ତାମିଲନାଡୁରେ ହେଲକପ୍ଟର ଦୁର୍ଘଟଣା: ସିଡିଏସ୍ ବିପିନ ରାୱତଙ୍କ ସମେତ ୧୩ ମୃତ

ତାମିଲନାଡୁରେ ହେଲକପ୍ଟର ଦୁର୍ଘଟଣା: ସିଡିଏସ୍ ବିପିନ ରାୱତଙ୍କ ସମେତ ୧୩ ମୃତ

ତାମିଲନାଡୁରେ ହେଲକପ୍ଟର ଦୁର୍ଘଟଣା: ସିଡିଏସ୍ ବିପିନ ରାୱତଙ୍କ ସମେତ ୧୩ ମୃତ


ନୂଆଦିଲ୍ଲୀ(ଏନ୍‍.ଏମ୍‍.): ତାମିଲନାଡୁରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ରାୱତଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ଜେନେରାଲ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ପ୍ରାଣ ହରାଇଛନ୍ତି । ଏବେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂହ ୱେଲିଂଟନରେ ଥିବା ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବାୟୁସେନା ଟ୍ୱିଟ କରି କହିଛି ଯେ, ସିଡିଏସ ଜେନେରାଲ ବିପିନ ରାୱତ ଆଜି ତାମିଲନାଡୁର ନୀଲଗିରି ହିଲ୍ସର ୱେଲିଂଟନଠାରେ ଥିବା ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ସେଠାରେ ସେ ଷ୍ଟାଫ କୋର୍ସର ଅଫିସର ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥାନ୍ତେ । ତେଣୁ ୮ତାରିଖ ବୁଧବାର ଜେନେରାଲ ରାୱତ ଦିଲ୍ଲୀରୁ କୋଏମ୍ବାଟୁରର ସୁଲୁର ଯାଇଥିଲେ । ସେଠାରୁ ଏମଆଇ ୧୭ ଭି୫ ହେଲିକପ୍ଟର ଦ୍ୱାରା ନୀଳଗିର ହିଲ୍ସରେ ଥିବା ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ସିଡିଏସ୍‌ଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ରହିଥିଲେ । ଏମାନଙ୍କ ବ୍ୟତୀତ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୪ ଜଣ ହେଲିକପ୍ଟରରେ ଉଡ଼ାଣ ଭରିଥିଲେ । କିନ୍ତୁ ଓଟ୍ଟୀ ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ କରି ଯାଇଥିଲା । ମଧ୍ୟାହ୍ନ ପ୍ରାୟ ୧୨.୨୦ରେ ଏହି ଘଟଣା ଘଟିଥିଲା । ମୁଖ୍ୟ ରାସ୍ତା ଠାରୁ ୧୦କିମି ଦୂର ଜଙ୍ଗଲିଆ ଅଞ୍ଚଳରେ ହେଲିକପ୍ଟର କ୍ରାଶ ହୋଇଥିବା ପ୍ରଥମେ ସ୍ଥାନୀୟ ଲୋକ ସୂଚନା ଦେଇଥିଲେ । ଏହାପରେ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ହେଲିକପ୍ଟରଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଏକାଧିକ ବଡ଼ବଡ଼ ଗଛ ଭାଙ୍ଗି ଯାଇଛି । ସେହିପରି ପ୍ରଥମେ ୪ ଜଣଙ୍କ ମୃତଦେହ ମିଳିଥିଲା । ତେବେ ବିଭିନ୍ନ ଗଣମାଧ୍ୟମର ସୂଚନା ଅନୁଯାୟୀ କୋଏମ୍ବାଟୁର ଓ ସୁଲୁର ମଧ୍ୟରେ ଏହି ଘଟଣା ଘଟିଛି । ଉକ୍ତ ଅଞ୍ଚଳରେ କିଛି ଦିନ ହେଲା ଖରାପ ପାଗ ଲାଗି ରହିଛି । ପ୍ରବଳ କୁହୁଡ଼ି ସହ ଭିଜିବିଲିଟ୍ କ୍ଷମତା ଅତ୍ୟନ୍ତ ଦୁର୍ବଳ ରହିଥିଲା । ଏହି କାରଣରୁ ପାଇଲଟ ହେଲିକପ୍ଟରକୁ ପ୍ରଥମେ ଗୋଟିଏ ଗଛରେ ପିଟି ଦେଇଥିଲେ । ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରଥମେ ସେମାନେ ବିସ୍ଫୋରଣର ଶବ୍ଦ ଶୁଣିଥିଲେ । ଏହା ଶୁଣି ଜଣେ ବ୍ୟକ୍ତି ବାହାରକୁ ଚାହିଁଲା ବେଳକୁ ଗୋଟିଏ ହେଲିକପ୍ଟର ଗଛରେ ପିଟି ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ । ବ୍ୟକ୍ତି ଜଣଙ୍କ ତୁରନ୍ତ ଅନ୍ୟମାନଙ୍କୁ ଖବର ଦେଇଥିଲେ । ଦେଶର ପ୍ରଥମ ସିଡିସିଏସ୍ ଭାବେ ୬୩ ବର୍ଷୀୟ ଜେନେରାଲ ରାୱତ ୨୦୧୯ ଜାନୁଆରୀ ମାସରେ ଦାୟିତ୍ୱ ନେଇଥିଲେ । ଏଥିସହ ତାଙ୍କୁ ନୂଆ କରି ତିଆରି ହୋଇଥିବା ମିଲିଟାରୀ ବ୍ୟାପର ବିଭାଗର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ଦିଆଯାଇଛି । ଜେନେରାଲ ରାୱତ ଓ ଅନ୍ୟ ୧୨ ଜଣଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ