ବିଜେଡିରେ ମିଶିଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ
#ଭୁବନେଶ୍ୱର(ଏନ୍.ଏମ୍.): ବହୁ କଳ୍ପନା ଜଳ୍ପନା ତଥା ଚାଲିଥିବା ଚର୍ଚ୍ଚାରେ ଏବେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ବିଜେଡିରେ ମିଶିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ମିଶିବା ପୂର୍ବରୁ ମନ୍ମଥ ଭୁବନେଶ୍ୱର ମାଉସୀମା ମନ୍ଦିର ଛକରୁ ନିଜ କର୍ମୀମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କରି ଶଙ୍ଖ ଭବନ ଅଭିମୁଖେ ଆସିଥିଲେ । ସୁର ନିଜ ପୁଅର ଏହି ବିରାଟ ଶୋଭାଯାତ୍ରାରେ ସାମିଲ ହୋଇ ନଥିଲେ । ହେଲେ ସେ ନିଜ ପୁଅ ମନ୍ମଥଙ୍କୁ ଜିତାଇବାକୁ ନିଜର କର୍ମୀମାନଙ୍କୁ ଆହ୍ୱାନ କରିଥିଲେ । ସେ କହିଥିଲେ, ମନ୍ମଥ ଯେଉଁ ଦଳକୁ ଯାଉନା କାହିଁକି ସେ ମୋ ପୁଅ । ତାକୁ ଆମେ ଜିତାଇବା । ଅନ୍ୟପକ୍ଷରେ ସୁରଙ୍କ ଆର୍ଶୀବାଦ ନେଇ ବିଜେଡିରେ ସାମିଲ ହୋଇଥିବା ମନ୍ମଥ କହିଥିଲେ, ମୋ ବାପା ସୁର ରାଉତରାୟ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ଆଗକୁ ବଢ଼ିବି । ବିଜେଡିରେ ମିଶିବା ତାଙ୍କର ଏକା ନିଷ୍ପତ୍ତି ନୁହେଁ । ଏହା ତାଙ୍କ ପରିବାରର ନିଷ୍ପତ୍ତି ବୋଲି ମନ୍ମଥ କହିଥିଲେ । ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ମନ୍ମଥ କ୍ୟାପଟନ ଚାକିରି ଛାଡ଼ି ଭୁବନେଶ୍ୱରରେ ପହଞ୍ଚିଥିଲେ । ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସୁର ଶହ ଶହ ସମର୍ଥକଙ୍କୁ ନେଇ ସେଠାରେ ପହଞ୍ଚି ପୁଅକୁ ଭବ୍ୟ ସ୍ୱାଗତ କରି ପାଛୋଟି ଆଣିଥିଲେ । ପରେ ସୁର ମନ୍ମଥଙ୍କୁ ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ । ଏହାସହ ଜଟଣୀରୁ ବିଧାୟକ ପ୍ରାର୍ଥୀ ମନ୍ମଥ ରାଉତରାୟ ହେବେ ବୋଲି ସେ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଥିଲେ ।