କଟକ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପୌର ନିର୍ବାଚନ

କଟକ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପୌର ନିର୍ବାଚନ

କଟକ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପୌର ନିର୍ବାଚନ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): କଟକ ସହରରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ପୌର ନିର୍ବାଚନ । ଏଥର କଟକ ମହାନଗର ନିଗମ ନିର୍ବାଚନ ପାଇଁ ୫୫ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । କଟକ ମହାନଗର ନିଗମର ୫୯ଟି ୱାର୍ଡ଼ରେ ୪୪୯ଟି ବୁଥରେ ମତଦାତାମାନେ ମତଦାନ କରିଥିଲେ । ଏଥର ମୋଟ ୨୭୨ପ୍ରାର୍ଥୀ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ । ଶୃଙ୍ଖଳା ଦୃଷ୍ଟିରୁ ସମସ୍ତ ବୁଥକୁ ନେଇ ୮ଟି ଜୋନରେ ବିଭକ୍ତ କରାଯିବା ସହ ସେହି ଅନୁଯାୟୀ ପୁଲିସ ବ୍ୟବସ୍ଥା କରାଯାଇଥିଲା । ପ୍ରଶାସନ ପକ୍ଷରୁ ୭୮ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଗ୍ରହଣ କରାଯାଇ ଏହାଉପରେ ପ୍ରଶାସନର ତୀକ୍ଷ୍ନ ନଜର ରହିଥିଲା । ତେବେ ସହରରେ ୫ଟି ମଡେଲ ବୁଥ ହୋଇଥିବାବେଳେ ୬ଟି ପିଙ୍କ ବୁଥ ହୋଇଥିଲା । ଏଥିସହିତ ଭୋଟରମାନଙ୍କ ନିମନ୍ତେ ସିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ହେଲ୍ପ ଲାଇନ ଫୋନର ବ୍ୟବସ୍ଥା ମଧ୍ୟ ହୋଇଥିଲା । ତେବେ ପ୍ରବଳ ଖରାରେ ମଧ୍ୟ ଲୋକେ ଭୋଟ ଦେବା ପାଇଁ ବୁଥ ସମ୍ମୁଖରେ ଲମ୍ବା ଲାଇନରେ ଠିଆ ହୋଇ ଶୃଙ୍ଖଳିତ ଭାବେ ଭୋଟ ଦେଇଥିବା ଦେଖିବାକୁ ମିଳିଥିଲା । ଚଳିତ ନିର୍ବାଚନରେ ୫୯ଟି ୱାର୍ଡ଼ରୁ ମୋଟ ୨୬୮ଜଣ କର୍ପୋରେଟର ପ୍ରାର୍ଥୀଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ୧୬ଜଣ ମେୟର ପ୍ରାର୍ଥୀଙ୍କ ମଧ୍ୟରେ ତିବ୍ର ପ୍ରତିଦ୍ୱନ୍ଦିତା ହୋଇଥିଲା । ତେବେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ ମେସିନରେ ସିଲ ହୋଇଥିବାବେଳେ ଆସନ୍ତା ୨୬ତାରିଖ ଦିନ ଫଳାଫଳ ଘୋଷଣା କରାଯିବ ।
ସୂଚନା ଅନୁଯାୟୀ, ସକାଳ ସାଢେ ୭ଟା ସୁଦ୍ଧା ମକପୋଲ ଶେଷ ହେବା ପରେ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା । ଭୁବନାନନ୍ଦ ଓଡିଶା ସ୍କୁଲ ଅଫ ଇଞ୍ଜିନିୟରିଂ(ବୋଷ) ଷ୍ଟ୍ରଙ୍ଗ ରୁମରେ ପ୍ରିଜାଇଡିଂ ଅଫିସରମାନେ ସକାଳ ୫ଟାରୁ ଇଭିଏମ ନେବା ସହ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ ସାମଗ୍ରୀ ନେଇଥିଲେ । ନିର୍ବାଚନ ଲାଗି ୫୨୧ଟି ପୁଲିଂ ପାର୍ଟି ବିଭିନ୍ନ ବୁଥରେ ଇଲୋକ୍ଟ୍ରୋନିକ ଭୋଟିଂ ମେସିନ(ଇଭିଏମ) ଦ୍ୱାରା ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ପ୍ରତି ବୁଥରେ ୬ ଜଣ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସିଏମସିରେ ପୋଲିଂ ପ୍ରକ୍ରିୟାରେ ମୋଟ ୨୬୯୪ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ । ସିଏମସିର ମୋଟ ୪ ଲକ୍ଷ ୫୦ ହଜାର ୭୫୯ଜଣ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୩୧ ହଜାର ୩୦ଜଣ ପୁରୁଷ ଭୋଟର, ୨ ଲକ୍ଷ ୧୯ ହଜାର ୫୯୮ ମହିଳା ଏବଂ ୧୩୧ଜଣ କିନ୍ନର ଭୋଟର ରହିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ମୋଟ ୨ ଲକ୍ଷ ୪୬ ହଜର ୭୬୭ଜଣ ଭୋଟ ଦେଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୧ ଲକ୍ଷ ୩୦ ହଜାର ୪୯୩ଜଣ ପୁରୁଷ ଏବଂ ୧ଲକ୍ଷ ୧୫ ହଜାର ୬୯୨ଜଣ ମହିଳା ରହିଥିବାବେଳେ କୌଣସି କିନ୍ନର (ତୃତୀୟଲିଙ୍ଗ) ସେମାନଙ୍କ ମତ ସାବ୍ୟବସ୍ତ କରିନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ସିଏମସି ନିର୍ବାଚନରେ ଜଗତପୁର ଅଞ୍ଚଳର ୨ ଗୋଟି ୪୮ ଓ ୪୯ନମ୍ବର ୱାର୍ଡରେ ଆଜି ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ୨ଟି ୱାର୍ଡ଼ରେ ୮ଗୋଟି ମତଦାନ କେନ୍ଦ୍ରରେ ଭୋଟ ମତ ସାବ୍ୟସ୍ତ କରିଥିଲେ । ଏଥି ମଧ୍ୟରେ ୪୮ନମ୍ବର ୱାର୍ଡର ମୋଟ ଭୋଟରଙ୍କ ସଂଖ୍ୟା ୮୬୯୧ ହୋଇଥିବା ବେଳେ ସେଥିମଧ୍ୟରୁ ୫୫୫୪ ଜଣ ଭୋଟ ଦେଇଛନ୍ତି । ସେହିପରି ୪୯ନମ୍ବର ୱାର୍ଡର ମୋଟ ଭୋଟରଙ୍କ ସଂଖ୍ୟା ୮୫୦୪ ହୋଇଥିବା ବେଳେ ସେଥିମଧ୍ୟରୁ ୪୫୦୯ ଜଣ ମତଦାତା ଭୋଟ ଦାନ କରିଛନ୍ତି । ତେଣୁ ୪୮ନମ୍ବର ୱାର୍ଡରେ ମୋଟ ଶତକଡା ୬୪ ଭାଗ ଓ ୪୯ନମ୍ବର ୱାର୍ଡରେ ମୋଟ ୫୩ ଭାଗ ଭୋଟ ଗ୍ରହଣ ହୋଇଥିବା ଜଣାପଡ଼ିଛି ।
ଚୌଦ୍ୱାର ପୌରନିର୍ବାଚନ :୬୯ ପ୍ରତିଶତ ମତଦାନ
କଟକ ଜିଲ୍ଲାର କଟକ ମହାନଗର ନିଗମ ସହିତ ୨ଟି ବିଜ୍ଞପିତ ଅଞ୍ଚଳ ଓ ଚୌଦ୍ୱାର ପୌରପାଳିକାରେ ପରିଷଦ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ୧୯ଟି ୱାର୍ଡ଼ ବିଶିଷ୍ଟ ଚୌଦ୍ୱାର ପୌରପାଳିକା ମୋଟ ଭୋଟର ସଂଖ୍ୟା ୩୫ ହଜାର ୯୯୦ ହୋଇଥିବାବେଳେ ୧୭ ହଜାର ୭୨୮ଜଣ ମହିଳା ଓ ପୁରୁଷ ୧୮ହଜାର ୨୬୨ପୁରୁଷ ଭୋଟର ଅଛନ୍ତି । ଚୌଦ୍ୱାର ପୌରାଞ୍ଚଳରେ ମୋଟ ୩୮ଟି ବୁଥରେ ୨୪ହଜାର ୮୩୩ଜଣ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ସେଥି ମଧ୍ୟରୁ ୧୧ହଜାର ୮୩୯ ଜଣ ମହିଳା ଓ ୧୨ ହଜାର ୯୯୪ ଜଣ ପୁରୁଷ ମତଦାନ କରିଛନ୍ତି । ତେବେ ଚୌଦ୍ୱାରରେ ମୋଟ ୬୯ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ଏଠାରେ ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ୬ଜଣ ମହିଳା ଓ କାଉନସିଲର ପଦପାଇଁ ୭୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ଆଠଗଡ଼ ଓ ବାଙ୍କୀ ବିଜ୍ଞପିତ ଅଞ୍ଚଳରେ ଟପିଲା ୭୭ ପ୍ରତିଶତ ମତଦାନ
କଟକ ଜିଲ୍ଲା ଆଠଗଡ଼ ଓ ବାଙ୍କୀ ବିଜ୍ଞପିତ ଅଞ୍ଚଳରେ ମଧ୍ୟ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ତେବେ ଏଠାରେ ୭୭ ପ୍ରତିଶତରୁ ଉର୍ଦ୍ଧ୍ୱ ମତଦାନ ହୋଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଆଠଗଡ଼ ବିଜ୍ଞପିତ ଅଞ୍ଚଳରେ ୧୮ଟି ୱାର୍ଡ଼ର ୧୮ଟି ବୁଥରେ ୧୩ହଜାର ୯୩୭ଜଣ ଭୋଟର ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୩ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ଏହି ଅଞ୍ଚଳରେ ୭୦୧୯ଜଣ ପୁରୁଷ ଏବଂ ୬୯୦୫ଜଣ ମହିଳା ଭୋଟର ରହିଥିଲେ ତେବେ ସେମାନଙ୍କ ମଧ୍ୟର ମୋଟ ୧୦ହଜାର ୭୯୨ଜଣ ଜଣ ମତଦାନ କରିଥିବାବେଳେ ମୋଟ ଭୋଟରଙ୍କ ୭୭.୪୩ ପ୍ରତିଶତ ବୋଲି ଜଣାପଡ଼ିଛି । ସେହିଭଳି ବାଙ୍କୀ ବିଜ୍ଞପିତ ଅଞ୍ଚଳରେ ମଧ୍ୟ ୧୭ଟି ୱାର୍ଡ଼ର ୧୮ଟି ମତଦାନ କେନ୍ଦ୍ରରେ ୧୪ହଜାର ୭୫ଜଣ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ୭ହଜାର ୨୫୬ଜଣ ପୁରୁଷ, ୬୮୧୮ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୦ହଜାର ୯୮୬ ଜଣ ମତଦାନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୫୭୧୩ଜଣ ପୁରୁଷ ଓ ୫୨୭୩ଜଣ ମହିଳା ଭୋଟର ମତଦାନ କରିଥିଲେ । ତେବେ ମୋଟର ଭୋଟରର ୭୮.୦୫ପ୍ରତିଶତ ମତଦାନ ହୋଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ