କର୍କଟ ରୋଗଗ୍ରସ୍ତ ସ୍ୱାମୀର ଜୀବନ ପାଇଁ ପତ୍ନୀଙ୍କ ସହାୟତା ଭିକ୍ଷା

କର୍କଟ ରୋଗଗ୍ରସ୍ତ ସ୍ୱାମୀର ଜୀବନ ପାଇଁ ପତ୍ନୀଙ୍କ ସହାୟତା ଭିକ୍ଷା

କର୍କଟ ରୋଗଗ୍ରସ୍ତ ସ୍ୱାମୀର ଜୀବନ ପାଇଁ ପତ୍ନୀଙ୍କ ସହାୟତା ଭିକ୍ଷା

ଆଗଠଗଡ଼(ଏନ୍‌.ଏମ୍‌.): ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କର୍କଟ ରୋଗଗ୍ରସ୍ତ ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ପତ୍ନୀ ସହାୟତା ପାଇଁ କରୁଛନ୍ତି ଆକୁଳ ନିବେଦନ । ବୃଦ୍ଧା ଶାଶୁ ଓ କୁନି ଝିଅଟିକୁ କୋଳରେ ଧରି ସ୍ୱାମୀର ଜୀବନ ଭିକ୍ଷା କରିଛନ୍ତି ମିନତୀ ପୁହାଣ । ଜୀଇଁ ବାର ଅନ୍ୟନାମ ଜୀବନ । ଆଉ ଜୀବନ ବଞ୍ଚାଇବାକୁ ମଣିଷ କେତେ ଯେ କଣ କରିପାରେ ତାହା ନ କହିବା ଭଲ । ସ୍ୱାମୀର ଜୀବନ ରକ୍ଷା ନିମନ୍ତେ ଚିକିତ୍ସା ପାଇଁ ଖର୍ଚ୍ଚ କରି ଶେଷରେ ସର୍ବସ୍ୱାନ୍ତ ହୋଇ ପଡ଼ିଥିବା ପରିବାର ଏବେ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଲୋଡ଼ିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ରାଧାକିଶୋରପୁର ପଞ୍ଚାୟତର ରାଧା ଦାମୋଦର ପୁର ଗ୍ରାମରେ । ତେବେ ଏହି ପରିବାର ପାଇଁ ସରକାରୀ ସୁବିଧା ସାତ ସପନ ହୋଇ ପଡ଼ିଥିବାବେଳେ ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ମିନତି ଆକୁଳ ନିବେଦନ କରିଛନ୍ତି ।


ଏହି ଗାଁର ୩୦ବର୍ଷର ଯୁବକ ମିଥୁନ ପୁହାଣ । ଯିଏକି ନିଜ କର୍ମକୁ ଆଦରି ପରିଶ୍ରମ କରି ନିଜ ପରିବାର ଚଳାଉଥିଲା । ହେଲେ ବିଧିର ବିଧାନ ବଡ଼ ବିଚିତ୍ର । ସୁଖ ଦେଖିଲାନି ଦାରଣ ଦଇବ । କିଛି ଦିନ ସୁଖେ ଦୁଃଖେ ସଂସାର ଚଳାଇବା ପରେ ଏବେ ମିଥୁନ କର୍କଟ ରୋଗରେ ପୀଡିତ । ଜୀବନ ବଞ୍ଚାଇବା ପାଇଁ ରୋଗରେ ପଡ଼ି କଲବଲ ହେଉଛନ୍ତି ନିଜ ଘରେ । ଗତ ଦୁଇ ବର୍ଷ ତଳେ ବିବାହ କରି ଏବେ ୨ ମାସର କନ୍ୟା ସନ୍ତାନ ସହ ବିଧବା ମା’ ତିନି ଭଉଣୀ ଏବଂ ପତ୍ନୀଙ୍କ ସହ ନିଜ ଗାଁ ରାଧା ଦାମୋଦର ପୁର ଗ୍ରାମରେ ରହୁଛନ୍ତି ମିଥୁନ । ଘର ବୋଲି କହିଲେ ଟିଣ ଛପର ବଖରାଏ । ଯେଉଁ ଥିରେ ମୁଣ୍ଡ ଗୁଞ୍ଜି ବାକୁ ବାଧ୍ୟ ହୋଇଛନ୍ତି ୭ଜଣ ଲୋକ । ତେବେ ଅଭାବକୁ ଏଡାଇବା ପାଇଁ ମିଥୁନ ସମ୍ବଲପୁରରେ ସିକ୍ୟୁରିଟି ଗାର୍ଡ଼ ଭାବେ କାର୍ଯ୍ୟକରୁଥିବା ବେଳେ ଭଉଣୀ ମାନେ ଘରୋଇ ଟିଉସନ୍ କରି ପରିବାର ଚଳାନ୍ତି । ତେଲ ଲୁଣର ସଂସାର ଠିକ୍ ଠାକ ଚାଲି ଥିବା ବେଳେ ଏବେ ତାଙ୍କ ପରିବାର ମୁଣ୍ଡରେ ଚଡ଼କ ପଡ଼ିଯାଇଛି । କେହିବି ଜାଣି ନଥିଲେ ଏତେ କମ ବୟସରେ ଅକାଳରେ ଝଡିପଡ଼ିବ ମିଥୁନର ଭାଗ୍ୟ । ଏବେ ସେ ଜୀବନ ଯୁଦ୍ଧରେ ସଂଗ୍ରାମ ଜାରି ରଖିଛନ୍ତି । ଆର୍ôଥକ ଅବସ୍ଥା ଭଲ ନଥିବାରୁ ଆଚାର୍ଯ୍ୟ ହରିହରରୁ ଏବେ ବାଳି ନିକଟସ୍ଥ କାସିନଭାରେ ଚିକିତ୍ସିତ ହେଉଥିଲେ । ପାଖରେ ଥିବା ସବୁ ଟଙ୍କା ପଇସା ସରିଗଲା ପରେ ନିରାଶ ହୋଇ ଏବେ ନିଜ ଘରେ ପଡ଼ିଛନ୍ତି ମିଥୁନ । ମିଥୁନଙ୍କ ପରିବାରକୁ କେହି ପଦେ ଆହା କହିବାକୁ ନାହାନ୍ତି । ତେବେ ସାହି ପଡ଼ିଶାରେ ଲୋକେ କିଛି ସହାୟତା ଦେଇଥିଲେ ବି ତାହା ସମୁଦ୍ରକୁ ଶଙ୍ଖେ ଭଳି । କର୍କଟ ଭଳି ଦୁରାରୋଗରୁ ମୁକୁଳିବା ପାଇଁ ଆବଶ୍ୟକ ଅର୍ଥ ମଧ୍ୟ ବାଧକ ସାଜିଛି । ଅନ୍ୟପକ୍ଷରେ ମିଥୁନ ଜଣେ ଭଲ ତଥା ମେଳାପି ପିଲା ହୋଇଥିବାବେଳେ ଏଭଳି ଦୁରାରୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗାଁ ଲୋକେ । କେବଳ ତାଙ୍କର ଆଶୁଆରୋଗ୍ୟ କାମନା କରୁଛନ୍ତି ଗାଁର ଆବାଳ ବୃଦ୍ଧବନିତା । ତେବେ ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇବେ ତେବେ ଏହି ପରିବାରଟି ହୁଏତ ରକ୍ଷା ପାଇଯିବ ବୋଲି ଗାଁର ଜୟଦେବ ସାହୁ, ଧନେଶ୍ୱର ସାହୁ ପ୍ରମୁଖ କହିଛନ୍ତି । ତେବେ ମିଥୁନଙ୍କ ଚିକିତ୍ସା ସହାୟତା ନିମନ୍ତେ ମିନତିଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ନମ୍ବର ହେଲା -୪୧୦୪୩୯୮୨୦୦୪, ଆଇଏଫଏସସି କୋଡ ଏସବିଆଇଏନ ୦୦୧୦୯୦୬ରେ ସହାୟତା କରିବା ପାଇଁ ପରିବାର ଲୋକଙ୍କ ସହ ସାହିପଡ଼ିଶା ଲୋକେ ମଧ୍ୟ ଆକୁଳ ନିବେଦନ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ