ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ୱର (ଏନ୍.ଏମ୍.): ଚଳିତ ବର୍ଷ ଯୁକ୍ତ ଦୁଇ ଶେଷ ବର୍ଷ ପିଲାଙ୍କ ପରିକ୍ଷା ବାତିଲ କରିବା ପାଇଁ ଶେଷରେ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ଏଥର ଯୁକ୍ତ ଦୁଇ ଶେଷ ବର୍ଷ ପିଲାଙ୍କ ପରୀକ୍ଷା ହେବ ନାହିଁ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କରୋନା ପାଇଁ ପରୀକ୍ଷା ସମ୍ଭବ ହେଉ ନଥିବାରୁ ଏହାକୁ ବାତିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କେମିତି ଉପାୟରେ ପିଲାଙ୍କ ମୂଲ୍ୟାୟନ କରାଯିବ, ସେ ନେଇ କିଛି ନିଷ୍ପତ୍ତି ହୋଇନାହିଁ । ବିଶେଷଜ୍ଞଙ୍କ ପରାମର୍ଶ ନେଇ ମୂଲ୍ୟାୟନର ମାପଦଣ୍ଡ ସ୍ଥିର କରିବାକୁ ସିଏଚଏସସିକୁ ନିଦେ୍ର୍ଦଶ ଦିଆଯାଇଛି । ତା’ସହିତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମୂଲ୍ୟାୟନ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ମୂଲ୍ୟାୟନରେ ଯେଉଁ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହେବେ, ସେମାନଙ୍କ ପାଇଁ ବି ବିକଳ୍ପ ବ୍ୟବସ୍ଥା ରଖାଯାଇଛି । ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ । ପରିସ୍ଥିତି ସ୍ୱାଭାବିକ ହେଲେ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ପରିସ୍ଥିତି ସମୀକ୍ଷା କରି ପରୀକ୍ଷା କେବେ କରାଯିବ, ତାହା ସିଏଚଏସସି ନିର୍ଣ୍ଣୟ କରିବ । ତେବେ ଏ ନେଇ ଦୁଇ ଦିନ ତଳେ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ବାତିଲ କରିଥିଲା । ଏହା ପୂର୍ବରୁ ରାଜ୍ୟ ସରକାର ମାଟ୍ରିକ ପରୀକ୍ଷା ବି ବାତିଲ କରିଥିଲେ ।
ସୂଚନାଯୋଗ୍ୟ, ଗତକାଲି ଗଣ ଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନଫରେନସିଂରେ ପରୀକ୍ଷା ସଂପର୍କରେ ଆଲୋଚନା କରିଥିଲେ । କିନ୍ତୁ ଆଲୋଚନାରେ କ’ଣ ନିଷ୍ପତ୍ତି ହୋଇଥିଲା, ସେ ନେଇ କିଛି ସୂଚନା ଦିଆଯାଇ ନଥିଲା । ତେବେ ଆଜି ମୁଖ୍ୟମନ୍ତ୍ରୀ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଇଥିବା ଘୋଷଣା କରିଛନ୍ତି ।