ଜଗତପୁରରେ ନାହିଁ ବସଷ୍ଟାଣ୍ଡ କି ଯାତ୍ରୀ ବିଶ୍ରାମାଗାର: ଅସହ୍ୟ ତାତିରେ ହନ୍ତସନ୍ତ ଲୋକେ
ଜଗତପୁର(ଏନ୍.ଏମ୍.): ଗୋଟିଏ ପଟେ ଗମନାଗମର ସୁବିଧା ପାଇଁ ରାଜ୍ୟସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ବିଭିନ୍ନ ରୁଟରେ ମୋ ବସ ସେବା ଚଳାଇଥିବାବେଳେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଛକ ବଜାର ତଥା ବସ ରହଣୀ ନିମନ୍ତେ ବସଷ୍ଟପ ବ୍ୟବସ୍ଥା କରାଇଛନ୍ତି । ଯାତ୍ରୀମାନେ ଖରା, ବର୍ଷା, ଶୀତରୁ କିଭଳି ସୁରକ୍ଷିତ ଭାବେ ରହି ବସ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବେ ସେ ନେଇ ମଧ୍ୟ ରାଜ୍ୟସରକାର ଗୁରୁତ୍ୱ ଦେଇଛନ୍ତି । ଫଳରେ ପିପିପି ବ୍ୟବସ୍ଥାରେ ବିଭିନ୍ନ ସ୍ଥାନରେ ବସଷ୍ଟପରେ ଯାତ୍ରୀ ରହଣୀ ପାଇଁ ସ୍ଥାୟୀ ବ୍ୟବସ୍ଥା କରିଛନ୍ତି । କିନ୍ତୁ ପ୍ରଶାସିକ ଅବହେଳା ତଥା ଅପରିଣାମଦର୍ଶୀତା ନୀତି ଯୋଗୁଁ ସରକାରଙ୍କ ଏହି ବ୍ୟବସ୍ଥା ବାଟବଣା ହେଉଥିବା ଅଭିଯୋଗ ଉଠିଛି । କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ଗୋଲେଇଛକରୁ ମୁଖ୍ୟତଃ ଯାତ୍ରୀମାନେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୋଳ ସମ୍ବଲପୁର ଭଳି ଦୂରଦୂରାନ୍ତ ଅଞ୍ଚଳକୁ ଯାତାୟତ କରିଥାନ୍ତି । ତେଣୁ ଜଗତପୁର ଗୋଲେଇଛକ ଠାରେ ଯାତ୍ରୀମାନେ ଗନ୍ତବ୍ୟ ପର୍ଯ୍ୟନ୍ତ ଯିବାକୁ ଥିବା ବସକୁ ଅପେକ୍ଷା କରିଥାନ୍ତି । ହେଲେ ଏଠାରେ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ଯାତ୍ରୀ ରହଣୀ ସେଡ ଜନସାଧାରଣଙ୍କ କାମରେ ଆସୁନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ କୁହୁଳୁଛି । ବିଶେଷ କରି ସମ୍ପ୍ରତି ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଥିବାବେଳେ ଯାତ୍ରୀ ମାନେ ଅସହ୍ୟ ତାତିରେ ପାଲତଳେ ବସକୁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି ।
ମୁଖ୍ୟ ବଜାରରେ ବସଷ୍ଟାଣ୍ଡ ଓ ଯାତ୍ରୀ ବିଶ୍ରାମାଗାର ନଥିବାରୁ ପ୍ରତ୍ୟେକ ଦିନ ଶହଶହ ଯାତ୍ରୀ ଖରା, ବର୍ଷା, ଶୀତ କାକରରେ ବସକୁ ଅପେକ୍ଷା କରି ହନ୍ତସନ୍ତ ହେଉଛନ୍ତି । କେଉଁଠି ପାଲ ତଳେ ତ ଆଉ କେଉଁଠି ଦୋକାନ ବାରଣ୍ଡାରେ ବସକୁ ଅପେକ୍ଷା କରି ଯାତ୍ରୀ ମାନେ ଛିଡା ହେଉଥିବାର ଦେଖିବାକୁ ମିଳୁଛି । ୧୯୯୮ ମସିହାରେ ଜାତୀୟ ଓ ରାଜ୍ୟ ରାଜପଥ ସମ୍ପ୍ରସାରଣ ପାଇଁ ମୁଖ୍ୟ ବଜାରରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ସେହି ସମୟରେ ଯାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବା ୨ଗୋଟି ବିଶ୍ରାମାଗାରକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା । ମାତ୍ର ରାଜପଥ ସମ୍ପ୍ରାସାରଣ କାର୍ଯ୍ୟକୁ ଇତିମଧ୍ୟରେ ୨୦ବର୍ଷ ବତିଯାଇଥିଲେ ବି ଜଗତପୁରରେ ବସଷ୍ଟାଣ୍ଡ ଓ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ହୋଇପାରୁନାହିଁ । ଯାହା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଯାତ୍ରୀମାନେ ନାହିଁ ନଥିବାର ସମ୍ମୁଖିନ ହେଉଥିବା ଅଭିଯୋଗ ଉଠିଛି । କଟକ, ଭୁବନେଶ୍ୱର, ପୁରୀ, କେନ୍ଦ୍ରାପଡା, ଯାଜପୁର, ଅନୁଗୁଳୁ, ଭଦ୍ରକ, ବାଲେଶ୍ୱର ସମେତ ବିଭିନ୍ନ ସ୍ଥାନକୁ ଯାଉଥିବା ବସ ଗୁଡିକ ଜଗତପୁର ଗୋଲେଇଛକ ଦେଇ ଦୈନିକ ଯାଆସ କରିଥାନ୍ତି । ଯାତ୍ରୀମାନେ ବସକୁ ଅପେକ୍ଷା କରିବା ସମୟରେ ଧୁଧୁ ଖରା ଓ ଅସହ୍ୟ ତାତି ଯୋଗୁଁ ପାଶ୍ୱର୍ ଦୋକାନ ବାରଣ୍ଡା ଓ ପାଲତଳେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ଏଥିପାଇଁ ଦୋକାନୀମାନଙ୍କୁ ଅସୁବିଧା ହେବାରୁ ସେମାନେ ଯାତ୍ରୀଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରୁଛନ୍ତି । ତେବେ କଟକ ମହାନଗର ନିଗମ ପକ୍ଷରୁ ଗୋଲେଇଛକର ଉଭୟ ପାଶ୍ୱର୍ରେ ବିଜ୍ଞାପନ ଓ ସଚେତନତା ବାର୍ତ୍ତା ଦିଆଯିବା ଉଦ୍ଦେଶ୍ୟରେ ଦୁଇଗୋଟି ହୋର୍ଡିଂ ଲଗାଯାଇଛି । ସେଥିରେ ଯାତ୍ରୀମାନଙ୍କ ବସିବା ନିମନ୍ତେ ସୁବିଧା ଥିଲେ ବି ସ୍ୱଳ୍ପସ୍ଥାନ ରହିଛି । ଏପରିକି ଏହି ବସିବା ଷ୍ଟାଣ୍ଡଟି ଅଧିକ ଉଚ୍ଚତା ହୋଇଥିବାରୁ ମହିଳାମାନେ ବସକୁ ଅପେକ୍ଷା କରିବା ପାଇଁ ଅଧିକ ହଇରାଣ ହେଉଛନ୍ତି । ସେହିପରି ଚୌଦ୍ୱାର, ଟାଙ୍ଗୀ ଓ ଛତିଆ ଆଦି ଅଞ୍ଚଳରୁ ଜଗତପୁର ଲକ୍ଷ୍ମୀନାରୟଣ ସାହୁ ମହାବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନେ ବସକୁ ଅପେକ୍ଷା କରି ଘଣ୍ଟା ଘଣ୍ଟା ଧରି ଖରାରେ ଛିଡାହେଉଥିବା ଦେଖିବାକୁ ମିଳୁଛି । ବିଶେଷକରି ବସରୁ ଓହ୍ଲାଉଥିବା ବହୁ ବୃଦ୍ଧ, ବୃଦ୍ଧା, ମହିଳା, ଗର୍ଭବତୀ, ଦିବ୍ୟାଙ୍ଗ ଓ ଛୋଟଛୋଟ ପିଲାମାନେ ମଧ୍ୟ ଅସହ୍ୟ ତାତିରେ ବସରେ ନିଜ ଅଞ୍ଚଳକୁ ଯିବାପାଇଁ ଅପେକ୍ଷା କରୁଛନ୍ତି । ଅନ୍ୟପକ୍ଷରେ ଗୋଲେଇଛକ ଓଭରବ୍ରିଜ ଉପରେ ବିଭିନ୍ନ ସ୍ଥାନର ବସଗୁଡିକ ଯାଉଥିବାବେଳେ ଯାତ୍ରୀମାନଙ୍କ ଅବଗତ ପାଇଁ କୌଣସି ସୂଚନା ଫଳକ ଲଗାଯାଇନାହିଁ । ଯାହା ଫଳରେ ଯାତ୍ରୀମାନେ ବସ ଫେଲ ମଧ୍ୟ ହେଉଛନ୍ତି । ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଜଗତପୁର ମୁଖ୍ୟ ବଜାରରେ ଅନୂନ୍ୟ ଦୁଇଗୋଟି ସ୍ଥାୟୀ ବିଶ୍ରାମାଗାର ନିର୍ମାଣ କରିବା ଓ ବସ ରହଣୀ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି ।