ବିଜେପି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେଡିର ସମର୍ଥନ

ବିଜେପି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେଡିର ସମର୍ଥନ

ବିଜେପି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେଡିର ସମର୍ଥନ


#ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜେପି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆଜି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ତାହାକୁ ପୂର୍ବଭଳି ବିଜେଡି ସମର୍ଥନ ଜଣାଇଛି । ଫଳରେ ଏପର ବି ବିଜେଡି ସମର୍ଥନରେ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ଯିବାକୁ ରାସ୍ତା ପରିଷ୍କାର ହୋଇଛି । ଓଡ଼ିଶାରୁ ୩ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ନୂତନ ପ୍ରାର୍ଥୀପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ବିଜେଡି ଦେବାଶିଷ ଓ ସୁଭାଶିଷଙ୍କୁ ପ୍ରାର୍ଥୀ କରିଥିବାବେଳେ ଆଜି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଦଳ ସମର୍ଥନ କରିଛି । ତେବେ ଏହି ରାଜନୈତିକ ହଟଚମଟ ମଧ୍ୟରେ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ ଜଣାଇବାକୁ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ମୁଁ ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା । ଦଳର ସବୁ ନିର୍ଣ୍ଣୟ ପାର୍ଟି ନେଇଥାଏ । ପ୍ରଧାନମନ୍ତ୍ରୀ ମୋତେ ଆଉ ଥରେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି । ତେବେ ୨୦୧୯ମସିହାରେ ବିଜେଡି ସମର୍ଥନରେ ଶ୍ରୀ ବୈଷ୍ଣବ ରାଜ୍ୟସଭାକୁ ଯାଇଥିଲେ । ଏଥର ବି ଅଶ୍ୱିନୀଙ୍କୁ ସମର୍ଥନ ଜଣାଇଥିବା ନେଇ ବିଜେଡି ବିଧିବଦ୍ଧ ଭାବେ ଘୋଷଣା କରିଛି । ଶ୍ରୀ ବୈଷ୍ଣବ ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଦୁଇ ଦିନ ତଳେ ବିଜେଡି କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତେବେ ତୃତୀୟ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବାବେଳେ ପୁଣି ଶ୍ରୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଥିଲା । ଆଜି ସେହି ଚର୍ଚ୍ଚାର ଅନ୍ତ ଘଟିଛି । ଶ୍ରୀ ବୈଷ୍ଣବ ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି । ୨୦୨୧ ମସିହା ଜୁଲାଇ ମାସରେ ମୋଦି ସରକାରଙ୍କ କ୍ୟାବିନେଟ୍ ଅଦଳବଦଳରେ ଶ୍ରୀ ବୈଷ୍ଣବଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା । ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ରେଳ ତଥା ଇଲେକଟ୍ରୋନିକ, ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା । ଦେଶର ରେଳ କ୍ଷେତ୍ରରେ ଉନ୍ନତିକରଣ ପାଇଁ ସେ ଚେଷ୍ଟା କରି ଆସୁଛନ୍ତି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶାକୁ ସବୁଠାରୁ ଅଧିକ ରେଳ ଅନୁଦାନ ମିଳିଛି । ୨୦୨୩-୨୪ ବଜେଟରେ ପ୍ରଥମ ଥର ଲାଗି ଓଡ଼ିଶାର ଅନୁଦାନ ପରିମାଣ ୧୦ ହଜାର କୋଟି ଟପିଥିଲା । ରାଜ୍ୟର ୫୮ଟି ଷ୍ଟେସନର ଆଧୁନିକୀକରଣ କାମ ଚାଲିଛି । ପୁରୀ, ଭୁବନେଶ୍ୱର ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବା ଲାଗି ଶ୍ରୀ ବୈଷ୍ଣବଙ୍କ ସମୟରେ କାମ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ ସମେତ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଚଳିତ ବର୍ଷ ଏପ୍ରିଲ ୨ତାରିଖରେ ଶେଷ ହେଉଛି । ଏହି ୩ଟି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ୧୫ ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି । ବିଧାନସଭାରେ ବିଜେପିର ମାତ୍ର ୨୨ଜଣ ବିଧାୟକ ଥିବାବେଳେ ଜଣେ ପ୍ରାର୍ଥୀଙ୍କ ଜିତିବା ପାଇଁ ସର୍ବନିମ୍ନ ୩୭ ଜଣ ବିଧାୟକଙ୍କ ସମର୍ଥନ ଜରୁରୀ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ