କର୍କଟ ରୋଗରେ ପୀଡ଼ିତ ପଣ୍ଡିତ ଲିଙ୍ଗରାଜ ପଣ୍ଡାଙ୍କୁ ସହାୟତାର ହାତ ବଢ଼ାଇଲା ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି
#ଚୌଦ୍ୱାର(ଏନ୍.ଏମ୍.): ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ କର୍କଟ ରୋଗରେ ପୀଡ଼ିତ ପଣ୍ଡିତ ଲିଙ୍ଗରାଜ ପଣ୍ଡାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ, ଟାଙ୍ଗୀ ଜରିପଡ଼ା ସ୍ଥିତ ଜଗନ୍ନାଥପୁର ଶାସନର ପଣ୍ଡିତ ଲିଙ୍ଗରାଜ ପଣ୍ଡା ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବେଳେ ବହୁ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି । ଏବେ ସେ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଠାରେ ଏକ ଭଡ଼ା ଘରେ ରହି ଚିକିତ୍ସିତ ହେଉଥିବାର ଖବର ପାଇ ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ସଭାପତି ପଣ୍ଡିତ ବିଭୁଦେନ୍ଦୁ ଷଡ଼ଙ୍ଗୀଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ପଣ୍ଡିତ ନିରଞ୍ଜନ ହୋତା, ସାଧାରଣ ସଂପାଦକ ପଣ୍ଡିତ ଦିଲ୍ଲୀପ କୁମାର ତ୍ରିପାଠୀ, ସହସଂପାଦକ ପଣ୍ଡିତ ପବିତ୍ର ମୋହନ ଷଡ଼ଙ୍ଗୀ ଓ ପଣ୍ଡିତ ସୁଧାଂଶୁ ଭୂଷଣ ଷଡ଼ଙ୍ଗୀ ପ୍ରମୁଖ ସେଠାରେ ପହଞ୍ଚି ପଣ୍ଡିତ ଶ୍ରୀ ପଣ୍ଡାଙ୍କ ଧର୍ମପତ୍ନୀଙ୍କୁ ୧୦,୧୦୦ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆଗାମୀ ଦିନରେ ମଧ୍ୟ ତାଙ୍କୁ ସମିତି ତରଫରୁ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସଭାପତି ଶ୍ରୀ ଷଢ଼ଙ୍ଗୀ ପ୍ରକାଶ କରିଥିବା ଜଣାପଡ଼ିଛି ।