ନକଲି ଔଷଧ କାରବାର: ଏସଟିଏଫ ଦ୍ୱାରା ୩ ଗିରଫ
କଟକ(ଏନ୍.ଏମ୍.): ନକଲି ଔଷଧ ବିକ୍ରି କରିବା ଅଭିଯୋଗରେ ଏସ୍ଟିଏଫ୍ ୩ଜଣଙ୍କୁ ଗିରଫ କରିଛି । ନକଲି ଔଷଧ ବିକ୍ରିକରୁଥିବା ‘ମେଡିଲୋୟଡ୍ ମେଡିକମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍’ର ୩ଜଣଙ୍କୁ ଗିରଫ ଏବଂ କୋର୍ଟଚାଲାଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିବାବେଳେ ତଦନ୍ତ ଜାରିରହିଛି ବୋଲି କ୍ରାଇମ୍ବ୍ରାଞ୍ଚ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଯଶୋୱନ୍ତ ଜେଠୱା ସୂଚନା ଦେଇଛନ୍ତି ।
କ୍ରାଇମ୍ବ୍ରାଞ୍ଚ ଏଡିଜି ଶ୍ରୀ ଜେଠୱାଙ୍କ ସୁଚନା ମୁତାବକ, ଓଡ଼ିଶାରେ ନକଲି ଔଷଧ ବିକ୍ରି ହେଉଥିବାନେଇ ଡ୍ରଗ୍ କର୍ତୃପକ୍ଷ ଏସ୍ଟିଏଫ୍ରେ ଏକ ରିପୋର୍ଟ ଦାଖଲ କରିଥିଲେ । ନକଲି ଔଷଧ ବିଶେଷତଃ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ଥିବା ଔଷଧ ଫାଭିମାକ୍ସ-୨୦୦ ଏବଂ ଫ୍ୟାଭିମାକ୍ସ-୪୦୦(ଫାଭିପିରାଭିର୍) ବିକ୍ରି ହେଉଥିବା ସୂଚନା ମିଳିଥିଲା । ସେହି ଅନୁଯାୟୀ ଡ୍ରଗ୍ସ ଏବଂ କସ୍ମେଟିକ୍ ଆକ୍ଟ ୧୯୪୦ ଅନୁଯାୟୀ ନକଲି ଔଷଧ ବିକ୍ରି, ଜାଲିଆତି, ଠକେଇ ଓ ଷଡ଼ଯନ୍ତ୍ର ଭଳିସଙ୍ଗୀନ ମାମଲା ରୁଜୁ କରାଯାଇଥିଲା । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ ପାଇଁ ଏସ୍ଟିଏଫ୍ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଓଡ଼ିଶା, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢଉ କରି ଉକ୍ତଟିମ୍ ତଥ୍ୟ ଏବଂ ପ୍ରମାଣ ସଂଗ୍ରହ କରିଥିଲେ ।
ଏଡିଜି ଶ୍ରୀ ଜେଠୱାଙ୍କ ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶସ୍ଥିତ ସୋଲାନ୍ ନାମକ ସ୍ଥାନରେ ‘ମ୍ୟାକ୍ସ ରିଲିଫ୍ ହେଲ୍ଥ କେୟାର’ ନାମକ ଏକ କମ୍ପାନୀ ଫାଭିମାକ୍ସ ଟାବ୍ଲେଟ୍ ପ୍ରସ୍ତୁତକରି ମାର୍କେଟିଂ କରୁଥିଲା । ଏହି କମ୍ପାନୀକୁ ଦୁଇଜଣ ବ୍ୟକ୍ତି ଚଳାଉ ଥିବାବେଳେ ଦୁହିଁଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି । ଏହା ବ୍ୟତୀତ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ମାମଲା ରହିଥିବା ଏସ୍ଟିଏଫ୍ ଜାଣିବାକୁ ପାଇଥିଲା । ଓଡ଼ିଶାରେ ଥିବା ‘ମେଡିଲୋୟଡ୍ ମେଡିକମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍’ କମ୍ପାନୀ ‘ମ୍ୟାକ୍ସ ରିଲିଫ୍ ହେଲ୍ଥ କେୟାର’ ସହ ଷଡଯନ୍ତ୍ର କରି ଫାଭିମାକ୍ସ ଟାବ୍ଲେଟ୍ ବହୁତ କମ୍ ଦାମରେ ହାସଲ କରିଥିଲା । ପ୍ରତିଷ୍ଟ୍ରିପ୍(୧୦ଟି) ଟାବ୍ଲେଟ୍ର ମୂଲ୍ୟ ମାତ୍ର ୬୫ଟଙ୍କା ହୋଇଥିବା ବେଳେ ‘ମେଡିଲୋୟଡ୍ ମେଡିକା ମେଣ୍ଟ କମ୍ପାନୀ ପ୍ରତିଷ୍ଟ୍ରିପ୍ ପିଛା (୧୦ଟି)ର ମୂଲ୍ୟ ୧୨୯୦ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରୁଥିଲା । ଏଭଳି ତଥ୍ୟ ଏବଂ ପ୍ରମାଣ ଏସ୍ଟିଏଫ୍ ହାତରେ ଲାଗିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା । ସେହି ଅନୁଯାୟୀ ଆଜି ‘ମେଡିଲୟଡ୍ ମେଡିକମେଣ୍ଟ’ କମ୍ପାନୀର ନିର୍ଦ୍ଦେଶକ ଏବଂ ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିବାବେଳେ ତଦନ୍ତ ଜାରି ରହିଛି ବୋଲି ଏଡିଜି ଶ୍ରୀ ଜେଠୱା ସୂଚନା ଦେଇଛନ୍ତି ।