ଦେବାଶିଷ ପାଣିଗ୍ରାହୀଙ୍କ ଉଦ୍ଦେଶ୍ୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଶୋକ
କଟକ(ଏନ୍.ଏମ୍.): ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସ୍ୱର୍ଗତ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ ଉଦ୍ଦେଶ୍ୟରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଭିଜିଲାନ୍ସ ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକ ସଭାରେ ନିର୍ଦ୍ଦେଶାଳୟ ଓ ସମସ୍ତ ଡିଭିଜନ, ଭୁବନେଶ୍ୱର ଲୋକସେବା ଭବନସ୍ଥିତ ଭିଜିଲାନ୍ସ ସ୍ପେଶାଲ ସେଲ ଓ ଭିଜିଲାନ୍ସ ସେଲ ୟୁନିଟର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ କୋଭିଡ ନିୟମାବଳୀ ଅନୁସରଣ ପୂର୍ବକ ସ୍ୱର୍ଗତ ପାଣିଗ୍ରାହୀଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବକ ତାଙ୍କ ଜଣେ ଦକ୍ଷ ପୁଲିସ ଅଧିକାରୀ, ସୁସାହିତ୍ୟିକ, ଲେଖକ ଓ ଗାଳ୍ପିକ ଭାବେ ଅଭିହିତ କରିଥିଲେ । ତାଙ୍କ ଅସମୟ ମୃତ୍ୟୁରେ ସମସ୍ତେ ଦୁଃଖିତ ଓ ମର୍ମାହତ ହୋଇପଡ଼ିଛନ୍ତି । ତାଙ୍କର ଅନୁପସ୍ଥିତି ଓଡ଼ିଶା ଭିଜିଲାନ୍ସ ପାଇଁ ଅପୂରଣୀୟ କ୍ଷତି ବୋଲି ମତପ୍ରକାଶ ପାଇଥିଲା । ତାଙ୍କ ଆଦର୍ଶ, ସତ୍ୟପରାୟଣତାକୁ ପାଥେୟ କରି କାର୍ଯ୍ୟକରିବାକୁ ଅଧିକାରୀମାନେ ମତପ୍ରକାଶ କରିବା ସହ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ପାଣିଗ୍ରାହୀଙ୍କ ସମୟରେ ଭୁବନେଶ୍ୱର ଠାରେ ରାଜ୍ୟ ଭିଜିଲାନ୍ସ ଏକାଡେମୀ ଏବଂ ରାଉରକେଲା ଠାରେ ନୂତନ ଭାବେ ଡିଭିଜନ ଗଠନ ଆଦି ଉଲ୍ଲେଖନୀୟ କାର୍ଯ୍ୟ ସାଧିତ ହୋଇପାରିଥିଲା । ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ଆଇଜି ଭିଜିଲାନ୍ସ ସଞ୍ଜୟ କୁମାର କୌଶଲ, ଆଇନ ପରାମର୍ଶଦାତା ଆର.ଏସ. ହୋତା, ଏଆଇଜି ଅନିଲ କୁମାର ପାତ୍ରଙ୍କ ସମେତ ବହୁ ପଦାଧିକାରୀ ଓ କର୍ମଚାରୀ ଉପସ୍ଥିତଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ପାଣିଗ୍ରାହୀଙ୍କ ଅମରଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ।