କରୋନା ପିକ୍ ଅତିକ୍ରମ କରିଛି, ଏବେ ସ୍ଥିତି ତଳମୁହାଁ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର (ଏନ୍.ଏମ୍.): ‘ବୋଧହୁଏ ଆମେ ପିକ୍ ଅତିକ୍ରମ କରିଗଲେଣି । ସ୍ଥିତି ଏବେ ତଳମୁହାଁ ହେଉଛି ।’ ସମ୍ପ୍ରତି ରାଜ୍ୟରେ କୋଭିଡ ସ୍ଥିତି ନେଇ ଏକଥା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ ପୁଣି କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ପୂର୍ବାପେକ୍ଷା ସଂକ୍ରମଣ ହାର ଖସୁଛି । ଅନ୍ୟ ରାଜ୍ୟରେ ଯେତେବେଳେ ଅଧିକ ଥିଲା ଆମର ଅଧିକ ନଥିଲା । ଆମ ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢ଼ିଥିବାରୁ ଏବେ ଖସୁଛି । ସେହିପରି ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟରେ ମୃତ୍ୟ ସଂଖ୍ୟା ମଧ୍ୟ କମ୍ ରହିଛି । ମେ’ ମାସରେ ଅଧିକ ଗୁରୁତର ରୋଗୀ ଥିବାରୁ ଅଧିକ ମୃତ୍ୟୁ ହୋଇଛି । ବର୍ତ୍ତମାନ ଗୁରୁତର ରୋଗୀଙ୍କ ସଂଖ୍ୟା ହ୍ରାସପାଇଛି । ଅଧିକାଂଶ ଡାକ୍ତରଖାନାରେ ବେଡ୍ ଖାଲି ହେଉଛି । ସେହିଭଳି ରାଜ୍ୟରେ ଏତେ ବ୍ଲାକ ଫଙ୍ଗସ ରୋଗୀ ନାହାନ୍ତି । ମୋଟ ୪୧ ଜଣ ଚିହ୍ନଟ ହୋଇଥିବା ରିପୋର୍ଟ ହୋଇଛି । ସେମାନେ ଚିକିତ୍ସାଧୀନ ଅଛନ୍ତି । ଆଗକୁ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ସେଥିପାଇଁ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି । ପୁନଶ୍ଚ କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତି ଚାଲିଛି । ସ୍ୱତନ୍ତ୍ର ଟାସ୍କ ଫୋର୍ସ କରାଯାଇଛି । ଏହି ଟାସ୍କ ଫୋର୍ସ ଯାହା ପ୍ରସ୍ତାବ ଦେବେ ସେହି ଅନୁସାରେ ବ୍ୟବସ୍ଥା କରାଯିବ । ସବୁ ଜିଲ୍ଲା ହସ୍ପିଟାଲରେ ଏବଂ ମେଡିକାଲ କଲେଜରେ ଉଭୟ କୋଭିଡ ଓ ଅଣ କୋଭିଡ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯିବ । ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ଆଇସିଏମଆର ଗାଇଡ ଲାଇନ୍ ଅନୁସାରେ ଅଧିକ ଆଣ୍ଟିଜେନ ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି । ଗ୍ରାମାଞ୍ଚଳକୁ କଭର କରିବାକୁ ହେଲେ ଅଧିକ ଆଣ୍ଟିଜେନ ଟେଷ୍ଟ କରାଯିବାର ଆବଶ୍ୟକତା ରହିଛି ।