କଟକ ସହରରୁ ପଙ୍କୋଦ୍ଧାର ନେଇ ସମୀକ୍ଷା କଲେ ମେୟର ଓ କମିଶନର

କଟକ(ଏନ୍.ଏମ୍.): କଟକ ସହରରେ ପଙ୍କୋଦ୍ଧାର ନେଇ ସିଏମସି ମେୟର ଓ କମିଶନରଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ମେୟର ସହରରୁ ପଙ୍କୋଦ୍ଧାର ନେଇ ଏକାଧିକବାର ଆଲୋଚନା କରିଥିଲେ ମଧ୍ୟ ନୂତନ କମିଶନରଙ୍କ ସହ ସମସ୍ତ ଅଧିକାରୀଙ୍କ ନେଇ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା । ସିଏମସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ସମସ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ ବିଭାଗୀୟ ଅଧିକାରୀ ଉପସ୍ଥିତଥିଲେ । ବୈଠକରେ ମହାନଗର ମେୟର ସୁବାସ ସିଂହ ଓ ନବନିଯୁକ୍ତ କମିଶନର ନିଖିଲ ପବନ କଲ୍ୟାଣ ଏନେଇ ପ୍ରାଥମିକତା ଦେବାକୁ ଅଧିକାରୀମାନଙ୍କୁ ଚେତାବନୀ ଦେଇଛନ୍ତି । କୌଣସି ପରିସ୍ଥିତିରେ ଜନସାଧାରଣଙ୍କ କାର୍ଯ୍ୟରେ ହେଳା କଲେ କ୍ଷମା ନାହିଁ ବୋଲି ମେୟର ଓ କମିଶନର ରୋକଠୋକ କହିଛନ୍ତି । ସମସ୍ତ ଅଧିକାରୀ ପାଣିପାଗ ରିପୋର୍ଟ ସଂକ୍ରାନ୍ତରେ ଅବଗତ ହୋଇ କାର୍ଯ୍ୟପନ୍ଥା ଅବଲମ୍ବନ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ସହରରେ ଡ୍ରେନରୁ ପଙ୍କୋଦ୍ଧାର କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ଶେଷ ହୋଇ ନଥିବାରୁ ମେୟର ଶ୍ରୀ ସିଂହଙ୍କ ସମେତ ସମସ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବର୍ତ୍ତମାନ ସୁଦ୍ଧା ୫୯ଟି ୱାର୍ଡରେ ୯୦ପ୍ରତିଶତ ଡ୍ରେନରୁ ପଙ୍କୋଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦିଆଯାଇଥିଲା । ଅବଶିଷ୍ଟ ୧୦ପ୍ରତିଶତ ପଙ୍କୋଦ୍ଧାର କାର୍ଯ୍ୟ ୭ଦିନରେ ସାରିବାକୁ ମେୟର ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ପ୍ରତିସପ୍ତାହରେ ଜାଇକା ଅଗ୍ରଗତି ରିପୋର୍ଟ ଦେବାକୁ ସେ ଅଧିକାରୀଙ୍କୁ କହିଥିଲେ । ପୁନଶ୍ଚ ସହରବାସୀ ପାନୀୟ ଜଳ ସମସ୍ୟା ଭୋଗ କରୁଥିବା ନେଇ ଅନେକ ଅଭିଯୋଗ ଆସିଥିବାବେଳେ ସେ ସବୁର ସମାଧାନ କ୍ଷେତ୍ରରେ ହେଉଥିବା ଅବହେଳାକୁ କମିଶନର ଓ ମେୟର ଉଦ୍ବେଗ ପ୍ରକାଶ କରିଥିଲେ । ତେବେ ଏ ନେଇ ଆସୁଥିବା ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କେତେଟି ଅଭିଯୋଗର ସମାଧାନ କରାଯାଇଛି ତାହାର ରିପୋର୍ଟ ମଧ୍ୟ ଆୟୁକ୍ତଙ୍କୁ ୱାଟକୋ କର୍ତ୍ତୃପକ୍ଷ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିବା ପରେ ବିଭାଗୀୟ ଅଧିକାରୀ ଚିଠି ଲେଖିଥିବା କହିଥିଲେ; ତେବେ ଏଣିକି ଆଉ ଚିଠି ଲେଖା ଚଳିବନି; ଅଭିଯୋଗ ଆସିବାମାତ୍ରେ ତୁରନ୍ତ ସମାଧାନ କରିବାକୁ ମେୟର ଓ କମିଶନର ତାଗିଦ କରିଛନ୍ତି । ସେହିଭଳି ସ୍ୱାସ୍ଥ୍ୟ ଷ୍ଟାଣ୍ଡିଂ କମିଟିର ସଦସ୍ୟମାନେ ନିଜ ନିଜ ଅଞ୍ଚଳରେ ପ୍ରମୁଖ ସମସ୍ୟାଗୁଡିକ ଉପସ୍ଥାପନ କରିଥିଲେ । ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଦିପ୍ତୀମୟୀ ମୂଳିଆ, ଏ. ଶ୍ରୀଦେବୀ, ପ୍ରଦୀପ୍ତ ଖୁଣ୍ଟିଆ, ପ୍ରଳୟା ବେଉରା ପ୍ରମୁଖ ଉପସ୍ଥିତ ଥିଲେ ।