କଟକ(ଏନ୍.ଏମ୍.): ସମ୍ପ୍ରତି ମହାମାରୀ କରୋନାର ଭୟାବହତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ ଆସନ୍ତା ୨୪ତାରିଖ ଦିନଠାରୁ ଘରକୁ ଘର ବୁଲି କରୋନା ରୋଗୀ ଚିହ୍ନଟ ସର୍ଭେକ୍ଷଣ କରିବାପାଇଁ ଆଶାକର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନୱାଡ଼ି କର୍ମୀମାନେ ସହଯୋଗ କରିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ନିଶ୍ଚିତରୂପେ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିବାବେଳେ ଆଶାକର୍ମୀ ପୂର୍ବରୁ ବୀମାଭୁକ୍ତ ହୋଇଛନ୍ତି ଏବଂ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ କରୋନା ଯୋଦ୍ଧା ଭାବରେ ବୀମାଭୁକ୍ତ ଅଟନ୍ତି। ତତ୍ସହିତ ଆଶା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଉକ୍ତ ସର୍ଭେ ନିମନ୍ତେ ମାସିକ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଥିବାବେଳେ ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରତି ସରକାରଙ୍କର ଏପରି ବୈମାତୃକ ମନୋଭାବ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ ହୋଇଛି ।
ଗତ ମେ ମାସ ୧୭ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କରୋନା ସର୍ଭେକ୍ଷଣ ନିମନ୍ତେ ସ୍ୱାସ୍ଥ୍ୟକର୍ମୀ ତଥା ଆଶାକର୍ମୀଙ୍କୁ ପ୍ରୋତ୍ସାହନ ରାଶି ବାବଦକୁ ମାସିକ ଅତିରିକ୍ତ ଏକ ହଜାର ଟଙ୍କା ସହିତ ସାଇକେଲ୍, ଜୋତା, ଛତା ପାଇଁ ଆଶାକର୍ମୀଙ୍କୁ ୧୦ ହଜାର ଟଙ୍କା ଦେବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଉକ୍ତ ସ୍ଥାନରେ ସମାନ ଭାବରେ କାର୍ଯ୍ୟ କରୁଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ ଏ ସବୁ ସୁବିଧାରୁ ବଞ୍ଚôତ କରିବା କେତେ ଦୂର ଯୁକ୍ତିଯୁକ୍ତ ଏହା ବିଚାର କରିବା କଥା । କରୋନାର ପ୍ରଥମ ଲହର ସମୟରେ ଓଡ଼ିଶା ସରକାର ଅଙ୍ଗନୱାଡ଼ି କର୍ମୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହିତ କରୋନାଜନିତ ମୃତୁ୍ୟବରଣ କଲେ ୫୦ଲକ୍ଷ ଟଙ୍କା ସହ ଉକ୍ତ ପରିବାରକୁ ମାସିକ ୭ହଜାର ୫୦୦ଟଙ୍କା ପେନ୍ସନ୍ ଦିଆଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ତାହା ଏଯାବତ୍ ମିଳିନାହିଁ । ଯେତେବେଳେ ପ୍ରଶାସନ ତରଫରୁ କୌଣସି କାମ ଦିଆଯାଏ ସେତେବେଳେ ଅଙ୍ଗନୱାଡ଼ି କର୍ମୀଙ୍କୁ ଅଧିକ ଗୁରୁତ୍ୱ ଦିଆଯାଏ । କିନ୍ତୁ ଭଲ ମନ୍ଦ ସୁରକ୍ଷା କଥା ଆସିଲା ବେଳକୁ ପ୍ରଶାସନ ପକ୍ଷରୁ ଅଣଦେଖା କରିବା ସହ ଅଙ୍ଗନୱାଡ଼ି କର୍ମଚାରୀଙ୍କ ପ୍ରତି ଏପରି ହୀନ ମନୋଭବ ନିଶ୍ଚିତପକ୍ଷେ ଦୁଃଖଦାୟକ । ଜଣେ କରୋନା ପୀଡ଼ିତ ବ୍ୟକ୍ତିଙ୍କୁ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମଚାରୀ କେହି ନଛୁଇଁବାବେଳେ ଅଙ୍ଗନୱାଡ଼ି କର୍ମୀଙ୍କୁ ଅକ୍ସିମିଟର ତଥା ଥର୍ମାଲ୍ସ୍କାନର୍ ପ୍ରଦାନ କରାଯିବ ଏବଂ ସେମାନେ ଲୋକଙ୍କ ଅମ୍ଳଜାନ ତଥା ଜ୍ୱରର ତାପମାତ୍ରା ପରୀକ୍ଷା କରିବେ, ଯାହା ଫଳରେ କି ସେମାନେ ସିଧାସଳଖ ପୀଡ଼ିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ । ଜଣେ କରୋନା ପୀଡ଼ିତ ବ୍ୟକ୍ତିଙ୍କୁ ଅଙ୍ଗୁଳିରେ ଅକ୍ସିମିଟର ଲଗାଇ ପରୀକ୍ଷା କରିବା ଅର୍ଥ ଜବରଦସ୍ତ ବିପଦ ମୁହଁକୁ ଠେଲିବା । ଏଣୁ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଙ୍ଗନୱାଡ଼ି ସଂଗଠନ (ବି.ଏମ୍.ଏସ୍.) ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ କଟକ ସହରାଞ୍ଚଳ-୨ ଶାଖାର ସଭାନେତ୍ରୀ ଜୋତ୍ସ୍ନାରାଣୀ ସିଂ ସରକାରଙ୍କ ପ୍ରତି ପ୍ରଶ୍ନଉଠାଇ ଅଙ୍ଗନୱାଡ଼ି କର୍ମୀଙ୍କ ପାଇଁ ବୀମା ଲାଗୁ କରିବା ସହ କରୋନା କାର୍ଯ୍ୟ କରୁଥିବା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ ଦାବି କରିଛନ୍ତି ।