ଗାଁ ଗାଁରେ କଂଗ୍ରେସର ମାତୃ ଆଶୀର୍ବାଦ ଯାତ୍ରା
#ତିର୍ତ୍ତୋଲ (ଏନ୍.ଏମ୍.): ଆଗାମୀ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳର ନେତା ମାନେ ଭୋଟର ମାନଙ୍କୁ ଆକର୍ଷଣ କରିବାର ପ୍ରୟାସ ଜାରି ରଖିଛନ୍ତି । ଏବେ କଂଗ୍ରେସ ଭଳି ଜାତୀୟ ଦଳ ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ତେବେ କେବଳ କଂଗ୍ରେସ କାହିଁକି ରାଜ୍ୟରେ ବିଜେଡି, ବିଜେପି ମଧ୍ୟ ମହିଳା କାର୍ଡ଼ ଖେଳିବା ଆରମ୍ଭ କରିଛନ୍ତି । ଏବେ ଦେଖିବାକୁ ଗଲେ ମହିଳା ଭୋଟକୁ ପୁଞ୍ଜିକରି ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ବୈତରଣୀ ପାର କରିବାକୁ ଉଦ୍ୟମ ଚଳାଇଛନ୍ତି । ଦୀର୍ଘ ବର୍ଷ ହେବ ରାଜନୀତିରେ ପରାଜୟ ଭୋଗ କରୁଥିବା କଂଗ୍ରେସ ଆଗାମୀ ୨୦୨୪ ନିର୍ବାଚନ ପାଇଁ ଭାରତୀୟ ସଂସ୍କାର ଓ ସଂସ୍କୃତିର ପୂଜ୍ୟ ପୂଜାକୁ ଆପଣେଇ ଲୋକ ସମ୍ପର୍କ ତିଆରି କରି ଚାଲିଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସର ଦାବିଦାର ବିଧାୟକ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ପୂଜ୍ୟ ପୂଜାର ପଦ୍ଧତିକୁ ସମ୍ମାନ ଜଣେଇ ଆରମ୍ଭ କରିଛନ୍ତି ମାତୃ ଆଶୀର୍ବାଦ ଯାତ୍ରା । ରାଜ୍ୟ ସରକାର ବା କେନ୍ଦ୍ର ସରକାରଙ୍କର ମାଆକୁ ସମ୍ମାନ ନାମରେ ବିଭିନ୍ନ ଯୋଜନା ପ୍ରଚଳନ କରି ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଉଥିବାବେଳେ କଂଗ୍ରେସର ମାତୃ ଆଶୀର୍ବାଦ ଯାତ୍ରା ବେଶ ଲୋକପ୍ରିୟତା ସାଉଣ୍ଟୁ ଥିବାର ଦେଖିବାକୁ ମିଳିଛି । ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତରେ କଂଗ୍ରେସର ଏହି ଅଭିନବ ଅଭିଯାନ ଦେଖିବାକୁ ମିଳିଛି । ଦାଇଁଲୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ଧନଞ୍ଜୟ ସୁତାରଙ୍କ ନେତୃତ୍ୱ ଓ ପଞ୍ଚାୟତ ସଭାପତି ତରୁଣ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଏହି ଆଶୀର୍ବାଦ ଯାତ୍ରା ସାନପୋଷଲ ଗ୍ରାମରୁ ଆରମ୍ଭ ହୋଇ ହାବେଳୀ, ବଡପୋସଲ, ଦାଇଁଲୋ, କେଶିପୁର, ଦାମୋଦର ପାଟଣା, କଂସାରୀ ଦେଇ ନାହାଁଗୁରି ଠାରେ ଶେଷ ହୋଇଥିଲା । କଂଗ୍ରେସର ନେତା ଶ୍ରୀ ମଲ୍ଲିକ ଅଞ୍ଚଳର ବରିଷ୍ଠ ବ୍ୟକ୍ତି ଓ ବୃଦ୍ଧବୃଦ୍ଧାମାନଙ୍କ ନିକଟରୁ ଆଶୀର୍ବାଦ ନେବା ସହ ଏକ ଇସ୍ତାହାର ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସ ଉପସଭାପତି ଜିତେନ୍ଦ୍ର ମହାନ୍ତି, ଏସ.ସି. ସେଲ ସଭାପତି ମନୋଜ କୁମାର ବେହେରା, ମହିଳା କଂଗ୍ରେସ ଉପସଭାପତି ଅସ୍ମିତା ସାମନ୍ତରାୟ ପ୍ରମୁଖ ଅନେକ ସମର୍ଥକ ଏହି ଯାତ୍ରାରେ ସାମିଲ ହୋଇଥିଲେ । ତେବେ ବହୁ ସଂଖ୍ୟାରେ ଲୋକମାନେ ତାଙ୍କୁ ମନ ଖୋଲା ଆଶୀର୍ବାଦ କରିଥିବା ବେଳେ ଫୁଲହାର ଦେଇ ଶୁଭେଚ୍ଛା ଜଣାଇଥିବାର ଦେଖିବାକୁ ମିଳିଥିଲା । ଦେଖିବାକୁ ରହିଲା ଆଗାମୀ ନିର୍ବାଚନରେ ତିର୍ତ୍ତୋଲବାସୀଙ୍କ ଆଶୀର୍ବାଦ କାହାକୁ ଦେବେ ତାହା ଦେଖିବାକୁ ବାକି ରହିଲା ।