ଡକାୟତି ଯୋଜନା ପଣ୍ଡ: ଗିରଫ ହେଲେ ୫ ହାଇୱେ ଲୁଟରା, ଜବତ ହେଲା ମାରଣାସ୍ତ୍ର
କଟକ(ଏନ୍.ଏମ୍.): କଟକ କମିଶନରେଟ ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଯୋଜନା ଚାଲିଥିବାବେଳେ ଚାଉଳିଆଗଞ୍ଜ ଥାନା ପୁଲିସ ଏହାର ପର୍ଦ୍ଦାଫାସ କରିଛି । ଖବର ପାଇ ପୁଲିସ ଅତର୍କିତ ଚଢାଉ କରି ୫ ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ରିଭଲଭର, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ଛୁରି, ଗୋଟିଏ ଲୁହା ରଡ଼, ୪ଟି ମୋଟର ସାଇକେଲ ଓ ୮ଟି ୧୨ ଭୋଲଟ ବ୍ୟାଟେରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଦୋଳମଣ୍ଡପ ସାହିର ବିଶ୍ୱଜିତ ମହାରଣା ଓରଫ ମିଲନ(୨୩), ପୋତାପୋଖରୀର ସୁଧିର ଦାସ ଓରଫ ଗେଡ଼(୨୧), ଗୋପବନ୍ଧୁ ନଗରର ବିନୋଦ କୁମାର ସ୍ୱାଇଁ ଓରଫ ବାବୁ(୨୧), ବିଦ୍ୟାଧରପୁର ଛକାସାହିର ଦେବାଶିଷ ମହାରଣା ଓରଫ ଜଗା(୨୧) ଓ ଷଷ୍ଠ ବାଟାଲିୟନ କ୍ୟାମ୍ପସ ଓଏମପି ବସ୍ତିର ଅଜୟ ଦେହୁରି ଓରଫ ନଣ୍ଡା(୨୫) ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତ କାଲି ରାତିରେ ବିଦ୍ୟାଧରପୁର ତେଲି ସାହି ପଡ଼ିଆ ନିକଟରେ କେତେକ ଯୁବକ ମାରାଣାସ୍ତ୍ର ସହ ଏକତ୍ରିତ ହୋଇ ଜାତୀୟ ରାଜପଥ ୫୫ରେ ଡକାୟତି କରିବାକୁ ଯୋଜନା କରୁଥିଲେ । ଏତିକିବେଳେ ଚାଉଳିଆଗଞ୍ଜ ପୁଲିସ ନିକଟରେ ଗୁପ୍ତ ସୂଚନା ପହଞ୍ଚôଥିଲା । ତଦନୁଯାୟୀ ଥାନା ପକ୍ଷରୁ ଚଢାଉ କରାଯାଇ ୫ ଜଣଙ୍କୁ କାବୁ କରାଯିବା ସହ ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ଛୁରି, ଲୁହା ରଡ଼, ଗୋଟିଏ ହୁଣ୍ଡା ସାଇନି (ଓଡ଼ି ୦୫ ଜେଡ଼ ୪୪୬୨), ଗୋଟିଏ ୟାମାହା ଏଫଜେଡ଼ଏସ (ଓଡ଼ି ୦୫ ଏଏସ ୬୨୧୪) ଓ ହୁଣ୍ଡା ଡିଓ (ଓଡ଼ି ୦୫ ଏଜେଡ଼ ୦୩୬୨) ଜବତ କରାଯାଇଥିଲା । ଜାତୀୟ ରାଜପଥ ମାଛ ଟ୍ରକ୍ ଆଦିରୁ ସେମାନେ ନିୟମିତ ଡକାୟତି କରୁଥିବା ପଚରା ଉଚରା ସମୟରେ ସ୍ୱୀକାର କରିଥିଲେ । ସେମାନଙ୍କ ତଥ୍ୟ ଆଧାରରେ ୮ଟି ୧୨ ଭୋଲଟ ଟ୍ରକ୍ ବ୍ୟାଟେରି ମଧ୍ୟ ଜବତ କରାଯାଇଥିଲା । ଅଭିଯୁକ୍ତ ଗେଡ଼ ବିରୋଧରେ ଚାଉଳିଆଗଞ୍ଜ ଓ ବାଦାମବାଡ଼ି ଥାନାରେ ଗୋଟିଏ ଲେଖାଏ ମାମଲା ରହିଥିବାବେଳେ ଜଗା ବିରୋଧରେ ଚାଉଳିଆଗଞ୍ଜ ଥାନାରେ ୪ଟି ଓ ବାଦାମବାଡ଼ି ଥାନାରେ ଗୋଟିଏ, ନଣ୍ଡା ଓ ବାବୁ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ୩ଟି ଲେଖାଏ ମାମଲା ରହିଥିବା ଜଣାପଡ଼ିଛି । ସେମାନଙ୍କ ଅପରାଧିକ କାର୍ଯ୍ୟ କଳାପର ଛାନ୍ ଭିନ୍ ଜାରିଥିବାବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।