ନକଲି କରୋନା ଔଷଧ ଜବତ ଘଟଣା: ତଦନ୍ତ ପାଇଁ ଏସଟିଏଫର ସ୍ୱତନ୍ତ୍ର ଟିମ୍ ଗଠିତ
କଟକ(ଏନ୍.ଏମ୍.): କରୋନା ମହାମାରୀ ସମୟରେ ନକଲି ଔଷଧ ଜବତ ହେବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ କ୍ରାଇମ୍ ବ୍ରାଞ୍ଚର ଏସଟିଏଫ ଏହି ଘଟଣାର ତଦନ୍ତ କରିବ ବୋଲି ପୁଲିସ ଡିଜି ଅଭୟ କହିଛନ୍ତି । ଏଥିପାଇଁ ଏସଟିଏଫ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଛି । ତେବେ ଡ୍ରଗ୍ କଣ୍ଟ୍ରୋଲରଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ପରେ ତଦନ୍ତର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି । ଏହି ଔଷଧ କାରବାର ପଛରେ ଏକ ବଡ଼ ରାକେଟ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଆଦି ରାଜ୍ୟର ସମ୍ପୃକ୍ତ ରହିଥିବାରୁ ତଦନ୍ତକାରୀ ଦଳ ଓଡ଼ିଶା ସହ ଏହି ସବୁ ରାଜ୍ୟକୁ ଯାଇ ମଧ୍ୟ ତଥ୍ୟ ପ୍ରମାଣ ଯୋଗାଡ଼ କରିବ ବୋଲି ଶ୍ରୀ ଅଭୟ କହିଛନ୍ତି । ହରିୟାନା ସରକାରଙ୍କ ଗୁଇନ୍ଦା ତଥ୍ୟକୁ ଆଧାର କରି ଗତ ଶୁକ୍ରବାର ଡ୍ରଗ୍ କଣ୍ଟ୍ରୋଲରଙ୍କ ପକ୍ଷରୁ କଟକ କନିକା ଛକ ଏସବିଆଇ ଲେନରେ ଥିବା ମେଡ଼ିଲୟେଡ଼ ମେଡ଼ିକାମେଣ୍ଟ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ମେଡ଼ିସିନ ଗୋଦାମରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଉକ୍ତ ଗୋଦାମରେ ଥିବା ଫାଭିମାକସ -୪୦୦ ମେଡ଼ିସିନ ମିଳିଥିଲା । ଏହି ମେଡ଼ିସିନ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରର ମାକସ ରିଲିଫ ହେଲଥ କେୟାରରୁ କିଣାଯାଇଥିବା ଜଣା ପଡ଼ିଥିଲା । ଉକ୍ତ ମେଡିସିନ ଉପରେ ହିମାଞ୍ଚଳ ପ୍ରଦେଶ ସୋଲାନରେ ଥିବା ମାକସ ରିଲିଫ ହେଲଥ କେୟାର ନାମକ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଲେଖାଥିଲା । ତେବେ ହିମାଞ୍ଚଳ ପ୍ରଦେଶର ସୋଲାନରେ ଏହି ନାମରେ କୌଣସି କମ୍ପାନୀ ନଥିବା ଜଣାପଡ଼ିଥିଲା । କଟକର ଏହି ଫାର୍ମ ୫୮ ହଜାର ଫାଭିମାକସ କିଣିଥିବା ବେଳେ ଗତ ମଇ ମାସରେ ସଂପୃକ୍ତ ଗୋଦାମ ମାଲିକ ମଧ୍ୟପ୍ରଦେଶ ଗ୍ୱାଲିୟରର ଜଣେ ଔଷଧ ବ୍ୟବସାୟୀ ଶ୍ରୀ ମହାଦେବ ମେଡ଼ିକାଲସ ଆଣ୍ଡ ସର୍ଜିକାଲସକୁ ୪୦୬୦ ଷ୍ଟ୍ରିପ ମେଡିସିନ ପଠାଇଥିଲେ । ଏହି ବିଷୟ ଜଣାପଡିବା ପରେ ରାଜ୍ୟ ଡ୍ରଗ୍ କଣ୍ଟ୍ରୋଲର ତୁରନ୍ତ ମଧ୍ୟପ୍ରଦେଶ ସରକାରଙ୍କ ଡ୍ରଗ୍ କଣ୍ଟ୍ରୋଲରଙ୍କୁ ଅବଗତ କରାଇଥିଲେ । ଅବଶିଷ୍ଟ ୧୭ ହଜାର ୪୦୦ ଟାବଲେଟକୁ ଜବତ କରାଯାଇଥିଲା । ଜବତ ମେଡିସିନରୁ ୪୦୦ ଟାବଲେଟ ମାନ ଯାଞ୍ଚ ଲାଗି ନମୂନା ସ୍ୱରୂପ ଭୁବନେଶ୍ୱାର ସ୍ଥିତ ଲ୍ୟାବକୁ ପଠାଯାଇଥିଲା । ଆବଶ୍ୟକ ପଡିଲେ ଅଧିକ ପରୀକ୍ଷା ନିମନ୍ତେ କଲିକତା ସ୍ଥିତ ସେଣ୍ଟ୍ରାଲ ଲ୍ୟାବକୁ ମଧ୍ୟ ନମୁନା ପଠାଯିବ । ରିପୋର୍ଟ ଆସିବା ପରେ ଏସବୁ ଔଷଧ ନକଲି କି ନାହିଁ ଜଣା ପଡ଼ିବ । ଏହି ଘଟଣା ଜଣା ପଡ଼ିବା କ୍ଷଣି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ପ୍ରଦୀପ୍ତ ମାହାପାତ୍ର ଘଟଣାର ମିଳିତ ତଦନ୍ତ ପାଇଁ ଡ୍ରଗ୍ କଣ୍ଟ୍ରୋଲର ଓ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରଠୁ ଡ୍ରଗ କଣ୍ଟ୍ରୋଲ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି । ଏହା ମଧ୍ୟରେ କଟକ ଜିଲ୍ଲା ସମେତ ବାରିପଦା, ମୟୁରଭଞ୍ଜ, କଳାହାଣ୍ଡି, ସୁନ୍ଦରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ୍ନ ମେଡିସିନ ଷ୍ଟକିଷ୍ଟରେ ଚଢଉ କରାଯାଇଛି । ଗତ ଶନିବାର ମଙ୍ଗଳାବାଗ ମହ୍ଲାସାହି ସ୍ଥିତ ଏକ ମେଡିସିନ ଗୋଦାମରେ ଚଢାଉ କରାଯିବା ସମୟରେ ସୋଲାନ ସ୍ଥିତ ମ୍ୟାକ୍ସ ହେଲଥ କେୟାର ଲିମିଟେଡ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଅନ୍ୟ ୫ ପ୍ରକାରର ଔଷଧ ଜବତ କରାଯାଇଥିଲା । ଏହି ସବୁ ଔଷଧର ମାନ ଯାଞ୍ଚ ଲାଗି ନମୂନା ଲ୍ୟାବକୁ ପଠାଯାଇଥିବା ଜଣାପଡ଼ିଛି ।