ବାତ୍ୟା ୟାସର ଅନ୍ତରାଳେ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ବାତ୍ୟା ୟାସର ଅନ୍ତରାଳେ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ଭୁବନେଶ୍ୱର (ଏନ୍.ଏମ୍.): ସାମୁଦ୍ରିକ ଝଡ଼ ୟାସ ବାତ୍ୟାର ରୂପ ନେବା ପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାଣ୍ଡବ ସୃଷ୍ଟି କରିଛି । ରାଜ୍ୟର ଉପକୂଳବର୍ତ୍ତୀ କିଛି ଜିଲ୍ଲା ସହିତ ଅନ୍ୟ ଜିଲ୍ଲାଗୁଡ଼ିକରେ ବ୍ୟାପକ ଧନ ଜୀବନ ପ୍ରଭାବିତ ହୋଇଛି । ଗତକାଲି ବାତ୍ୟାର ପ୍ରଭାବ ଦୂରଦେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ବାତ୍ୟା ୟାସ ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଯଥା: ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ ହେଲିକପ୍ଟର ଯୋଗେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି ସନ୍ଧ୍ୟାରେ ମଧ୍ୟ ମୁଖ୍ୟମନ୍ତ୍ରୀ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥିଲେ । ୨୪ ଘଣ୍ଟାରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ସ୍ୱଭାବିକ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ବାତ୍ୟା ପୂର୍ବରୁ ସରକାରଙ୍କ ତରଫରୁ ବାତ୍ୟା ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଇଥିଲା । ପ୍ରଭାବିତ ଅଞ୍ଚଳ ଗୁଡିକରେ ଅଗ୍ନିଶମ କର୍ମଚାରୀ, ଏନଡିଆରଏଫ ଟିମ ପହଞ୍ଚି ନିଜ କାର୍ଯ୍ୟ ତୁରନ୍ତ ଆରମ୍ଭ କରି ଦେଇଥିଲେ । ଏହାସହ ବାତ୍ୟା ପ୍ରଭାବିତ ଜିଲା ଗୁଡିକରେ ପୁନରୁଦ୍ଧାର, କ୍ଷୟକ୍ଷତି ଆକଳନ ପାଇଁ ତ୍ୱରିତ ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ମୁକାବିଲାରେ ସଫଳତା ଯୋଗୁଁ ରାଜ୍ୟର ବହୁ ଜୀବନ ରକ୍ଷା ପାଇପାରିଛି । ତେବେ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ସୂଚନା ଯୋଗ୍ୟ, ବାତ୍ୟା ୟାସ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବା ସହ ବାଲେଶ୍ୱର ଅଞ୍ଚଳରେ ବିଭିନ୍ନ କ୍ଷତି ଘଟାଇଥିବା ବେଳେ ଏହାର ପ୍ରଭାବ ଭଦ୍ରକ, କେନ୍ଦ୍ରାପଡା, ମୟୁରଭଞ୍ଜ, ଯାଜପୁରରେ କ୍ଷତି ଘଟାଇଥିଲା । ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ବାତ୍ୟା ଯୋଗୁଁ ଗଛ ପଡ଼ି ବାଲେଶ୍ୱର ଓ କେନ୍ଦୁଛରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ସୂଚନା ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ସହିତ ବାତ୍ୟା ପ୍ରପୀଡ଼ିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ