ଚାଷୀଙ୍କୁ ସରକାରୀ ଯୋଜନା ଅପହଞ୍ଚ: ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ
ଆଠଗଡ଼(ଏନ୍.ଏମ୍.): ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଥିଲେ ମଧ୍ୟ ସେ ସବୁ ବାଟମାରଣା ହୋଇଯାଉଛି । ଫଳରେ ସରକାରୀ ଯୋଜନା ଚାଷୀଙ୍କ ପାଇଁ ଅପହଞ୍ଚ ହୋଇ ପଡ଼ୁଛି । ତେବେ ଏହାର ପ୍ରତିବାଦରେ ଆଜି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ସୂଚନା ଅନୁଯାୟୀ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନାମାନ କରୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଚାଷୀମାନଙ୍କ କୌଣସି ସମସ୍ୟାର ସମାଧାନ ହେଉନାହିଁ । ଯାହା ଫଳରେ ଚାଷୀମାନଙ୍କର ଆର୍ôଥକ ଅବସ୍ଥାରେ ଉନ୍ନତି ଆସୁନାହିଁ । କୃଷିର ଯାନ୍ତ୍ରିକ କରଣ ନିମନ୍ତେ ରାଜ୍ୟସରକାର ୨୦୧୧-୧୨ ଆର୍ଥିକ ବର୍ଷରେ ୮୦ କୋଟି ଟଙ୍କା ସବସିଡ ବରାଦ କରିଥିଲେ । ତାହା କ୍ରମଶଃ ବୃଦ୍ଧି ପାଇ ୨୦୨୦-୨୧ ଆର୍ଥିକ ବର୍ଷରେ ୨୨୪ କୋଟିରେ ପହଞ୍ଚିଥିଲା । ତେବେ ଏହି ୨୦୨୧-୨୨ ଆର୍ଥିକ ବର୍ଷରେ କୃଷି ଯନ୍ତ୍ରପାତି ଓ ଡିଜେଲ ପମ୍ପର ଲୋକ ପ୍ରିୟତା ପାଇଁ ସରକାର ଏହାକୁ ୪୫୪ କୋଟିକୁ ବୃଦ୍ଧି କରିଦେଲେ । ମାତ୍ର ୧୨ ବର୍ଷ ଭିତରେ ସରକାର ହଜାର ହଜାର କୋଟି ଟଙ୍କା ସବସିଡ ବାବଦରେ ଦେଉଥିଲେ ମଧ୍ୟ ତାର ସିଂହ ଭାଗ କେବଳ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ପାୱାର ଟିଲର, ଟ୍ରାକ୍ଟର ଓ ହାର୍ବେଷ୍ଟର କିଣାରେ ବିନିଯୋଗ ହେଉଛି । ଯାହାଦ୍ୱାରାକି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଅନ୍ୟପକ୍ଷରେ ସରକାର କୃଷିର ବିକାଶ ଓ କୃଷକର ଆୟ ବୃଦ୍ଧି ଲକ୍ଷ୍ୟରେ କାଳିଆ ଯୋଜନାରେ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଛନ୍ତି । ପ୍ରତିବର୍ଷ ବିହନ ସାର ଓ କୃଷି ଯନ୍ତ୍ରପାତି କିଣା ବାବଦରେ ୫୦ପ୍ରତିଶତ ସବସିଡ ଦିଆଯାଉଥିଲେ ମଧ୍ୟ ସେଥିରୁ ୮୦ ପ୍ରତିଶତ ବାଟମାରଣା ହେଉଥିବାର ଅଭିଯୋଗ କରିଛି କୃଷକ ମୋର୍ଚ୍ଚା । ଚାଷୀମାନଙ୍କ ଖାତାକୁ ସିଧାସଳଖ ସବସିଡ ଅର୍ଥ ଯିବାପାଇଁ ଡିବିଟି ପ୍ରକ୍ରିୟା କରା ଯାଇଥିଲେ ମଧ୍ୟ ତାହା ପ୍ରକୃତ ଚାଷୀମାନଙ୍କ ଖାତାକୁ ଯାଉନାହିଁ । ମାତ୍ର ଓଡିଶା ବାହାରର ଚାଷୀମାନଙ୍କ ନାମ ଜାଲିଆତି କରି ପଞ୍ଜିକରଣ କରାଯାଇ ସେମାନଙ୍କ ନାମରେ ଦଲାଲମାନଙ୍କ ଜରିଆରେ ସବସିଡ ଅର୍ଥକୁ ବାଟମାରଣା କରାଯାଉଥିବା ବିକ୍ଷୋଭକାରୀମାନେ ଅଭିଯୋଗ ଆଣିଛନ୍ତି । ତେବେ ଚାଷୀମାନଙ୍କୁ ସାର ବିହନ ଓ କୃଷି ଯନ୍ତ୍ରପାତି କିଣାରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଯୋଗାଇ ଦେବା ଭଳି ଦାବି ନେଇ ଆଜି ଆଠଗଡ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳ ଓ କୃଷିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । କଟକ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶଙ୍କର୍ଷଣ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସମାବେଶରେ ଆଠଗଡ଼ ଅଞ୍ଚଳର ବହୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯୋଗଦେଇଥିଲେ । ଯଦି ଆସନ୍ତା ୧୦ ଦିନ ମଧ୍ୟରେ ଏହି ଦାବିଗୁଡିକ ପୂରଣ ନହେଲେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କୃଷି ଭବନ ଓ କୃଷି ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।