ଭାରତୀୟ ରେଳବାଇକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ
ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ରେଳବାଇକୁ ୫ ମେଗାହର୍ଜ ସ୍ପେକ୍ଟ୍ରମ ଯୋଗାଇ ଦିଆଯିବ । ୭୦୦ ମେଗାହର୍ଜ ବ୍ୟାଣ୍ଡ୍ରେ ଏହି ସ୍ପେକ୍ଟ୍ରମ ଉପଲବ୍ଧ କରାଯିବ । ଏହାଦ୍ୱାରା ରେଳବାଇର ସଂଚାର ଓ ସିଗନାଲ ବ୍ୟବସ୍ଥାରେ ଉନ୍ନତି ଅଣାଯାଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ କେନ୍ଦ୍ର କ୍ୟାବିନେଟ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଯେ, ରେଳବାଇର ସଂଚାର ଓ ସିଗନାଲ ବ୍ୟବସ୍ଥାରେ ଉନ୍ନତି ଘଟିଲେ ଯାତ୍ରୀ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ଉନ୍ନତି ସାଧିତ ହେବ । ଏହି ସ୍ପେକ୍ଟ୍ରମ ମିଳିବା ପରେ ଭାରତୀୟ ରେଳବାଇ ତାହାର ରୁଟ୍ ଗୁଡିକରେ ଏଲଟିଇ-ଆଧାରିତ ମୋବାଇଲ ଟ୍ରେନ ରେଡିଓ ସଂଚାର ବ୍ୟବସ୍ଥା ଯୋଗାଇବାକୁ ସମର୍ଥ ହେବ । ଏହି ପ୍ରକଳ୍ପରେ ପ୍ରାୟ ୨୫ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ଅଟକଳ କରାଯାଇଛି । ଏହା ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଶେଷ କରାଯିବ ବୋଲି ରେଳବାଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ରେଳବାଇ ସମ୍ପ୍ରତି ନିଜର ସଞ୍ଚାର ନେଟୱର୍କ ପାଇଁ ଅପଟିକାଲ ଫାଇବର ଉପରେ ନିର୍ଭର କରୁଛି, କିନ୍ତୁ ସାନି ସ୍ପେକ୍ଟ୍ରମ ମିଳିବା ପରେ ଏହା ବାସ୍ତବ ସମୟ ଭିତ୍ତିରେ ହାଇ-ସ୍ପିଡ ବେତାର ବ୍ୟବସ୍ଥା ବ୍ୟବହାର କରିବାକୁ ସମର୍ଥ ହୋଇପାରିବ । ଯାହାଫଳରେ ବର୍ତ୍ତମାନ ରହିଥିବା ରେଳ ଭିତ୍ତିଭୂମିକୁ ବ୍ୟବହାର କରି ମଧ୍ୟ ଅଧିକ ଟ୍ରେନ ଚଳାଚଳ ସମ୍ଭବ ହୋଇପାରିବ ।