ବେଆଇନ ଲିଙ୍ଗ ନିରୁପଣ କରିବା ଅଭିଯୋଗ: ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ, ମେସିନ ଜବତ

ବେଆଇନ ଲିଙ୍ଗ ନିରୁପଣ କରିବା ଅଭିଯୋଗ: ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ, ମେସିନ ଜବତ

ବେଆଇନ ଲିଙ୍ଗ ନିରୁପଣ କରିବା ଅଭିଯୋଗ: ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ, ମେସିନ ଜବତ


#କଟକ (ଏନ୍‌.ଏମ୍‌.): କଟକ ସହରରେ ଛତୁଫୁଟିଲା ଭଳି ଘରୋଇ ନର୍ସିଂହୋମ ଚାଲିଥିବାବେଳେ ଅନେକ ବେଆଇନ କାର୍ଯ୍ୟ ଚାଲୁଥିବାର ଅଭିଯୋଗ ମଧ୍ୟ ଉଠୁଛି । ତେବେ କେତେକସ୍ଥାନରେ ଲିଙ୍ଗ ନିରୁପଣ ଭଳି ବେଆଇନ କାର୍ଯ୍ୟ ନର୍ସିଂହୋମରେ କରାନଯାଇ କିଛି ଡାକ୍ତରମାନେ ନିଜ ଆବାସରେ ଚଳାଇଥିବା ଅଭିଯୋଗ ହୋଇଥିଲା । ତେବେ ଆଜି ଲିଙ୍ଗ ନିରୂପଣ ଅଭିଯୋଗରେ ଜଣେ ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି । କଟକ ଫ୍ରେଣ୍ଡସ୍ କଲୋନୀରେ ରହୁଥିବା ଡାକ୍ତର ପୂଣ୍ୟାଲୋକ ଦାସଙ୍କ ଘରେ ଏହି ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସହ ଉପଜିଲ୍ଲାପାଳ ମଧ୍ୟ ସାମିଲ ଥିଲେ । ଚଢ଼ାଉବେଳେ ଟଙ୍କା ଭର୍ତ୍ତି ବ୍ୟାଗ୍ ଓ ଲିଙ୍ଗ ନିରୁପଣ ମେସିନ ଜବତ କରିବା ସହ ସ୍ୱାସ୍ଥ୍ୟ ବିଭାଗ ଜଣେ ରୋଗୀଙ୍କୁ ଉଦ୍ଧାର କରିଛି । ଡାକ୍ତର ଦାସ ଦେବଗଡ଼ ସରକାରୀ ମେଡିକାଲରେ କାର୍ଯ୍ୟରତ ବୋଲି ଜଣାପଡିଛି । ପୂର୍ବରୁ ମଧ୍ୟ ଲିଙ୍ଗ ନିରୁପଣ ଅଭିଯୋଗରେ ଡାକ୍ତରଙ୍କ ଘରେ ଚଢ଼ାଉ କରାଯାଇଥିଲା । ଅନ୍ୟପକ୍ଷରେ ଡାକ୍ତର ଦାସ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ମୋର ଆଗରୁ କ୍ଲିନିକ୍ ଥିଲା । ଏହି ସବୁ ଯନ୍ତ୍ରପାତି ସେଠାରେ ଥିଲା । କ୍ଲିନିକ୍ ବନ୍ଦ ହେବାପରେ ମୁଁ ଏହି ଯନ୍ତ୍ରପାତି ଗୁଡ଼ିକୁ ଘରକୁ ନେଇ ଆସିଥିଲି । ମୋ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ମିଥ୍ୟା । ଏନେଇ ସ୍ୱାସ୍ଥ୍ୟବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ରେଡ୍ କରିବା ପାଇଁ ତାଙ୍କ ଘରେ ପଶିଲା ବେଳେ ଜଣେ ଗର୍ଭବତୀ ମହିଳାଙ୍କର ଚେକଅପ୍ କରାଯାଉଥିଲା । ଆମକୁ ଦେଖି ଉକ୍ତ ଡାକ୍ତରଙ୍କ ପତ୍ନୀ ଧକ୍କା ମାରି ଭିତରକୁ ପଶିଯାଇ ଗର୍ଭବତୀ ମହିଳାଙ୍କୁ ଲୁଚାଇ ଦେଇଥିଲେ । ପରେ ମେସିନଟି ମଧ୍ୟ ରୋଷେଇ ଘରେ ଲୁଚେଇ ଦେଇଥିଲେ । ଆମେ ରୋଷେଇ ଘରୁ ଏହି ମେସିନଟିକୁ ପାଇଥିଲୁ । ଏ ନେଇ ଉପଜିଲ୍ଲାପାଳ କହିଛନ୍ତି, ଲିଙ୍ଗ ନିରୁପଣ କରାଯାଉଥିବା ନେଇ ଆମ ପାଖରେ ଅଭିଯୋଗ ଥିଲା । ଆଜି ସକାଳେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଲିଙ୍ଗ ନିରୁପଣ ମେସିନ, କିଛି ଟଙ୍କା ଓ ମେଡିସିନ ଜବତ କରାଯାଇଛି; ତେବେ ପୂର୍ବରୁ ମଧ୍ୟ ଚଢ଼ାଉ କରାଯାଇଥିଲା । ଏଥିପାଇଁ ଡାକ୍ତରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ଏଥିରେ ସେ ସୁଧୁରି ନଥିଲେ । ପୁଣି ସେହି କାମ କରୁଥିଲେ । ଏଥିସହିତ କଟକରେ ଥିବା ସମସ୍ତ ନର୍ସିଂହୋମ ଓ ଡାକ୍ତରଙ୍କ ଘର ଆଦି ଯାଞ୍ଚ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ