ଜଗତପୁରରେ ତାରାତାରିଣୀଙ୍କ ବାର୍ଷିକୋତ୍ସବ ଓ ଝାମୁଯାତ୍ରା

ଜଗତପୁର(ଏନ୍.ଏମ୍.): ଜଗତପୁର ଆଇ.ବି ରୋଡ ସ୍ଥିତ ନିମପୁର ନୂତନ ବସ୍ତିରେ ମା ତାରାତାରିଣୀଙ୍କ ବାର୍ଷିକୋତ୍ସବ ଉପଲକ୍ଷେ ପବିତ୍ର ଝାମୁଯାତ୍ରା ବହୁ ନୀତିକାନ୍ତିରେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଯାଇଛି । ମା’ଙ୍କ ମୁଖ୍ୟ ଦେହୁରୀ କୃଷ୍ଣ ନାୟକଙ୍କ ଦ୍ୱାରା ଏହି ଯାତ୍ରା ପରିଚାଳନା କରାଯାଇଥିଲା । ଦୀର୍ଘ ୧୫ ବର୍ଷଧରି ମାଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଗତ ଦୁଇବର୍ଷ ଧରି କରୋନା ମହାମାରୀ କାରଣରୁ ମା’ଙ୍କ ପୀଠରେ ଝାମୁଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ଚଳିତବର୍ଷ କଟକଣା କୋହଳ ହେବାପରେ ଝାମୁଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଥିଲା । ଧୂ ଧୂ ଖରାରେ ରଡ ନିଆଁରେ ଖାଲି ପାଦରେ ଚାଲିବା ସହ ମା’ଙ୍କ ଘଟ ପଟୁଆକୁ ମୁଣ୍ଡରେ ବୋହି ମାନସିକଧାରୀ ନିଜ ଭକ୍ତିର ପରୀକ୍ଷା ଦେଇଥିଲେ । ମାନସିକଧାରୀଙ୍କୁ ଏଥିପାଇଁ ୨୧ ଦିନ ପୂର୍ବରୁ ବହୁ ନୀତିନିୟମ ମାନିବାକୁ ପଡିଥାଏ । କଟକ ସମେତ ପଶ୍ଚିମବଙ୍ଗ ରାଜ୍ୟର ବହୁ ଶ୍ରଦ୍ଧାଳୁ ଏହି ଝାମୁଯାତ୍ରାରେ ସାମିଲ ହୋଇଥିଲେ । ଝାମୁଯାତ୍ରା ଆରମ୍ଭ ହେବା ପୂର୍ବରୁ ମହାନଦୀରେ ମେରୁ ପୂଜା କରାଯାଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ନିମପୁର ନୂତନ ବସ୍ତିରେ ମାଙ୍କ ଝାମୁଯାତ୍ରା ଦେଖିବାପାଇଁ ଶହଶହ ସଂଖ୍ୟକ ଭକ୍ତଶ୍ରଦ୍ଧାଳୁଙ୍କ ମଧ୍ୟରେ ଭିଡ ଲାଗିରହିଥିଲା ।