କଟକ ପୁଲିସର ସାଇବର ଫ୍ରଡ ହେଲ୍ପ ଡେସ୍କକୁ ସଫଳତା

କଟକ ପୁଲିସର ସାଇବର ଫ୍ରଡ ହେଲ୍ପ ଡେସ୍କକୁ ସଫଳତା

ଅଢେଇ ମାସରେ ୧୪ ଜଣ ଫେରସ୍ତ ପାଇଲେ ସାଢେ ୫ଲକ୍ଷ
କଟକ (ଏନ୍.ଏମ୍.): ଲକଡାଉନ ଯୋଗୁ ଅଧିକାଂଶ ଲୋକେ ‘ୱାର୍କ ଫ୍ରମ ହୋମ’ ବା ଘରେ ରହି ଅନଲାଇନରେ ଅଫିସ କାର୍ଯ୍ୟ କରୁଛନ୍ତି । ଏହି ସୁଯୋଗରେ ସାଇବର ଠକମାନେ ବିଭିନ୍ନ ଉପାୟରେ ଜନସାଧାରଣଙ୍କ ସର୍ବସ୍ୱ ଲୁଟି ନେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କଟକ କମିଶନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଭାବେ ‘ସାଇବର ଫ୍ରଡ ହେଲ୍ପ ଡେସ୍କ’ ନାମରେ ଏକ ସେଲ ଖୋଲାଯାଇଛି । ଯେଉଁଥିରେ ସାଇବର ଠକେଇର ଶିକାର ବ୍ୟକ୍ତି ଅଭିଯୋଗ କଲେ ତୁରନ୍ତ ପଦକ୍ଷେପ ନିଆଯାଉଛି । ଏହି ସେଲର ତତ୍ପରତା ଓ କାର୍ଯ୍ୟଦକ୍ଷତା ଯୋଗୁଁ ଗଲା ଅଢେଇ ମାସରେ ପ୍ରାୟ ସାଢେ ୫ ଲକ୍ଷ ଟଙ୍କା ଟଙ୍କା ଫେରସ୍ତ ଅଣାଯାଇ ପାରିଛି । ପୁନଶ୍ଚ ଏହି ଟଙ୍କାକୁ ଠକାମୀର ଶିକାର ହୋଇଥିବା ୧୪ ଜଣଙ୍କୁ ଫେରସ୍ତ କରାଯାଇଛି ।
ଲକଡାଉନରେ ସାଇବର ଅପରାଧ ପୁଲିସ ଲାଗି ଏକ ବଡ ସମସ୍ୟା । ତେଣୁ ଏହାକୁ ରୋକିବା ଲାଗି ଗତ ୧୩ ତାରିଖରେ କଟକ କମିଶନରେଟ ପକ୍ଷରୁ ସାଇବର ଫ୍ରଡ ହେଲ୍ପ-ଡେସ୍କ ସେଲ ଖୋଲା ଯାଇଥିଲା । ଯଦିଓ ପୂର୍ବରୁ କ୍ରାଇମବ୍ରାଞ୍ଚ ଓ କଟକ ପୋଲିସର ସାଇବର ସେଲ କାମ କରୁଥିଲା । କିନ୍ତୁ ଏହି ସ୍ୱତନ୍ତ୍ର ସେଲ ହେବା ପରେ କାର୍ଯ୍ୟଭାର ସାଙ୍ଗକୁ ତତ୍ପରତା ମଧ୍ୟ ଆହୁରି ବଢିଯାଇଥିଲା । ସ୍ପେଶାଲ ସ୍କ୍ୱାଡ ଏସିପି ଅଜୟ ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଇନ୍ସପେକ୍ଟର ରେଣୁବାଳା ତି୍ରପାଠୀ, ଦୁଇ ସବ-ଇନ୍ସପେକ୍ଟର ପିଟି ଗଣେଶ ସାହୁ, ଆଲୋକ ଦାସ ଓ ଜଣେ ଆଇଟି ଏକ୍ସପର୍ଟଙ୍କୁ ନେଇ ଏହି ସେଲ କାମ କରୁଛି । ମୁଖ୍ୟ କଥା ହେଉଛି ଠକାମୀର ୨୪ ଘଣ୍ଟା ଭିତରେ ଏହି ସେଲକୁ ସୂଚନା ଦେଲେ ଟଙ୍କା ଫେରସ୍ତ ପାଇବାର ସମ୍ଭାବନା ରହିଛି । କାରଣ ଅଧିକାଂଶ ସାଇବର ଠକେଇ ବିଦେଶରୁ ଅପରେଟ କରାଯାଉଥିଲା ବେଳେ, ଭାରତୀୟ ଟଙ୍କା ଦୁଇଟି ଆକାଉଣ୍ଟ ହୋଇ ବିଦେଶୀ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥାଏ । ତେଣୁ ଠକାମୀ ନେଇ ତୁରନ୍ତ ପୋଲିସକୁ ଜଣାଇଲେ ଭାରତୀୟ ମୁଦ୍ରା ବିଦେଶ ମୁଦ୍ରାକୁ ଟ୍ରାନ୍ସଫର ହେବା ପୂର୍ବରୁ ତାହାକୁ ରୋକାଯାଇପାରିବ । ଏହିପରି ଭାବେ କଟକ ପୋଲିସର ସାଇବର ହେଲ୍ପ ଡେସ୍କ ୧୪ ଜଣଙ୍କର ପ୍ରାୟ ୫ ଲକ୍ଷ ୫୨ ହଜାର ୮୨୪ ଟଙ୍କା ଫେରସ୍ତ ଆଣିବାରେ ସଫଳ ହୋଇଛି । ତାହା ମଧ୍ୟରେ ବିଡାନାସୀ ଥାନା ଅନ୍ତର୍ଗତ ଶ୍ରୀବିହାର କଲୋନୀର ଦେବୀପ୍ରସାଦ ଶର୍ମା ନିଜର ୨ ଲକ୍ଷ ୨୪ ହଜାର ଟଙ୍କା ଫେରିପାଇଛନ୍ତି । ଗତ ଫେବ୍ରୁଆରୀରେ ଶ୍ରୀ ଶର୍ମାଙ୍କର କ୍ରେଡିଟ କାର୍ଡରୁ ୨ ଲକ୍ଷ ୨୪ ହଜାର ୬୩୭ ଟଙ୍କା ହଡପ ହୋଇଥିଲା । କେହି ଜଣେ ବିଦେଶୀ ଠକ ତାଙ୍କ କାର୍ଡକୁ ହ୍ୟାକ କରି ଏଭଳି କରିଥିଲା । ଏନେଇ ଶ୍ରୀ ଶର୍ମାଙ୍କ ଏତଲା ପରେ ଏହାର ତଦନ୍ତ ସାଇବର ହେଲ୍ପ ଡେସ୍କ ନେଇଥିଲା । ତଦନ୍ତରୁ ଜଣାପଡିଲା କି, ଶ୍ରୀ ଶର୍ମାଙ୍କ ଟଙ୍କା ଦେଶ ବାହାରକୁ ହଡପ ହୋଇଯାଇଛି । ତେଣୁ ସାଇବର ହେଲ୍ପ-ଡେସ୍କ ଏନେଇ ରିଜର୍ଭ ବ୍ୟାଙ୍କକୁ ଜଣାଇବା ପରେ ରିଜର୍ଭ ବ୍ୟାଙ୍କ ବିଦେଶ ମୁଦ୍ରାରୁ ପୁର୍ନବାର ଭାରତୀୟ ମୁଦ୍ରାକୁ ଫେରସ୍ତ ଆଣିବାରେ ସଫଳ ହୋଇଥିଲା । ସେହିପରି ମାର୍ଚ୍ଚ ୨୮ରେ ଫିକ୍ସ ଡିପୋଜିଟ ଆଳରେ ସଦର ଥାନା ଅଞ୍ଚଳର ପ୍ରଦୀପ ନାୟକଙ୍କ ଆକାଉଣ୍ଟରୁ ୧ ଲକ୍ଷ ୧୦ ହଜାର ଟଙ୍କା ହଡପ ହୋଇଯାଇଥିଲା । ଏନେଇ ସେ ତୁରନ୍ତ ପୋଲିସକୁ ଜଣାଇବାକୁ ହେଲ୍ଫ ଡେସ୍କ ତାଙ୍କର ୧ ଲକ୍ଷ ୧୦ ହଜାର ଟଙ୍କା ଫେରସ୍ତ ଆଣିବାରେ ସଫଳ ହୋଇଥିଲା । ସେହିପରି ମାର୍ଚ୍ଚ ୩୧ରେ ଫ୍ଲିପକାର୍ଡରେ କିଣାବିକା ବେଳେ ସଦର ଅଞ୍ଚଳର ଡକ୍ଟର ଅନିରୁଦ୍ଧ ମିଶ୍ରଙ୍କ ଆକାଉଣ୍ଟରୁ ୧ ଲକ୍ଷ ୪୯ ହଜାର ଟଙ୍କା କଟିଯାଇଥିଲା । ଏହି ଘଟଣାରେ ପୁଲିସ ୫୦ ହଜାର ଟଙ୍କା ଫେରସ୍ତ ଆଣିବାରେ ସଫଳ ହୋଇଛି । ଗତ ୧୫ ତାରିଖରେ ମର୍କତନଗର ସେକ୍ଟର-୭ର ସରୋଜ ମିଶ୍ରଙ୍କ କ୍ରେଡିଟ କାର୍ଡରୁ ୭୦ ହଜାର ଟଙ୍କା କଟିଯାଇଥିଲା ବେଳେ, ସେ ୪୦ ହଜାର ଟଙ୍କ ଫେରି ପାଇପାରିଛନ୍ତି । ଗତ ୧୭ ତାରିଖରେ ମଧୁପାଟଣା ଥାନା ନୂଆପଡାର ଅଶୋକ କୁମାର ମହାନ୍ତିଙ୍କ ୫୦ ହଜାର ୫୪୫ ଟଙ୍କା ଓ ୧୯ ତାରିଖରେ ଭୁବନେଶ୍ୱର ଓଲ୍ଡଟାଉନର ରଶ୍ମୀରଞ୍ଜନ ନାୟକଙ୍କ ୫୫ ହଜାର ୯୯୮ ଟଙ୍କା ହଡପ ହୋଇଥିଲା । ଏହି ଦୁଇ ଘଟଣାରେ ହେଲ୍ପ ଡେସ୍କ ତଦନ୍ତ କରି ଅଶୋକଙ୍କ ୧୯ ହଜାର ୫୯୦ ଟଙ୍କା ଏବଂ ରଶ୍ମୀରଞ୍ଜନଙ୍କ ୨୭ ହଜାର ୯୯୯ ଟଙ୍କା ଫେରସ୍ତ ଆଣିବାରେ ସଫଳ ହୋଇଛି । ଏହିପରି ଭାବେ ଗତ ଅଢେଇ ମାସରେ ମୋଟ ୫ ଲକ୍ଷ ୫୨ ହଜାର ୮୨୪ ଟଙ୍କା ଫେରସ୍ତ ଆସିଲାଣି । ତେଣୁ କୌଣସି ସାଇବର ଠକେଇ ହେବା ମାତ୍ରେ ପ୍ରଥମେ ପୁଲିସକୁ ଜଣାଇବାକୁ ଡିସିପି ପ୍ରତୀକ ସିଂହ ଅନୁରୋଧ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ