ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ଦ୍ୱିତୀୟ ସମନ୍ୱୟ ବୈଠକ
ପୁରୀ(ଏନ୍.ଏମ୍.): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା -୨୦୨୨ର ଦ୍ୱିତୀୟ ସମନ୍ୱୟ ବୈଠକ ସ୍ଥାନୀୟ ଟାଉନହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଶକ୍ତି, ଶିଳ୍ପ, ଏମ୍ଏସଏମ୍ଇ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ଚଳିତ ବର୍ଷ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ ପାଳନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ଆଇନ ତଥା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଚଳିତ ବର୍ଷ ଭକ୍ତମୟ ପରିବେଶରେ ରଥଯାତ୍ରା ହେବାକୁ ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ଦୃଷ୍ଟିରେ ରଖି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ପ୍ରାୟ ୪୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଅନୁମାନ କରାଯାଉଥିବାବେଳେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ଚାଲେଞ୍ଜ । ତେଣୁ ରଥଯାତ୍ରା ପୂର୍ବରୁ ସମସ୍ତ ମୌଳିକ ସମସ୍ୟାର ଦୂର କରିବା ପାଇଁ ପ୍ରସ୍ତୁତି ଚାଲିଛି । ରଥ ନିର୍ମାଣ, ରଥ ଦଉଡି ଯୋଗାଣ, ନୀତିକାନ୍ତି ଆଦି କିଭଳି ଶୃଙ୍ଖଳିତ ଭାବେ ପରିଚାଳନା ହେବା ସେ ନେଇ ଆଲୋଚନା କରାଯାଇଥିଲା । ପୁନଶ୍ଚ ରଥଯାତ୍ରା ପରିପ୍ରେକ୍ଷୀରେ ସହରର ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ, ପାନୀୟ ଜଳ, ଡ୍ରେନେଜ ବ୍ୟବସ୍ଥା, ସଡକ ଓ ପରିବହନ, ରେଳ ଚଳାଚଳ, ସୁରକ୍ଷା ବ୍ୟବସ୍ଥା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂରୀ ଜିଲ୍ଲାର ସମସ୍ତ ବିଧାୟକ, ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ବିଭିନ୍ନ ସେବାୟତ ନିଯୋଗର କର୍ମକର୍ତ୍ତାଙ୍କ ସମେତ ଜିଲ୍ଲାପ୍ରଶାସନର ବହୁ ଅଧିକାରୀ ଉପସ୍ଥିତ ଥିଲେ ।