ନାବାଳିକାକୁ ଅସଦାଚରଣ କରି ବନ୍ଧାହେଲେ ଯୁବକ

ଜଗତପୁର(ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ ନାବାଳିକା, ଯୁବତୀ ଆଦି ଅସଦାଚରଣର ଶିକାରରୁ ବର୍ତ୍ତି ପାରି ନାହାନ୍ତି । କେଉଁଠି ରାଗିଂର ଶିକାର ହେବାକୁ ପଡ଼ୁଛି ତ ଆଉ କେଉଁଠି ରାସ୍ତାରେ ଯିବାବେଳେ ବି ବିଭିନ୍ନ ପିଲାଙ୍କ ଠାରୁ ଅଶ୍ଳିଳ ଇଙ୍ଗିତ ଆଦି ମିଳୁଛି । କେବଳ ସେତିକି ନୁହେଁ ଝିଅମାନଙ୍କୁ ପ୍ରେମଜାଲରେ ଫସାଇ ପ୍ରତାରଣା ଦେବା ଭଳି ଘଟଣା ମଧ୍ୟ ବହୁଳ ଭାବେ ଘଟି ଚାଲିଛି । ତେଣୁ ଆଜିର ଦିନରେ ମହିଳା ହୁଅନ୍ତୁ ବା ନାବାଳିକା ସୁରକ୍ଷିତ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସେହିଭଳି କଟକ ଜିଲ୍ଲା ଜଗତପୁର କମିଶନରେଟ ଥାନା ଅଞ୍ଚଳରେ ନାବାଳିକା ଛାତ୍ରୀଙ୍କୁ ଜଣେ ଯୁବକ ଅସଦାଚରଣ କରି ବନ୍ଧା ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ସ୍ଥାନୀୟ ସ୍କୁଲରେ ପଢୁଥିବା ଜଣେ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଜଗତପୁର ପୋଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଜଗତପୁର ଥାନା ଅନ୍ତର୍ଗତ ମଠସାହିର ଗୁରୁଚରଣ ସାହୁ ଓରଫ ସିପୁନ(୨୧) ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ ସଂପୃକ୍ତ ଯୁବକ ଜଣକ ରାସ୍ତାରେ ଛକି ରହୁଥିବାବେଳେ ଉକ୍ତ ନାବାଳିକା ଜଣକ ସ୍କୁଲକୁ ଯିବାଆସିବା ସମୟରେ କମେଟ ମାରିବା, ଅସଦାଚରଣ କରିବା ସହ ଖରାପ ଭାଷା ପ୍ରୟୋଗ କରିଥାନ୍ତି । ଏଭଳି ବାରମ୍ବାର କରିବା ଯୋଗୁଁ ଅତିଷ୍ଠ ହୋଇ ନାବାଳିକା ଜଣକ ତାଙ୍କ ଘରେ କହିଥିଲେ । ତେବେ ଝିଅକୁ ଏଭଳି ଦୁର୍ବ୍ୟବହାର କରିବା ଜାଣିବା ପରେ ପରିବାର ଲୋକେ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଅଭିଯୋଗକୁ ଭିତ୍ତିକରି ଜଗତପୁର ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପଚରାଉଚରା ସମୟରେ ଅଭିଯୁକ୍ତ ସିପୁନ ସ୍ୱୀକାର କରିଥିଲା । ପୁଲିସ ସିପୁନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।