କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ: ମାଞ୍ଜା ସୁତାରୁ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ
#ଜଗତପୁର (ଏନ୍.ଏମ୍.): ଜିଲ୍ଲାପ୍ରଶାସନ ପକ୍ଷରୁ ଗୁଡ଼ି ଉଡାଇବା ଉପରେ କଟକଣା ଜାରି କରାଯାଇଥିଲେ ମଧ୍ୟ ଏହା କେବଳ କାଗଜପତ୍ରରେ ବୋଲି ଚର୍ଚ୍ଚା ହେଉଛି । ଆଜି କଟକ କମିଶନରେଟର ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁରରେ ଗୁଡ଼ି ମାଞ୍ଜାସୂତା ଜନିତ ଏକ ଦୁର୍ଘଟଣା ଘଟିଛି । ମାତ୍ର ସୌଭାଗ୍ୟବଶତଃ ବାଇକ ଚାଲକ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ନିଶ୍ଚିନ୍ତକୋଇଲି ଅଞ୍ଚଳର ରଘୁନାଥ ବେହେରା ନାମକ ଜଣେ ବ୍ୟକ୍ତି ନିଜ ବୁଲେଟ ନେଇ ଜଗତପୁର ଅଭିମୁଖେ ଆସୁଥିବାବେଳେ ସ୍ଥାନୀୟ ପଦ୍ମପୁର ଚନ୍ଦନପୋଖରୀ ନିକଟରେ ମାଞ୍ଜାସୁତା ତାଙ୍କ ବେକରେ ଗୁଡ଼ାଇ ହୋଇ ଯାଇଥିଲା । ତେବେ ଶ୍ରୀ ବେହେରା ମୁଣ୍ଡରେ ହେଲମେଟ ଥିବା ଯୋଗୁଁ ସୂତାଟି ହେଲମେଟ ବେଲ୍ଟରେ ଲାଗିଯିବାରୁ ବେକ ଅଳ୍ପ କଟିଯାଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ମାଞ୍ଜାସୂତାରେ ପଥଚାରୀ କିମ୍ବା ବାଇକ ଆରୋହୀଙ୍କ ପ୍ରାଣ ହାନି ଘଟିବା ନୂଆ ନହେଲେ ମଧ୍ୟ ଏଥି ପ୍ରତି ପ୍ରଶାସନିକ ଅବହେଳା ଦେଖିବାକୁ ମିଳିଛି । କେବଳ ନିୟମ କରିଦେଇ ପ୍ରଶାସନ ବସିଯାଉଥିବାବେଳେ ଏହାକୁ କିଭଳି କଡ଼ାକଡ଼ି କରାଯିବ ସେ ନେଇ ବିଭାଗୀୟ ଉଦାସୀନତା ଯୋଗୁଁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ଚର୍ଚ୍ଚା ହେଉଛି । ସେହିଭଳି ଗତ ବର୍ଷ ଜାନୁୟାରୀ ମାସରେ ଏକ ବାଇକରେ ଏକ ଦମ୍ପତ୍ତି କଟକ ଆସୁଥିବା ସମୟରେ ଜଗତପୁର ଥାନା ଅନ୍ତର୍ଗତ ପୀରବଜାର ନିକଟରେ ମାଞ୍ଜା ସୁତାରେ ବାଇକ ଚଳାଉଥିବା ବ୍ୟକ୍ତିଙ୍କ ବେକ କଟି ମୃତ୍ୟୁ ଘଟିଥିଲା । କେବଳ ସେତିକି ନୁହେଁ କଟକରେ ମାଞ୍ଜାସୂତା ଜନିତ ଦୁର୍ଘଟଣାର ତାଲିକା ମଧ୍ୟ ବହୁତ ଲମ୍ବା ରହିଛି । ତେଣୁ ଆଗାମୀ ଦିନରେ ଏଭଳି ଦୁର୍ଘଟଣାକୁ ଏଡାଇବା ପାଇଁ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ଏପରିକି ଗୁଡ଼ି, ସୂତା ତଥା ନଟେଇ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରାଯିବା ଆବଶ୍ୟକ ବୋଲି ଦାବି ହେଉଛି । ଯାହାଦ୍ୱାରା ଏଭଳି ଅନେକ ଦୁର୍ଘଟଣା ଦୂର ହୋଇ ପାରନ୍ତା ବୋଲି କୁହାଯାଉଛି ।