ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ପରେ ନୂଆ ଡିଏମଇଟି ହେବେ ପ୍ରଫେସର ଡାକ୍ତର ରମାରମଣ ମହାନ୍ତି
ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ(ଡିଏମଇଟି) ନିର୍ଦ୍ଦେଶକ ଭାବେ ଡାକ୍ତର ରମାରମଣ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି । ଡିଏମଇଟି ପ୍ରଫେସର ଡାକ୍ତର ଚିନ୍ମୟ ବିଜୟ କୁମାର ମହାନ୍ତି (ସିବିକେ ମହାନ୍ତି ) ଆସନ୍ତା ୩୧ ତାରିଖରେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ରମାରମଣଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବାରିପଦାସ୍ଥି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଇନଚାର୍ଜ ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ରମାରମଣ ମହାନ୍ତିଙ୍କୁ ରାଜ୍ୟ ଡିଏମଇଟି ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେ ୩୧ତାରିଖ ଅପରାହ୍ନରୁ ଏହି ଦାୟିତ୍ୱ ତୁଲାଇବେ । ସୂଚନାଯୋଗ୍ୟ, ଡାକ୍ତର ସିବିକେ ମହାନ୍ତି ୨୦୧୯ ନଭେମ୍ବର ୪ତାରିଖରେ ରାଜ୍ୟ ଡିଏମଇଟି ଭାବେ ନିଯୁକ୍ତି ପାଇଥିଲେ । ଆସନ୍ତା ୩୧ତାରିଖରେ ସେ ସରକାରୀ ଚାକିରିରୁ ଅବସର ନେବେ ।