ଭୁବନେଶ୍ୱର(ଏନ୍.ଏମ୍.): ବଙ୍ଗୋପସାଗରରେ ଆସିବାକୁ ଥିବା ସମ୍ଭାବ୍ୟ ବାତ୍ୟାର ନାମ ରହିବ ‘ୟାସ୍’ । ଓମାନ୍ ପକ୍ଷରୁ ଏହି ବାତ୍ୟାର ନାମ କରଣ କରାଯାଇଛି । ୟାସ୍ ଅର୍ଥ ହେଉଛି ‘ନିରାଶ’ । ଏହା ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ । ଆଇଏମଡିର ସାଇକ୍ଲୋନ୍ ୱାର୍ଣ୍ଣିଂ ସେଣ୍ଟରର ମୂଖ୍ୟ ଆର.କେ ଜେନାମଣି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଆସନ୍ତା ମେ’ ୨୨ ତାରିଖରେ ବାତ୍ୟା ନେଇ ସଠିକ୍ ଆକଳନ କରାଯାଇପାରିବ । ବାତ୍ୟା ତ ନିଶ୍ଚିତ ହେବ । କିନ୍ତୁ କେଉଁଠି ଏହା ଲ୍ୟାଣ୍ଡଫଲ କରିବ, ତାହା ୨୨ତାରିଖରେ କହିହେବ । ତେବେ ଏହା ଭୀଷଣ ବା ଅତିଭୀଷଣ ଆକାରର ବାତ୍ୟା ହୋଇପାରେ । ମେ ମାସ ୨୨ତାରିଖରେ ସୃଷ୍ଟି ଲଘୁଚାପ ୨୪ତାରିଖରେ ବାତ୍ୟାରେ ରୂପାନ୍ତରିତ ହେବ । ଏହାର ପ୍ରଭାବରେ ୨୫ତାରିଖରେ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ବେଶି ରହିବ । ୨୧ତାରିଖରୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଥିବା ସେ କହିଛନ୍ତି । ସମ୍ଭାବ୍ୟ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ସ୍ପେଶାଲ୍ ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ ଜେନା ଆଜି ସମୀକ୍ଷା ବୈଠକ କରିଥିଲେ । ଆଇଏମଡି ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହିତ ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଆଲୋଚନା କରିଥିଲେ । ସମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ରହିବାକୁ ସେ ବିଭାଗୀୟ ସଚିବମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏଥିପାଇଁ ବ୍ୟାପକ ମ୍ୟାନ୍ ପାୱାର ଓ ମେସିନାରୀ ପ୍ରସ୍ତୁତ ରଖିବାକୁ ସେ ନିଦେ୍ର୍ଦଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି । ତା’ସହିତ ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ପଦକ୍ଷେପ ନେବାକୁ ସିଏମ୍ଓରୁ ନିଦେ୍ର୍ଦଶ ଆସିଥିବା ମଧ୍ୟ ସେ ଟ୍ୱିଟ୍ କରି ଜଣାଇଛନ୍ତି । ସେ କହିଛନ୍ତି, ବାତ୍ୟା ସମ୍ପର୍କରେ ପାଣିପାଗ ବିଜ୍ଞାନ ବିଭାଗ ଏଯାଏ ସ୍ପଷ୍ଟ କରିନି । କେଉଁଦିନ ଓ କେଉଁଠି ଲ୍ୟାଣ୍ଡଫଲ୍ କରିବ ଏଯାଏ ସ୍ପଷ୍ଟ ହୋଇନି । ତେବେ ଯଦି ବାତ୍ୟା ହୁଏ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଦକ୍ଷେପ ନେଇଛୁ । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇଛି । ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଏହା ସହିତ ଲୋକଙ୍କୁ ଭୟଭୀତ ନହେବାକୁ ଏସ୍ଆରସି ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।
ତେବେ ସାମୁଦ୍ରିକ ଝଡ଼ର ନାମକରଣ ସମ୍ପର୍କରେ ଦେଖିବାକୁ ଗଲେ ବଙ୍ଗୋପସାଗର ଓ ଆରବ ସାଗରରେ ସୃଷ୍ଟି ହେଉଥିବା ବାତ୍ୟାଗୁଡିକର ନାମକରଣ ପାଇଁ ଏକ ରାଷ୍ଟ୍ରଗୋଷ୍ଠୀ ରହିଛି । ଏହି ରାଷ୍ଟ୍ରଗୋଷ୍ଠୀରେ ବାଂଲାଦେଶ, ଭାରତ, ମିଆଁମାର, ମାଳଦ୍ୱୀପ, ଇରାନ, ଓମାନ, ପାକିସ୍ତାନ, କାତାର, ସାଉଦିଆରବ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ୟୁଏଇ ଓ ୟେମେନ ରହିଛନ୍ତି । ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ଅଧୀନ ଆଞ୍ଚଳିକ ସ୍ୱତନ୍ତ୍ର ପାଣିପାଗ କେନ୍ଦ୍ର (ଆରଏସ୍ଏମସି) ଓ ସାମୁଦ୍ରିକ ବାତ୍ୟା ସତର୍କ କେନ୍ଦ୍ର (ଟିସିଡବ୍ଲ୍ୟୁସି) ଦ୍ୱାରା ବାତ୍ୟାଗୁଡିକର ନାମକରଣ କରାଯାଇଥାଏ । ଆରଏସ୍ଏମସି ଓ ଟିସିଡବ୍ଲ୍ୟୁସି ଆଞ୍ଚଳିକ ଭିତ୍ତିରେ ବିଭିନ୍ନ ସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ପାଇଁ ରାଷ୍ଟ୍ର ଗୋଷ୍ଠୀ ଗଠନ କରିଛନ୍ତି । ଆରଏମ୍ଆରସି ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟ ବଙ୍ଗୋପସାଗର ଓ ଆରବ ସାଗରର ବାତ୍ୟା ଗୁଡିକର ନାମକରଣ କରିଥାଏ । ଏଥିପାଇଁ ଗଠିତ ରାଷ୍ଟ୍ରଗୋଷ୍ଠୀ ସୁପାରିସ କରିଥିବା ନାମଗୁଡିକୁ କ୍ରମ ଅନୁଯାୟୀ ଅନୁମୋଦନ କରାଯାଇଥାଏ । ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ନାମକରଣ ମ୍ୟାଁମାରର ନାମ ଅନୁସାରେ ତୌତେ ରଖାଯାଇଥିଲା । ଯାହାର ଅର୍ଥ ଝିଟିପିଟି । ଏବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାର ନାମ ଓମାନର ନାମ ଅନୁଯାୟୀ ‘ୟାସ୍’ ରହିବ । ଏହା ପରେ ଆରବ ସାଗର କିମ୍ବା ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ନାମ ‘ଗୁଲାବ’ ରହିବ । ଏହାକୁ ପାକିସ୍ତାନ ନାମକରଣ କରିଛି । ଏହି କ୍ରମରେ ବାତ୍ୟାର ନାମ ସାହିନ (କାତାର), ଜୋୱାଦ (ସାଉଦି ଆରବ) ଆଦି ରହିବ । ଏହିସବୁ ରାଷ୍ଟ୍ର ୧୬୯ଟି ନାମ ପ୍ରସ୍ତାବିତ ହୋଇଛି । ଉପରୋକ୍ତ ୧୩ଟି ରାଷ୍ଟ୍ର ୧୩ଟି ଲେଖାଏଁ ନାମ ପ୍ରସ୍ତାବ ଦେଇଛନ୍ତି । ତେବେ ଚଳିତମାସ ୨୨ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟା ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।