ପୁଅର ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ: ସହାୟତା ପାଇଁ ବାପା-ମା’ଙ୍କ ନିବେଦନ

ଆଠଗଡ଼(ଏନ୍.ଏମ୍.): ଗରିବ ପରିବାର ପାଇଁ ଦାଉ ସାଜିଛି ଅର୍ଥ । ନିୟତିର ଖେଳ ବଡ଼ ବିଚିତ୍ର । କାହାକୁ ଦେଉଛି ଛପର ଫାଡ଼ି ତ କାହାଠୁ ନେଉଛି ଭୂଇଁରୁ ତାଡ଼ି । କେବଳ କର୍ମକୁ ଆଦରି ରହିଛନ୍ତି ଗରିବ ପରିବାର । ଆର୍ଥିକ ଅନାଟନ ଭିତରେ ପରିବାର ସିନା କଷ୍ଟେ ମଷ୍ଟେ ଚଳିଯାଉଛି ହେଲେ ରୋଗ ସାଜିଛି ବାଧକ । ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାରେ ଶତଚେଷ୍ଠା ପରେ ବିଫଳ ହେବା ପରେ ଏବେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଆଶାରେ ରହିଛନ୍ତି ପରିବାର । ଯଦି କେହି ଦେବଦୂତ ହୋଇ ତାଙ୍କୁ କିଛି ଆର୍ଥିକ ସହାୟତା କରେ ତେବେ ତାଙ୍କ ପୁଅ ବଞ୍ଚିଯିବା ସହ ପରିବାର ସାରା ଜୀବନ ଋଣୀ ହୋଇ ରହିବେ । ଦେଖନ୍ତୁ ଏହି କୁନି ପିଲାଟିକୁ । ଦୁନିଆର ଭଲମନ୍ଦ ଏପରିକି ନିଜକୁ ଜାଣିବା ପୂର୍ବରୁ ଏକ ଅସାଧାରଣ ରୋଗର ଶିକାର ହୋଇ ପଡ଼ିଛି । କୁନିକୁନି ହାତରେ ସେ କିଛି ଠାରିବା ପୂର୍ବରୁ ଗୋଡ଼ ଦୁଇଟା ତା’ର ଅଚଳ ହେବାକୁ ଯାଉଛି । ପିତା ଜଣେ ବାମନ ହୋଇଥିବାରୁ ସେ ବା କେଉଁଠୁ କେତେ ଟଙ୍କା ରୋଜଗାର କରିପାରିବେ । ଏହାକୁ ନେଇ ସାରା ପରିବାର ବିଚଳିତ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧର ପୁର ପଞ୍ଚାୟତରେ । ଏହି ପଞ୍ଚାୟତର ମାନପୁର ଗ୍ରାମର ବିଜୟ କୁମାର ଶତପଥୀଙ୍କ ପୁତ୍ର ମୃତ୍ୟୁଞ୍ଜୟ ଶତପଥୀ । ବୟସ ୧୦ବର୍ଷ । ପୁଅ ଜନ୍ମ ହେବାପରେ ବାପା ମା’ଙ୍କ ଖୁସି କହିଲେ ନସରେ । ପୁଅ ପାଠ ପଢ଼ିବ, ଭଲ ମଣିଷ ହେବ, ଆଉ ବୃଢ଼ା ଦିନେ ଆମର ବୋଝ କାନ୍ଧକୁ ନେବ । ହେଲେ ସବୁ କିଛି ହୋଇଗଲା ଓଲଟ ପାଲଟ । ପିଲାଟି ଟିକେ ବଡ଼ହେବା ପରେ ଧିରେ ଧିରେ ଗୋଡ଼ ବଙ୍କା ହେବାକୁ ଲାଗିଲା । ଏ ନେଇ ବାପ-ମା’ ମେଡ଼ିକାଲ ନେଲେ, ଦିଅ ଦେବତା ପୂଜିଲେ ହେଲେ ଫଳ ଶୂନ । ତଥାପି ଆଶା ହରାଇ ନାହାନ୍ତି ବିଜୟ, ମୃତ୍ୟୁଞ୍ଜୟକୁ କିମସ୍ ମେଡ଼ିକାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର କହିଲେ, ଯଦି ଏବେ ଗୋଡ଼କୁ ତୁରନ୍ତ ଅସ୍ତ୍ରୋପଚାର କରାନଯାଏ; ତା’ହେଲେ ପିଲାଟି ସାରା ଜୀବନ ଚାଲିପାରିବ ନାହିଁ । ଏହା ଶୁଣିବା ପରେ ବିଜୟଙ୍କ ମୁଣ୍ଡରେ ହଠାତ ଚଡ଼କ ପଡ଼ିଲା । ଅପରେସନ ପାଇଁ ୩ରୁ ୪ଲକ୍ଷ ଟଙ୍କା ଦରକାର । ଆସିବ କୋଉଠୁ । ଲକ୍ଷାଧିକ ଟଙ୍କା ବ୍ୟୟ ନାଁ ଶୁଣିବା କ୍ଷଣି ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । କେଉଁଠୁ ଏତେ ଟଙ୍କା ପାଇବେ କିଛି ବୁଦ୍ଧିବାଟ ଦିଶୁନି । ତେବେ ଏ ନେଇ ବାରମ୍ବାର ପ୍ରଶାସିନ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେବେ ପିଲାଟି କେମିତି ଭଲ ହେବ ସେ ନେଇ ବାପ-ମା’ଙ୍କ ମୁଣ୍ଡକୁ ବୁଦ୍ଧି ଦିଶୁନାହିଁ । ତେଣୁ ମୃତ୍ୟୁଞ୍ଜୟର ଚିକିତ୍ସା ପାଇଁ ଯଦି କେହି ସହୃଦୟ ବ୍ୟକ୍ତି କିଛି ଆର୍ଥିକ ସହାୟତା ଦିଅନ୍ତି ତେବେ ପରିବାର ଲୋକେ ତାଙ୍କ ନିକଟରେ ଋଣୀ ହୋଇ ରହିବେ । ତେବେ ମୃତ୍ୟୁଞ୍ଜୟର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବା ଘଟଣା ଜାଣିବା ପରେ ‘ଜଷ୍ଟ ଫର ୟୁ ସେବା ସଂଘ’ ପକ୍ଷରୁ ପ୍ରତିଷ୍ଠାତା ସୁଧାଂଶୁ ଶେଖର ସାହୁ, ସାମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ ପ୍ରମୁଖ ତାଙ୍କ ପରିବାରକୁ ୧୦ହଜାର ଟଙ୍କା ଦେଇଛନ୍ତି । ସଂଗଠନ ପକ୍ଷରୁ ପାୟଲ ବର୍ମା, ସ୍ମୃତିରଞ୍ଜନ ସ୍ୱାଇଁ, ବିଚିତ୍ରାନନ୍ଦ ସାହୁ, ଅମ୍ଳାନ ପରିଡା, ସୁବ୍ରତଜିତ ନାୟକ, ସମ୍ବିତ ପ୍ରଧାନ ପ୍ରମୁଖ ଏହି ଅର୍ଥ ପ୍ରଦାନ କରିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ଏହି କୁନିପିଲାଟିର ଚିକତ୍ସା ପାଇଁ ଆର୍ଥିକ ସହାୟତା ଦେବାକୁ ଚାହାନ୍ତି ତେବେ ମୃତ୍ୟୁଞ୍ଜୟଙ୍କ ମାତା ସୁଜାତା ଶତପଥୀଙ୍କ -୭୦୭୭୨୨୩୧୬୮ ମୋବାଇଲ ନମ୍ବରକୁ ଯୋଗାଯୋଗ କରିପାରିବେ କିମ୍ବା ଏହି ନମ୍ବରରେ ଫୋନ ପେ ମାଧ୍ୟମରେ ମଧ୍ୟ ସହାୟତା ଦେଇପାରିବେ ।