ଗ୍ରାମୀଣ ଲୋକଙ୍କ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ମୋ ଘର’ ଯୋଜନା, ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ଗ୍ରାମୀଣ ଲୋକଙ୍କ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ମୋ ଘର’ ଯୋଜନା, ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ଗ୍ରାମୀଣ ଲୋକଙ୍କ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ମୋ ଘର’ ଯୋଜନା, ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

News by Smruti Ranjan Tripathy (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଗ୍ରାମୀଣ ଗରିବ ତଥା ବାସହୀନ ଲୋକଙ୍କ ପାଇଁ ରାଜ୍ୟସରକାର ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି । ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବାବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ ନିଷ୍ପତ୍ତି ହେଉଛି ‘ମୋ ଘର’ ଯୋଜନା । ଏହି ବୈଠକରେ ସରକାର ଗ୍ରାମୀଣ ଲୋକମାନଙ୍କ ପାଇଁ ‘ମୋ ଘର’ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ୱାରା ଗ୍ରାମବାସୀମାନେ ନିଜର କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପାଇପାରିବେ । ତେବେ କେଉଁ ହିତାଧିକାରୀମାନେ ଏହାର ଫାଇଦା ଉଠାଇପାରିବେ ଏବଂ କିପରି ଏହାର ଚୟନ କରାଯିବ ସେ ନେଇ ଏକ ଗାଇଡ଼ ଲାଇନ ମଧ୍ୟ ରହିଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଗ୍ରାମାଞ୍ଚଳରେ ବଳକା ରହିଥିବା କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏହି ପ୍ରତିଶ୍ରୁତିକୁ ପୂରଣ କରି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ନୂତନ ଯୋଜନା ‘ମୋ ଘର’କୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାନଦଣ୍ଡ ଦ୍ୱାରା ବାଦ୍ ପଡ଼ିଥିବା ପରିବାର କିମ୍ବା ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ଥିବା ପରିବାର ଏହି ନୂତନ ଯୋଜନାରେ ଉପକୃତ ହୋଇ ପାରିବେ । ସେହିପରି ବିଗତ ବର୍ଷରେ ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଏହି ଯୋଜନା ମାଧ୍ୟମରେ ନିଜ ଗୃହର ଉନ୍ନତିକରଣ ଅଥବା ସମ୍ପ୍ରସାରଣ କରିପାରିବେ । ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ନୂଆ ଘର ନିର୍ମାଣ ଏବଂ ଘର ସମ୍ପ୍ରସାରଣ କରିବା ପାଇଁ ସହାୟତା ପ୍ରଦାନ କରାଯିବ । ଏଥି ସହିତ ହିତାଧିକାରୀମାନଙ୍କୁ ସୁଲଭ ମୂଲ୍ୟରେ ସବସିଡି ଯୁକ୍ତ ଋଣ ମଧ୍ୟ ମିଳିପାରିବ । ଘର ନିର୍ମାଣ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇ ପାରିବ । ତେବେ ଏହି ଋଣକୁ ସୁଝିବା ପାଇଁ ଜଣେ ହିତାଧିକାରୀଙ୍କୁ ୧୦ ବର୍ଷର ସମୟ ଦେବେ ସରକାର । ଏହି ଯୋଜନାରେ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭିନ୍ନକ୍ଷମ ମାନଙ୍କ ପାଇଁ ସରକାର ୭୦ ହଜାର ଟଙ୍କାର ସବସିଡି ବ୍ୟବସ୍ଥା କରିଛନ୍ତି । ତେବେ କଚ୍ଚା ଘର ବା ମାଟି ଘରେ ରହୁଥିବା ଲୋକମାନେ ଏହି ଯୋଜନାରେ ସାମିଲ ହୋଇପାରିବେ । ଏହି ଯୋଜନା ଗ୍ରାମୀଣ ଏବଂ ଗରିବ ଲୋକମାନଙ୍କ ପାଇଁ ସରକାରଙ୍କ ତରପରୁ ଏକ ଉପହାର ସଦୃଶ ହୋଇପାରେ । ତଥାପି ଏହି ଯୋଜନାର ହିତାଧିକାରୀମାନଙ୍କ ପାଇଁ ରହିଥିବା ମାନଦଣ୍ଡ ମଧ୍ୟରେ ଯଦି କୌଣସି ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କଠୋରୀ ଥିବା କଂକ୍ରିଟ ଛାତ ଘରେ ବସବାସ କରୁଥାଏ । ଯଦି କୌଣସି ପରିବାର ପୂର୍ବରୁ ସରକାରଙ୍କ ଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା ପାଇ ନଥିବେ ଅଥବା ୭୦ ହଜାର ଟଙ୍କାରୁ କମ୍ ପରିମାଣର ସହାୟତା ପାଇଥିବେ । ଯେଉଁ ପରିବାରର ମାସିକ ଆୟ ୨୫ ହଜାର ଟଙ୍କାରୁ କମ୍ ଥିବ । ଯେଉଁ ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଏକ ଅଣବ୍ୟବସାୟିକ ମୋଟରଚାଳିତ ଚାରିଚକିଆ ଯାନ ନଥିବ । ଯେଉଁ ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇ ନଥିବେ । ଯେଉଁ ପରିବାର ପାଖରେ ୫ ଏକରରୁ କମ୍ ଜଳସେଚିତ କିମ୍ବା ୧୫ ଏକରରୁ କମ୍ ଅଣଜଳସେଚିତ ଜମି ଥିବ । ଏଥି ସହିତ ଋଣ ଓ ସବସିଡି ବ୍ୟବସ୍ଥା ମଧ୍ୟ ରହିଛି । ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ । ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ୍ ଦେଇ ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ହେବ । ଏହି ଯୋଜନାରେ ୧ ଲକ୍ଷ, ୧.୫ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା ରହିଛି । ଏଥିମଧ୍ୟରୁ ଆବେଦନକାରୀଙ୍କୁ ଗୋଟିଏ ପ୍ରକାରର ଋଣକୁ ବାଛିବାକୁ ହେବ । ଏହି ସବୁ ପ୍ରକାର ଋଣ ପାଇଁ ସବସିଡିର ବ୍ୟବସ୍ଥା କରାଯାଇଛି । ୧ ଲକ୍ଷ ଟଙ୍କା ଋଣରେ ସାଧାରଣ ବର୍ଗଙ୍କୁ ୩୦ ହଜାର ଟଙ୍କା ଏବଂ ଅନୁସୂଚିତ ଜାତି/ଜନଜାତି/ଭିନ୍ନକ୍ଷମଙ୍କୁ ୪୦ ହଜାର ଟଙ୍କା ସବସିଡି ମିଳିବ । ୧.୫ ଲକ୍ଷ ଟଙ୍କା ଋଣରେ ସାଧାରଣ ବର୍ଗଙ୍କୁ ୪୫ ହଜାର ଟଙ୍କା ଏବଂ ଅନୁସୂଚିତ ଜାତି/ଜନଜାତି/ଭିନ୍ନକ୍ଷମଙ୍କୁ ୫୫ ହଜାର ଟଙ୍କାର ସବସିଡି ମିଳିବ । ୨ ଲକ୍ଷ ଟଙ୍କା ଋଣରେ ସାଧାରଣ ବର୍ଗଙ୍କୁ ୬୦ ହଜାର ଏବଂ ଅନୁସୂଚିତ ଜାତି/ଜନଜାତି/ଭିନ୍ନକ୍ଷମଙ୍କୁ ୭୦ ହଜାର, ୩ ଲକ୍ଷ ଟଙ୍କା ଋଣରେ ସାଧାରଣ ବର୍ଗଙ୍କୁ ୬୦ ହଜାର ଏବଂ ଅନୁସୂଚିତ ଜାତି/ଜନଜାତି/ଭିନ୍ନକ୍ଷମଙ୍କୁ ୭୦ ହଜାର ଟଙ୍କା ସବସିଡି ମିଳିବ । ହିତାଧିକାରୀ ଇଚ୍ଛା କଲେ ୧୦ ବର୍ଷ ପୂର୍ବରୁ ମଧ୍ୟ ଋଣ ପରିଶୋଧ କରିପାରିବେ ଓ ମାସିକ କିସ୍ତି ରାଶିର ପରିମାଣ ବୃଦ୍ଧି କରିପାରିବେ । ବ୍ୟାଙ୍କ ହିତାଧିକାରୀଙ୍କ ଠାରୁ ପ୍ରାକ ଋଣ ପରିଶୋଧ ବାବଦ କୌଣସି ଜୋରିମାନା ଅର୍ଥ ଆଦାୟ କରିପାରିବ ନାହିଁ । ଏଥି ସହିତ ଗୃହ ନିର୍ମାଣ ପାଇଁ ଆବେଦନକାରୀ ଋଣ ପରିମାଣର ଅନ୍ତତଃ ୧୦% ଅର୍ଥ ରାଶି ମାର୍ଜିନ ଅର୍ଥ ହିସାବରେ ବିନିଯୋଗ କରିବେ । ଏହି ସର୍ବନିମ୍ନ ଅର୍ଥକୁ ଆବେଦନକାରୀ ଶ୍ରମଦାନ, ଗୃହ ନିର୍ମାଣ ସାମଗ୍ରୀ କ୍ରୟ କିମ୍ବା ଅର୍ଥ ଆକାରରେ ବିନିଯୋଗ କରିପାରିବେ । ଗୃହ ନିର୍ମାଣ କରାଯାଉଥିବା ଜମି ସତ୍ତ୍ୱ ସଠିକ ଥାଇ ସ୍ଥିତିବାନ ବର୍ଗର ଓ ଘରବାରୀ କିସମର ହୋଇଥିବା ଆବଶ୍ୟକ । ଏହି ଜମିକୁ ଆବେଦନକାରୀ ସବ୍ ରେଜିଷ୍ଟ୍ରାର ଅଫିସରେ ଋଣ ପରିଶୋଧ ପର୍ଯ୍ୟନ୍ତ ବନ୍ଧକ ସୂତ୍ରରେ ପଞ୍ଜିକରଣ କରିବାକୁ ହେବ । ହିତାଧିକାରୀଙ୍କ ଆର୍ôଥକ ବୋଝକୁ ହ୍ରାସ କରିବାକୁ ରାଜ୍ୟ ସରକାର ବନ୍ଧକ ସମୟରେ ଆବଶ୍ୟକ ପଞ୍ଜିକରଣ ଶୁଳ୍କ ଓ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରିଛନ୍ତି । ସେହିପରି ଋଣ ନିମନ୍ତେ ସବ୍ ରେଜିଷ୍ଟ୍ରାର ଅଫିସରୁ ଆବଶ୍ୟକୀୟ ଦସ୍ତାବିଜର ପ୍ରମାଣୀକୃତ ନକଲ, ଇସି ଇତ୍ୟାଦି ପାଇବା ପାଇଁ ଆବଶ୍ୟକ ଦେୟକୁ ମଧ୍ୟ ସରକାର ଛାଡ଼ କରିଛନ୍ତି । ଗୃହ ନିର୍ମାଣ ସ୍ତର ଅନୁସାରେ ଋଣ ରାଶି ୨/୩ ପର୍ଯ୍ୟାୟରେ ପ୍ରଦାନ କରାଯିବ । ଏଥି ନିମନ୍ତେ ଆବେଦନ କରିବାକୁ ହେଲେ ୱେବସାଇଟ https://rhodisha.gov.in/moghara କାର୍ଯ୍ୟକ୍ଷମ କରିବେ । ଏହି ୱେବସାଇଟ ମାଧ୍ୟମରେ ଋଣ ଆବେଦନ ତଦାରଖ ଓ ପରିଚାଳନା କରାଯାଇପାରିବ । ଋଣ ପାଇବା ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ଆବେଦନ କରିବା ପୂର୍ବରୁ ଏହି ୱେବସାଇଟରେ ପ୍ରଥମେ ପଞ୍ଜିକରଣ କରିବାକୁ ପଡ଼ିବ ଯାହା ଓଟିପି ମାଧ୍ୟମରେ ବୈଧ ହେବ । ଆସନ୍ତା ଜୁନ୍ ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ । ଆବେଦନକାରୀ ନିଜେ କିମ୍ବା ‘ମୋ ସେବା କେନ୍ଦ୍ର’ ମାଧ୍ୟମରେ ଆବେଦନ ଦରଖାସ୍ତ ପୂରଣ କରିପାରିବେ । ଆବେଦନପତ୍ର ଦାଖଲ ସମୟରେ ଆବେଦନକାରୀଙ୍କୁ ପାସ୍ପୋର୍ଟ ଆକାରର ଫଟୋ, ଆଧାର କାର୍ଡ, କେୱାଇସି ଡକ୍ୟୁମେଣ୍ଟ ( ଭୋଟର ଆଇଡି, ପାନ୍ କାର୍ଡ, ଜବ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ), ଜମି ରେକର୍ଡ, ଜାତି ପ୍ରମାଣପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର, ଆୟ, ପ୍ରମାଣପତ୍ର ଇତ୍ୟାଦି କାଗଜପତ୍ର ସଂଲଗ୍ନ କରିବାକୁ ପଡ଼ିବ ।

Slider Uncategorized ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ