ଦଳୀୟ ବିଶୃଙ୍ଖଳା ଅଭିଯୋଗରେ କର୍ମୀଙ୍କୁ ନିଲମ୍ବନ କଲା ବିଜେଡି
କଟକ(ଏନ୍.ଏମ୍.): କଟକ ମହାନଗର ନିଗମ ପୌର ନିର୍ବାଚନରେ ବିଜେଡିର ଅପୂର୍ବ ବିଜୟ ହୋଇଛି । ମାତ୍ର କେତେକ ୱାର୍ଡ଼ରେ ବିଜେଡିର କିଛି କର୍ମକର୍ତ୍ତା ଦଳ ବିରୋଧରେ କାର୍ଯ୍ୟକରିବା ଅଭିଯୋଗ ଆସିବା ପରେ ସେମାନଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରାଯାଇଛି ।
ସୂଚନା ଅନୁଯାୟୀ କଟକ ମହାନଗର ନିଗମ ୨ନମ୍ବର ୱାର୍ଡ଼ରେ ବିଜେଡି ୱାର୍ଡ଼ ସଭାନେତ୍ରୀ ଇତିଶ୍ରୀ ବେହେରା ଏବଂ ୨୬ ନମ୍ବର ୱାର୍ଡ଼ ସଭାପତି ଚନ୍ଦନ ଦାସଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା କଟକ ନଗର ବିଜେଡି ସଭାପତି ମଧୁସୂଦନ ସାହୁ ସୂଚନା ଦେଇଛନ୍ତି । ସେହିଭଳି କଟକ ବିଜେଡି ସାଧାରଣ ସମ୍ପାଦକ ତ୍ରିଲୋଚନ ପଣ୍ଡା ମଧ୍ୟ ଦଳବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ଦଳରୁ ନିଲମ୍ବନ କରାଯାଇଛି । ପୁନଶ୍ଚ ସିଏମସି ୪୮ ନମ୍ବର ୱାର୍ଡ଼ ବିଜୁ ଛାତ୍ର ଜନତା ଦଳ ସଭାପତି ରୁଦ୍ରନାରାୟଣ ମହାମାତ୍ର ଏବଂ ଉକ୍ତ ୱାର୍ଡ଼ ମହିଳା ସଭାନେତ୍ରୀ ଇତିଶ୍ରୀ ପଣ୍ଡା ନିଲମ୍ବନ ହୋଇଛନ୍ତି ।