ବିଜେଡି ଛାଡ଼ିଦେଲେ ୪ ଅଭିନେତା: ଶଙ୍ଖକୁ ବାଏ ବାଏ କଲେ ଅନୁଭବ, ଆକାଶ, ଅରିନ୍ଦମ, ସିଦ୍ଧାନ୍ତ
ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଆ ସିନେମାର ୪ ଅଭିନେତା ବିଜେଡି ଛାଡ଼ି ଦେଇଛନ୍ତି । ଅଭିନେତାରୁ ରାଜନେତା ପାଲଟିଥିବା ଏହି ୪ ଅଭିନେତାଙ୍କ ମଧ୍ୟରୁ ଦୁଇ ଜଣ ବିଜେପିରେ ଯୋଗ ଦେଇ ସାରିଥିବାବେଳେ ଆଉ ଦୁଇ ଜଣ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ବିଜେଡି ଛାଡ଼ିଥିବା ଏହି ୪ଅଭିନେତା ହେଉଛନ୍ତି- ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ । ପ୍ରଥମେ ଦଳ ଛାଡ଼ିଥିଲେ ଅରିନ୍ଦମ ରାୟ । ସେ ମାର୍ଚ୍ଚ ୧୫ ତାରିଖରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିବା ତାଙ୍କ ଇସ୍ତଫାପତ୍ରରେ ତାଙ୍କ ଅସନ୍ତୋଷ ଜାହିର କରିଥିଲେ । ସେ ଲେଖିଥିଲେ- ମୁଁ ଆପଣଙ୍କ ଦଳରେ ୨୦୦୯ରୁ କାର୍ଯ୍ୟ କରିଆସୁଛି । ୨୦୧୪ରୁ ମୁଁ ଆପଣଙ୍କ ଦଳର ଷ୍ଟାର କ୍ୟାମ୍ପେନର ରହି ଆସିଛି । ବିଭିନ୍ନ ନିର୍ବାଚନରେ ପର୍ଯ୍ୟବେକ୍ଷକ ଭାବେ କଟକ, ତିର୍ତ୍ତୋଲ ଓ କୋରାପୁଟରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଛି । କିନ୍ତୁ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ, ମୋ କାର୍ଯ୍ୟକୁ ଆପଣ କିମ୍ବା ଆପଣଙ୍କ ଦ୍ୱାରା ନିଯୁକ୍ତ ସଦସ୍ୟମାନେ ଏଯାବତ ସ୍ୱୀକୃତି ଦେଇ ନାହାନ୍ତି । ମୁଁ ଆପଣଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲି । କିନ୍ତୁ ଦୁର୍ଭାଗ୍ୟ ବଶତଃ ଆପଣଙ୍କୁ ଦେଖା କରିବାକୁ ମୋତେ ସୁଯୋଗ ମିଳିଲା ନାହିଁ । ତେଣୁ ଆପଣଙ୍କୁ ଭେଟିବାର ମାପଦଣ୍ଡ ମୁଁ ପୂରଣ କରିପାରୁ ନାହିଁ ବୋଲି ଅନୁଭବ କଲି । ଆପଣଙ୍କ ଦଳରେ ମୋର ସ୍ଥାନ କିଛି ନୁହେଁ ବୋଲି ଭାବୁଛି । ଏଣୁ ମୁଁ ବିଜେଡିର ସାଧାରଣ ସଂପାଦକ ପଦ ଓ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି । ଆଶା କରୁଛି, ଆପଣ ମୋ ପରିସ୍ଥିତି ବୁଝିବେ ଓ ମୋ ଉପରେ କିଛି ଆକ୍ରୋଶ ରଖିବେ ନାହିଁ । ଦୁଇ ଦିନ ତଳେ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ । ସିଦ୍ଧାନ୍ତ ମହାପାତ୍ର ଦୁଇ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୯ ଓ ୨୦୧୪ରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ଦଳ ଆଉ ତାଙ୍କୁ ଟିକେଟ ଦେଇ ନଥିଲା । ତାଙ୍କ ବଦଳରେ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ଟିକେଟ ଦେଇଥିଲା । ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ୨୦୦୪ରେ କଂଗ୍ରେସ ଟିକେଟ୍ରେ ସେ ବ୍ରହ୍ମପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ଓ ୨୦୧୪ରେ ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ପରାସ୍ତ ହୋଇଥିଲେ ଚନ୍ଦ୍ରଶେଖର ସାହୁ । ଅବଶ୍ୟ ୨୦୨୪ ନିର୍ବାଚନ ପାଇଁ ବିଜେଡି ଏଯାବତ ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ । ଦଳ ୨୧ଟିରୁ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ସୁଦ୍ଧା ତା’ ଭିତରେ ବ୍ରହ୍ମପୁର ନାହିଁ । ଆଜି ଆକାଶ ଦାସ ନାୟକ ଓ ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଆକାଶ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କୋରେଇର ବିଧାୟକ ଥିଲେ । ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନଥିଲା । ୨୦୨୪ ବିଧାନସଭା ନିର୍ବାଚନ ପାଇଁ ବିଜେଡି ଏଯାଏଁ କୋରେଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ । ତେବେ ଆକାଶ ବୋଧେ ଇସାରା ପାଇଯାଇଥିଲେ ଯେ ତାଙ୍କୁ ଏଥର ବି ଟିକେଟ ମିଳୁ ନାହିଁ । ଆଜି ବିଜେଡି ଛାଡ଼ିବା ପରେ ଆକାଶ କହିଛନ୍ତି, ମୋର ଜନ୍ମମାଟି କୋରେଇ ମା’ର ସେବା କରିବା ପାଇଁ ରାଜନୀତିରେ ଯୋଗ ଦେଇଥିଲି । ୨୦୧୯ ମସିହାରେ ମୋର ଟିକେଟ ବିନା କାରଣରେ କାଟି ଦିଆଯାଇଥିଲା । ହେଲେ ବିନା ପ୍ରତିବାଦରେ ମୁଁ ଦଳ ସହିତ ଥିଲି ଓ ଶୃଙ୍ଖଳାର ସହ କାମ କରୁଥିଲି । ୫ ବର୍ଷ ବିଧାୟକ ନଥାଇ ମଧ୍ୟ ମୁଁ ଦଳ ପାଇଁ କଠିନ ପରିଶ୍ରମ କରିଛି । ଖରା ହେଉ ବା ବର୍ଷା ମୁଁ ଦଳ ପାଇଁ ପ୍ରଚାର କରିଛି । ଏତେ ସବୁ ପରେ ମଧ୍ୟ ଦଳ ମୋ ଗୁରୁତ୍ୱ ବୁଝିପାରିଲାନାହିଁ । ସେଥିପାଇଁ ମୁଁ ଦଳ ଛାଡ଼ିଦେଲି ।୨୦୧୯ରେ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି । ଏହା ପୂର୍ବରୁ ଅନୁଭବ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେଡି କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଅଂଶୁମାନ କିଛି ଦିନ ତଳେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ । ଟିକେଟ୍ କଟିଯିବା ପରେ ଅନୁଭବ ଦଳ ଛାଡ଼ିବେ ବୋଲି ଆଲୋଚନା ହେଉଥିଲା । ଗତ କିଛି ବର୍ଷ ହେଲା ପାରିବାରିକ ବିବାଦରେ ଫସି ଯାଇଥିବା ଅନୁଭବ ମହାନ୍ତି ଦଳରେ ମଧ୍ୟ କୋଣଠେସା ହୋଇ ରହିଯାଇଥିଲେ । ତାଙ୍କୁ ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ କରାଯାଉ ନଥିଲା । ଗତ ପଞ୍ଚାୟତ ନିର୍ବାଚନରେ ଅନୁଭବଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯାଇଥିଲା ।