କଟକ ସିଟି ହସ୍ପିଟାଲର ଉନ୍ନତିକରଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
#କଟକ(ଏନ୍.ଏମ୍.): କଟକ ସହରବାସୀଙ୍କୁ ତତ୍କ୍ଷଣାତ୍ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ସରକାର ଓ ପ୍ରଶାସନିକସ୍ତରରେ ଉଦ୍ୟମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ସିଟି ହସ୍ପିଟାଲରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବ, ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ ପ୍ରମୁଖଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ ସମୀକ୍ଷା କରାଯାଇଥିଲା ।
ବିଶେଷ କରି ସିଟି ହସ୍ପିଟାଲର ଭିତ୍ତିଭୂମିର ବିକାଶ ନେଇ ସାଂସଦ ଓ ବିଧାୟକ ଗୁରୁତ୍ୱ ଦେଇଥିଲେ । ସିଟି ହସ୍ପିଟାଲ ପ୍ରତିଷ୍ଠା ହେବାର ୭୫ବର୍ଷ ପୂରଣ ହେବାକୁ ଯାଉଛି । ତେବେ ଗତ ମାସରେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ହୋଇଥିବା ବୈଠକରେ ସିଟି ହସ୍ପିଟାଲର କେତେକ ସମସ୍ୟା ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା । ଏହି ହସ୍ପିଟାଲର ଉନ୍ନତି କରଣ ନିମନ୍ତେ ଗତବର୍ଷ ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ହସ୍ପିଟାଲର ପୁରୁଣା ଘର ଗୁଡ଼ିକ ନଷ୍ଟହେବାକୁ ବସିଥିବା ଜଣାପଡ଼ିବା ପରେ ଏହାର ଉନ୍ନତିକରଣ ନିମନ୍ତେ ରାଜ୍ୟସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା । ଏଥି ସହିତ ଏଠାରେ ଚକ୍ଷୁ ଚିକିତ୍ସା ନିମନ୍ତେ ଉନ୍ନତ ମାନର ଚକ୍ଷୁ ଅସ୍ତ୍ରୋପଚାର ବିଭାଗ ନିମନ୍ତେ ନୂତନ ଘରର ଆବଶ୍ୟକତାର ରହିଥିଲା । ଏଥି ପାଇଁ ରାଜ୍ୟସରକାରଙ୍କ ଆର୍ôଥକ ଅନୁଦାନ ପରେ ଏହାର ଉନ୍ନତିକରଣ ଆରମ୍ଭ ହୋଇଛି । ମାତ୍ର ଏଥି ପାଇଁ ଆବଶ୍ୟକୀୟ ଘର ନିମନ୍ତେ ଥିବା କ୍ୱାଟର୍ସଗୁଡ଼ିକୁ ଖାଲି କରାଯାଇଛି; ଆଉ କେତେକ କ୍ୱାଟର୍ସ ମଧ୍ୟ ଖାଲି ହୋଇ ପାରିନାହିଁ ସେ ବିଷୟରେ ଆଲୋଚନା କରାଯାଇଥିବାବେଳେ ଏଠାରେ ୨୫୦ କେଭିଏ ଗ୍ରୀଡ଼ ପ୍ରତିଷ୍ଠା କରିବା ପାଇଁ ସ୍ଥାନ ନିରୂପଣ ନିମନ୍ତେ ସିଡିଏକୁ ମଗାଯାଇଛି । ଯେତେବେଳେ ମଲ୍ଲି ଷ୍ଟୋରେଜ ବିଲ୍ଡିଂ ହେବ ଲିଫ୍ଟର ଆବଶ୍ୟକତା ରହିବ । ତେଣୁ ହାଇଭୋଲଟେଜ ବିଦ୍ୟୁତ ବ୍ୟବସ୍ଥା ଆବଶ୍ୟକତା ରହିଛି । ପୁନଶ୍ଚ କଟକ ଜିଲ୍ଲାରେ ଏବେ ସୁଧା ଅନୁମୋଦିତ ପଦବୀରେ ୮୦ଜଣ ଡାକ୍ତରଙ୍କ ଅଭାବ ରହିଥିବାବେଳେ ପାରା ମେଡ଼ିକାଲ ପୋଷ୍ଟ ମଧ୍ୟ ଖାଲି ରହିଛି । ତେଣୁ ଏ ସଂକ୍ରାନ୍ତରେ ମଧ୍ୟ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା ସାଂସଦ ଶ୍ରୀ ମହତାବ କହିଛନ୍ତି । କଟକ ସହରର ଏହି ହସ୍ପିଟାଲର ଚର୍ତୁପାଶ୍ୱର୍ରେ ପ୍ରାୟ ୨ଲକ୍ଷ ଲୋକ ବସବାସ କରୁଛନ୍ତି । ସମସ୍ତଙ୍କ ପକ୍ଷେ ବଡ଼ମେଡ଼ିକାଲରେ ଚିକିତ୍ସା ସେବା ପାଇବା ସମ୍ଭବ ହୋଇନଥାଏ ତେଣୁ ଏହାକୁ ଉନ୍ନତିକରଣ କରିବା ନିହାତି ଜରୁରୀ ବୋଲି ବିଧାୟକ ଇଂ. ମୋକିମ ସୂଚନା ଦେଇଛନ୍ତି । ଇତି ମଧ୍ୟରେ ସିଟି ହସ୍ପିଟାଲର ଉନ୍ନତିକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ୨ଟି ନୂତନ ବିଲ୍ଡିଂ ପାଇଁ ପ୍ରସ୍ତାବ ରହିଥିବାବେଳେ ଗୋଟିଏ ବିଲ୍ଡିଂ କାମ ଆରମ୍ଭ ହୋଇଛି । ଅନ୍ୟ ବିଲ୍ଡିଂ ପାଇଁ ପାଇଲ ଟେଷ୍ଟ ହୋଇଥିବାବେଳେ ସଏଲ ଟେଷ୍ଟ ପାଇଁ ଯାଇଥିବାବେଳେ ଏହାର ଡ୍ରଇଂ ଆପ୍ରୁଭ ହୋଇଥିବା ବିଧାୟକ କହିଥିଲେ । ତେବେ ଆଗାମୀ ଦିନରେ ସିଟି ହସ୍ପିଟାଲର ବହୁବିଧ ଉନ୍ନତି ନିମନ୍ତେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ କଟକ ସିଟି ହସ୍ପିଟାଲରେ ଆବଶ୍ୟକ ଡାକ୍ତରଙ୍କ ଅଭାବ ଯୋଗୁଁ ଏଠାରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ପୂର୍ବତନ କର୍ପୋରେଟର ଅରୁଣ କୁମାର ସେଠୀ ଅଭିଯୋଗ ବାଢ଼ିଛନ୍ତି । ତେବେ ଆଗକୁ ପୌର ନିର୍ବାଚନ ଥିବାରୁ ଏଭଳି ଭେଳିକି ଦେଖାଯାଉଛି । ଜିଲ୍ଲା ମୁଖ୍ୟଚିକିତ୍ସାଳରେ ବାସ୍ତବିକ ଦେଖିବାକୁ ଗଲେ ଏଠାରେ ଲୋକଙ୍କୁ ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ମିଳିପାରୁନାହିଁ । ଅସ୍ତ୍ରୋପଚାର ପାଇଁ ଏଠାରୁ ଏସସିବିକୁ ରୋଗୀଙ୍କୁ ରେଫର କରି ଦିଆଯାଇ ଦାୟିତ୍ୱ ସାରି ଦେଉଥିବାବେଳେ ୨୪ଜଣ ରେଡିଓ ଗ୍ରାଫର ଅଛନ୍ତି; କିନ୍ତୁ ଆବଶ୍ୟକୀୟ ଯନ୍ତ୍ରପାତି ସିଟିସ୍କାନ, ଜିଆର ମେସିନ ନଥିବା ଯୋଗୁଁ ରୋଗୀ ସେବା ବ୍ୟାଘାତ ଘଟୁଛି । ଚତୁର୍ଥଶ୍ରେଣୀ କର୍ମଚାରୀ ମଧ୍ୟ ନାହାନ୍ତି । ଜିଲ୍ଲାପାଳ ମଧ୍ୟ ସବୁ ଜାଣି ଅଜଣା ସାଜିବା ଦୁର୍ଭାଗ୍ୟ ଜନକ ବୋଲି ଶ୍ରୀ ସେଠୀ କହିଛନ୍ତି । ସିଟି ହସ୍ପିଟାଲରେ ଉନ୍ନତ ଚିକିତ୍ସା ସେବା ପାଇଁ କେବଳ ଅଧିକାରୀମାନେ କୁମ୍ଭୀର କାନ୍ଦଣା କାନ୍ଦିବା ଛଡ଼ା ଅନ୍ୟକିଛି ନୁହେଁ ବୋଲି ସେ କହିବା ସହ ଏହି ବୈଠକ କେତେଦୂର ଫଳପ୍ରଦ ହେବ ସେ ନେଇ କଟକ ସହରବାସୀ ଅପେକ୍ଷା କରିଥିବା ସେ କହିଛନ୍ତି ।