ବାଲିକୁଦା ଗ୍ରାମ୍ୟ ଶ୍ମଶାନ ଉନ୍ନତିକରଣ ପାଇଁ ସିଏମସି କମିଶନରଙ୍କୁ ଦାବିପତ୍ର
#କଟକ(ଏନ୍.ଏମ୍.): ସିଏମସି ୫୬ ନମ୍ବର ୱାର୍ଡ ଅନ୍ତର୍ଗତ ଓ କଟକ ସଦର ଥାନା ଅଧନ ବାଲିକୁଦା ଗ୍ରାମ୍ୟ ଶ୍ମଶାନଟି ବହୁ ଯୁଗରୁ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି । ଦୀପତଳ ଅନ୍ଧାର ଭଳି ଏହି ଗ୍ରାମ୍ୟ ଶ୍ମଶାନକୁ ସରକାର ଓ ସିଏମସି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ସ୍ଥାନୀୟ ବାଲିକୁଦା ଗ୍ରାମ୍ୟ ଶ୍ମଶାନରେ ଏକ ସ୍ଥାୟୀ ଶବଦାହ ଗୃହ ନିର୍ମାଣ, ପାଣିର ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ, ଚାରି ପାର୍ଶ୍ୱରେ ସ୍ଥାୟୀ ପାଚେରୀ ନିର୍ମାଣ ଇତ୍ୟାଦି କରାଯିବାର ବିଶେଷ ଆବଶ୍ୟକତା ରହିଛି । ପୁନଶ୍ଚ ଶ୍ମଶାନର କିଛି ଅଂଶ ଜବରଦଖଲକାରୀଙ୍କ ଠାରୁ ଉଦ୍ଧାର କରାଯିବା ସହିତ ସରକାରଙ୍କ ସହରାଞ୍ଚଳ ପାଇଁ ଲୋକାଭିମୁଖୀ ମୁକ୍ତା ଯୋଜନା ଉନ୍ନତିକରଣ କରାଯିବା ପାଇଁ କଟକ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଦାବି ହୋଇଛି । ଏ ନେଇ ପରିଷଦ ସଭାପତି ତଥା ସାମାଜିକକର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ସିଏମସି କମିଶନର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, କଟକ ଜିଲ୍ଲାପାଳ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ( ଆରଡିସି)ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କଟକ ସହରରେ ସରକାରଙ୍କ ବହୁ ଜନହିତକର ଯୋଜନା ଚାଲିଥିବାବେଳେ ଏହି ଶ୍ମଶାନଟିକୁ କାହିଁକି ଅଣଦେଖା କରାଯାଉଛି ବୋଲି ଶ୍ରୀ ସେଠୀ ପ୍ରଶ୍ନ କରିଛନ୍ତି । ତେବେ ଏହି ଶ୍ମଶାନର ତୁରନ୍ତ ଉନ୍ନତିକରଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି । ଏଠାରେ ଉଲ୍ଲେଖ ଥାଉ କି ଗ୍ରାମବାସୀମାନେ ବାଧ୍ୟ ହୋଇ ନିଜସ୍ୱ ଖର୍ଚ୍ଚରେ ଶ୍ମଶାନର ପରିଷ୍କାର ପରିଚ୍ଛନ କାର୍ଯ୍ୟ ତୁଲାଉଛନ୍ତି । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ଅକ୍ଷୟ କୁମାର ସାମଲ, ଶିବ କୁମାର ବାରିକ, ଅଚ୍ୟୁତ ମଣ୍ଡଳ, ବିକ୍ରମ କେଶରୀ ସ୍ୱାଇଁ, ଲିଙ୍ଗରାଜ ପାଣି, ଅଜିତ କୁମାର ଜେନା, ଜୁନେଦ୍ ଖାନ, ଅଶୋକ କୁମାର ବାରିକ, ସନାତନ ପାଣି, ମୃତ୍ୟୁଞ୍ଜୟ ଭୂୟାଁ, ସମୀର ପାଣି, ଚନ୍ଦ୍ରାକ୍ଷ ନାୟକ, ରାଜେଶ କୁମାର ସ୍ୱାଇଁଙ୍କ ସମେତ ବହୁ ସଦସ୍ୟ ସାମିଲ ଥିଲେ ।