ବର୍ଷୀୟାନ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଆଉ ନାହାନ୍ତି
ଭୁବନେଶ୍ୱର(ଏନ୍.ଏମ୍.): ପରଲୋକରେ ବର୍ଷୀୟାନ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର । ଗତ ରବିବାର ରାତିରେ ସତ୍ୟନଗରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି । ସ୍ୱର୍ଗତ କର ଏକାଧାରରେ ଜଣେ ସଂଗୀତଜ୍ଞ, ସ୍ତମ୍ଭକାର, ଗୀତିକାର, ଲେଖକ ଭାବେ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି । ସୃଜନର ଏକାଧିକ ଧାରାରେ ପାଦ ଥାପିଥିଲେ କମଳ ଦେଶର ରାଜକୁମାର ପ୍ରଫୁଲ୍ଲ କର । ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ସଂଗୀତ ଓ ଓଡ଼ିଶୀ ସଂଗୀତ ମାଧ୍ୟମରେ ସେ ସ୍ରୋତାଙ୍କ ହୃଦୟକୁ କିଣି ପାରୁଥିଲେ । ଗାୟନ କଳା ସହ ସଂଗୀତ ନିର୍ଦ୍ଦେଶନା ଓ ଗୀତ ରଚନାରେ ମଧ୍ୟ ସେ ଜୀବନ ବ୍ୟାପୀ ତପସ୍ୟା କରିଥିଲେ । ତାଙ୍କ ଅନବଦ୍ୟ ସୃଷ୍ଟି ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା । ପରିଣତ ବୟସ ପର୍ଯ୍ୟନ୍ତ ସେ ସଙ୍ଗୀତ ସାଧନାରେ ବ୍ରତୀ ଥିଲେ । କଳା କ୍ଷେତ୍ରକୁ ଅତୁଳନୀୟ ଅବଦାନ ଲାଗି ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିବା ବେଳେ ୨୦୦୪ ମସିହାରେ ଜୟଦେବ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ସୁନାମଧନ୍ୟ ସଙ୍ଗୀତଜ୍ଞ ପ୍ରଫୁଲ କର । ୪୦ରୁ ଅଧିକ ଓଡ଼ିଶା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରଫୁଲ କର ୫ଟି ବଙ୍ଗଳା ଫିଲ୍ମରେ ବି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଜୀବନ ବ୍ୟାପୀ ସଙ୍ଗୀତ ସାଧନା ପାଇଁ ଏକାଧିକ ପୁରସ୍କାର ଓ ମାନ ସମ୍ମାନରେ ସମ୍ମାନିତ ହୋଇଥିଲେ । ‘ବନ୍ଧୁ ମହାନ୍ତି’ ଫିଲ୍ମ ୧୯୭୭ ମସିହାରେ ତାଙ୍କୁ ଘରେ ଘରେ ପରିଚୟ ଦେଇଥିଲା । ଏହି ସିନେମାର ‘ମହାବାହୁ’ ଗୀତ ପାଇଁ ବେଶ୍ ଲୋକପ୍ରିୟ ହୋଇଥିଲେ ପ୍ରଫୁଲ କର । ପରେ ‘ବଳିଦାନ’ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ଓଡ଼ିଆ ସିନେ ସଙ୍ଗୀତ ଜଗତରେ ଇତିହାସ ସୃଷ୍ଟି କରିଥିଲେ ପ୍ରଫୁଲ କର । ତାଙ୍କ ବିୟୋଗରେ ଓଡ଼ିଶାର ସଙ୍ଗୀତ ତଥା କଳା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରପୁଲ୍ଲ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ସଂଗୀତ ଜଗତର ସମସ୍ତ କଳାକାର ଗଭୀର ଶୋକ ପ୍ରକାଶ କରିଛନ୍ତି ।