୁହେ ତେବେ ଏହା ଅତି ଭୀଷଣକାୟ ରୂପ ଧରି ୨୬ ତାରିଖ ଦ୍ୱିପ୍ରହରରେ ବାଲେଶ୍ୱର ଆଖପାଖରେ ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରାଯାଉଛି । ତେବେ କେଉଁ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ୍ କରିବ ସେ ନେଇ ଆଜି ସ୍ପଷ୍ଟ ସୂଚନା ମିଳିବ । ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି । ଏପରିକି ସ୍ଥାନେ ସ୍ଥାନେ ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର ଏବଂ କେନ୍ଦ୍ରାପଡ଼ାରେ ବାତ୍ୟାର ପ୍ରଭାବ ଅଧିକ ପଡ଼ିପାରେ । ଏହିସବୁ ଜିଲ୍ଳାରେ ବାତ୍ୟା ତାଣ୍ଡବ ରଚିବ ବୋଲି ଆଶଙ୍କା କରାଯାଇଛି । ବାତ୍ୟାର ପ୍ରଭାବରେ ଉପକୂଳ ଅଞ୍ଚଳରେ ଗତ କାଲି ଠାରୁ କିଛି କିଛି ସ୍ଥାନରେ ବର୍ଷା ସହ ପବନ ଜାରି ରହିଛି ।
ଏହି ୪ ଜିଲ୍ଲା ଗୁଡ଼ିକରେ ଆଜି ରାତିରୁ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୬୦ କିଲୋମିଟର, ଖୋର୍ଦ୍ଧା ଓ ପୁରୀରେ ୯୦ରୁ ୧୨୦ କିଲୋମିଟର ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିଲୋମିଟର ବେଗ ରହିପାରେ ବୋଲି ଅନୁମାନ କରାଯାଉଛି । ପୁନଶ୍ଚ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ୪ ମିଟର ଯାଏଁ ଉଚ୍ଚ ଜୁଆର ସୃଷ୍ଟି ହେବ । ପ୍ରବଳ ପବନ ଯୋଗୁଁ ବଡ଼ ବଡ଼ ଗଛ ଉପୁଡିପାରେ, କଚ୍ଚା, ଆଜବେଷ୍ଟସ୍ ଛପର ଓ ପୁରୁଣା କୋଠା ଭାଙ୍ଗି ଯିବାର ଅନୁମାନ କରାଯାଉଛି । ଏଥି ସହିତ ଟେଲିଫୋନ୍, ବିଜୁଳି ଖୁଣ୍ଟ ବି ଉପୁଡ଼ି ଯିବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ବାତ୍ୟାା ସ୍ଥିତିକୁ ଦେଖି ଆଜି ରାଜ୍ୟର ପାରାଦ୍ୱୀପ ଓ ଧାମରା ବନ୍ଦରରେ ୪ ନମ୍ବର ବିପଦ ସଂକେତ ଜାରି ହୋଇଛି । ବାତ୍ୟା ୟାସ୍ ପ୍ରଭାବରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ବର୍ଷାର ପରିମାଣ ବଢ଼ିପାରେ । ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ତେଣୁ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଭଳି ୮ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆଜି ପାଇଁ ଗଞ୍ଜାମ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବାତ୍ୟା ଲ୍ୟାଣ୍ଡଫଲ୍ କରିବା ଦିନ ଅର୍ଥାତ ୨୬ତାରିଖ ପାଇଁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ୯ଟି ଜିଲ୍ଲା- ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ କେନ୍ଦୁଝର ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ତାଛଡ଼ା ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଭଳି ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହିସବୁ ଜିଲ୍ଲାରେ ବର୍ଷା ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ଥିବାରୁ ଲୋକେ ସତର୍କ ରହିବା ସହ ବାତ୍ୟା ସମ୍ପୂର୍ଣ୍ଣ ନସରିବା ଯାଏଁ ଘରୁ ନବାହାରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ ଦେଇଛନ୍ତି ।