ଚଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲା ବୋର୍ଡ଼

ଚଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲା ବୋର୍ଡ଼

ଚଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲା ବୋର୍ଡ଼
‘ନିର୍ଦ୍ଧାରିତ ସମୟରେ ବାହାରିବ ମାଟ୍ରିକ ରେଜଲ୍ଟ , ୭ ଦିନରେ ମିଳିବ ଡିଜିଟାଲ ସାର୍ଟିଫିକେଟ’


#କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳପ୍ରକାଶନକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା (ବୋର୍ଡ଼) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ନିର୍ବାଚନ କାମ ଏଥିରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି କରୁଥିଲେ ବି ମାଟ୍ରିକ ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ପାଇପାରିବେ ଡିଜିଟାଲ ସାର୍ଟିଫିକେଟ । ରେଜଲ୍ଟ ପ୍ରକାଶର ୭ ଦିନ ମଧ୍ୟରେ ଏହି ସାର୍ଟିଫିକେଟ ମିଳିବ ବୋଲି ଆଜି ବୋର୍ଡ ପକ୍ଷରୁ ଆୟୋଜିତ ପ୍ରେସମିଟରେ କୁହାଯାଇଛି । ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା ଅନୁଯାୟୀ, ଗତ କାଲିଠୁ ଖାତାଦେଖା ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୮ତାରିଖ ସୁଦ୍ଧା ଏହାକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଖାତା ଦେଖାକୁ ନିର୍ଭୂଲ କରିବାକୁ ଚଳିତ ବର୍ଷ ‘ଚେକର ଓ ମେକର’ ବ୍ୟବସ୍ଥା କରାଯାଇଛି । ମୂଲ୍ୟାୟନ କେନ୍ଦ୍ରରୁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ଓ ଟେକନିକାଲ ଫାର୍ମ ସହ ଯୋଗାଯୋଗ ରହିଛି । ରେଜଲ୍ଟ ପ୍ରକାଶର ୭ ଦିନ ଭିତରେ ଛାତ୍ରଛାତ୍ରୀମାନେ ଡାଉନଲୋଡ କରି ଡିଜିଟାଲ ସାର୍ଟିଫିକେଟ ପାରିବେ । ରେଜଲ୍ଟ ବାହାରିବାର ୧୫ ଦିନ ମଧ୍ୟରେ ପିଲାମାନେ ସ୍କୁଲରୁ ହାର୍ଡ କପି ଆଣି ପାରିବେ । ଡିଜିଟାଲ କପି ବି ହାର୍ଡକପି ପରି ଗୁରୁତ୍ୱ ବହନ କରିବ । ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ ବ୍ୟବହାର କରି ଉଚ୍ଚତର ଶିକ୍ଷା ପାଇଁ ଆବେଦନ କରିପାରିବେ । ଏବେ ନିର୍ବାଚନ ଡ୍ୟୁଟି ଯୋଗୁ ଶିକ୍ଷକମାନେ ଖାତା ଦେଖା ସହ ସେଥିରେ ମଧ୍ୟ ନିୟୋଜିତ ହେଉଛନ୍ତି । ଏଥିଯୋଗୁ ସାମାନ୍ୟ ଅଧିକ ଚାପ ପଡ଼ୁଥିଲେ ବି ନିର୍ଦ୍ଧାରିତ ସମୟରେ ରେଜଲ୍ଟ ବାହାର କରିବାକୁ ଟାର୍ଗେଟ ରଖାଯାଇଛି ବୋଲି ବୋର୍ଡ ସଭାପତି ଶ୍ରୀ ତରାଇ କହିଛନ୍ତି । ସେହିଭଳି ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ, ପ୍ରତିଦିନ ଶିକ୍ଷକମାନଙ୍କର ନିର୍ବାଚନ ଡ୍ୟୁଟି ପଡ଼ୁଛି । ତେଣୁ ପ୍ରତି ୟୁନିଟରୁ ଶିକ୍ଷକଙ୍କ ସଂଖ୍ୟା କମି ଯାଉଛି । ଶିକ୍ଷକମାନେ ନିର୍ବାଚନ କାମ ସାରି ପରଦିନ ଡ୍ୟୁଟିରେ ଯୋଗ ଦେବାକୁ କୁହାଯାଇଛି । ୧୦ରୁ କମ୍ ଶିକ୍ଷକ ଥିଲେ ବି ଖାତଦେଖା କେବେ ବନ୍ଦ ହେବନି । ଏଥିସହ ସେ କହିଛନ୍ତି, କଡ଼ା ସୁରକ୍ଷା ବ୍ୟବସ୍ଥାରେ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ଚାଲିଛି । ଖାତାଦେଖାରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ସେଣ୍ଟର ସୁପରଭାଇଜର ଓ କ୍ୟାମ୍ପ ଅଫିସରଙ୍କ ନିକଟରେ ନିଜ ମୋବାଇଲ ହସ୍ତାନ୍ତର କରି ଭିତରକୁ ଯାଉଛନ୍ତି । ଏଥିସହ ଖରାକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କେନ୍ଦ୍ରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡ଼ିଲେ ଖାତା ଦେଖା ସମୟ ସକାଳୁ ବି କରାଯାଇ ପାରିବ ବୋଲି ସେ କହିଛନ୍ତି । ଚଳିତ ବର୍ଷ ୫ଲକ୍ଷ ୬୨ ହଜାର ୨୭୯ ପିଲା ମାଟ୍ରିକ ପରୀକ୍ଷା ଦେଇଛନ୍ତି । ୩୦ଟି ଜିଲ୍ଲାରେ ୫୫ ଖାତାଦେଖା ସେଣ୍ଟର ହୋଇଛି । ୧୬,୨୩୫ ଶିକ୍ଷକ ନିୟୋଜିତ ହୋଇଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଖାତାଦେଖା ଚାଲିଛି । ଖାତା ଦେଖାକୁ ସମ୍ପୂର୍ଣ୍ଣ ନିର୍ଭୂଲ କରିବାକୁ ସବୁ ପ୍ରକାର ଉଦ୍ୟମ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି