କଟକ, ବଡମ୍ବା ଓ ଢେଙ୍କାନାଳରେ ୧୯୭୧ ଯୁଦ୍ଧବୀରମାନଙ୍କ ବାସଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ
ଭୁବନେଶ୍ୱର/କଟକ (ଏନ୍.ଏମ୍.): ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ପବିତ୍ର ବିଜୟ ମଶାଲର ଦୀର୍ଘ ୬ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଗରିମାମୟ ଉପସ୍ଥିତି ରହିଥିବାବେଳେ ଏବେ କଟକରେ ପହଞ୍ଚିଛି । ଏହି ଅବସରରେ ୧୯୭୧ମସିହାର ଯୁଦ୍ଧବୀର ଯବାନଙ୍କ ବାସଗୃହକୁ ଯାତ୍ରା କରିବା ଅବସରରେ ସବୁଠାରେ ଏହାକୁ ଉଚ୍ଛ୍ୱସିତ ସମ୍ମାନ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସ୍ମୃତି ଭୁବନେଶ୍ୱରବାସୀଙ୍କ ମନରେ ତାଜା ରହିଥିବା ବେଳେ ବିଜୟ ମଶାଲ ଏହାର ଯାତ୍ରାର ଅଂଶସ୍ୱରୁପ କଟକ, ବଡମ୍ବା ଓ ଢେଙ୍କାନାଳ ଗସ୍ତ କରିଛି । ୧୯୭୧ ଯୁଦ୍ଧରେ ଅଂଶଗ୍ରହଣ କରିଥିବା କଟକରେ ରହୁଥିବା ଯୁ୍ଦ୍ଧ ବୀର ଯବାନ କ୍ୟାପ୍ଟେନ ବି.ଏନ.ମିଶ୍ର, ଓ ବ୍ରିଗେଡିୟର ପି.କେ.ସାହୁ, ବଡମ୍ବାରେ ସୁବେଦାର ଅଚ୍ୟୁତାନନ୍ଦ ରାଉତ, ଢେଙ୍କାନାଳରେ ବ୍ରିଗେଡିୟର କେ.ପି. ସିିଂହଦେଓ (ବିଶିଷ୍ଟ ସେବା ମେଡାଲ) ଏବଂ ଉଇଙ୍ଗ କମାଣ୍ଡର ବି.ଏସ୍. ସିହଂଦେଓଙ୍କ ବାସଭବନକୁ ଯାତ୍ରା କରିଥିଲା । ସବୁଠାରେ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଓ ସମ୍ମାନ ପ୍ରଦର୍ଶନ କରାଯିବା ସହ ଯୁଦ୍ଧବୀର ଯବାନମାନେ ସେମାନଙ୍କର ଯୁଦ୍ଧରେ ଅଂଶଗ୍ରହଣର ଅଭିଜ୍ଞତା ପ୍ରକାଶ କରିଥିଲେ । ଏହି ଅବସରରେ ଅଳ୍ପ ସମୟ ପାଇଁ ହେଲେ ମଧ୍ୟ କଟକ, ବଡମ୍ବା ଓ ଢେଙ୍କାନାଳର ଜନସାଧାରଣ ଭାରତର ୧୯୭୧ ମସିହା ଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଥିବା ସ୍ୱର୍ଣ୍ଣମ ବିଜୟ ବର୍ଷର ବିଜୟ ସ୍ମାରକୀ ‘ ବିଜୟ ମଶାଲ’କୁ ଦର୍ଶନ କରିବାର ସୁଯୋଗ ପାଇ ସମ୍ମାନ ପ୍ରଦର୍ଶନ କରି ଗର୍ବ ଅନୁଭବ କରିଥିଲେ ।