କରୋନା ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର(ଏନ୍.ଏମ୍.): କରୋନାର ୩ୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ରାଜ୍ୟରେ ଏବେ ସୁଦ୍ଧା ୭୦ ପ୍ରତିଶତ ସେରୋ ସର୍ଭେ ସରିଛି । ବିଭିନ୍ନ ହସ୍ପିଟାଲରେ ବେଡ୍ ଓ ଔଷଧ ମହଜୁଦ ରହିଛି । କରୋନା ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ତୃତୀୟ ଲହରରେ ଛୋଟ ପିଲା ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ସେଥିପାଇଁ ମଧ୍ୟ ମେଡିକାଲର ସମସ୍ତ ବ୍ୟବସ୍ଥା କରାଯାଇଛି । ଏହା ସହିତ ଆଗକୁ ପାର୍ବଣ ଋତୁ ଥିବାବେଳେ ସମସ୍ତେ ମାସ୍କ ବ୍ୟବହାର ଏବଂ କୋଭିଡ ନିୟମ ପାଳନ କଲେ କରୋନାର ତୃତୀୟ ଲହରକୁ ହରାଇ ପାରିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ସମ୍ଭାବ୍ୟ ତୃତୀୟ ଲହରରେ ରାଜ୍ୟରେ ପ୍ରାୟ ୯୨ହଜାର ଶିଶୁ କରୋନାରେ ସଂକ୍ରମିତ ହେବାର ଆଶଙ୍କା ରହିଥିବା ଅନୁମାନ କରାଯାଉଛି । ତୃତୀୟ ଲହରକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଜରୁରୀକାଳୀନ କୋଭିଡ ପ୍ରତିକ୍ରିୟା ଯୋଜନା ବା ଏନ୍ସିଆର୍ପି-୨କୁ ମଞ୍ଜୁରୀ ମିଳିଥିବା ବେଳେ ଆସନ୍ତା ଡିସେମ୍ବର ସୁଦ୍ଧା କାମ ଶେଷ କରିବା ଲାଗି ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗରୁ ନିର୍ଦେଶ ଦିଆଯାଇଛି । ଇସିଆରପି-୨ରେ ଡାଏଗ୍ନୋଷ୍ଟିକ, ଟେଲିମେଡିସିନ୍, ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତ, କୋଭିଡ କେୟାର ସେଣ୍ଟର, ଶିଶୁଙ୍କ ପାଇଁ ଆଇସିୟୁ ଓ ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ତୃତୀୟ ଲହରର ମୁକାବିଲା ଯୋଜନାରେ ଔଷଧ ପାଇଁ ୩୦ କୋଟି ଟଙ୍କା ମଞ୍ଜୁର ହୋଇଛି । ବରଗଡ଼, ରାୟଗଡ଼ାରେ ୩୨ ଶଯ୍ୟା ବିଶିଷ୍ଟ ଶିଶୁ ୟୁନିଟ୍ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଛି । ଏଥିରେ ୨୦ଟି ଆକ୍ସିଜେନ୍ ଶଯ୍ୟା, ୮ଟି ଏଚଡିୟୁ ଏବଂ ୪ଟି ଆଇସିୟୁ ଶଯ୍ୟା ରହିବ । ସେହିପରି ୨୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪୨ଶଯ୍ୟା ବିଶିଷ୍ଟ ଶିଶୁ ୟୁନିଟ୍ ଓ ୪ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁଙ୍କ ପାଇଁ ୨୦ଟି ଶଯ୍ୟା ରହିବ । ରାଜ୍ୟରେ ୨୮ଟି ଫିଲ୍ଡ ହସ୍ପିଟାଲ ପ୍ରତିଷ୍ଠା କରାଯିବା ଲାଗି ମଞ୍ଜୁରୀ ମିଳିଛି । ଏଥିପାଇଁ ୧୭,୬୦୦ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ ରହିଥିବାବେଳେ ଜିଲ୍ଲାସ୍ତରରେ ୮-୯ହଜାର ବର୍ଗ ଫୁଟର ମୁକ୍ତ ଜାଗା ଚିହ୍ନଟ କରିବା ଲାଗି ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।