କଟକ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ସମୂହ ଉଦଘାଟିତ
#କଟକ/ଚୌଦ୍ୱାର(ଏନ୍.ଏମ୍.): କଟକ ସିଡିଏ ସେକ୍ଟର -୭ ଠାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ଏବଂ ହକି ଷ୍ଟାଡିୟମ ଉଦଘାଟିତ ହୋଇଯାଇଛି । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରୀଡା ଭିତିଭୂମି ସମୂହର ଉଦଘାଟନ କରିବା ଅବସରରେ କଟକର ଚୌଦ୍ୱାର, ନୂଆବଜାର, ଗୋପାଳପୁର ଏବଂ ସିଡିଏଠାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ଉଦଘାଟନ କରିଥିବାବେଳେ ସିଡିଏ ଠାରେ ହକି ଷ୍ଟାଡିୟମକୁ ଲୋକାର୍ପିତ କରିଛନ୍ତି । ଏଥିସହ କଟକ ଜିଲ୍ଲାରେ ଏକ ଫୁଟବଲ ଷ୍ଟାଡିୟମ ନିର୍ମାଣ ନିମନ୍ତେ ମଧ୍ୟ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଅବସରରେ ସିଡିଏ ସେକ୍ଟର -୭ସ୍ଥିତ ନବନିର୍ମିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସିଏମସି ମେୟର ସୁବାସ ଚନ୍ଦ୍ର ସିଂହ, ଓଡ଼ିଶା ରାଜ୍ୟ କ୍ରୀଡା ସଂଘ ତଥା ଓଡ଼ିଶା ଫୁଟବଲ ସଂଘର ସମ୍ପାଦକ ଆଶୀର୍ବାଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମିରଞ୍ଜନ ସାମନ୍ତରାୟ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ ଇଂ. ପ୍ରଭାସ କୁମାର ମାଝୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, ଯନ୍ତ୍ରୀ, ସ୍ଥାନୀୟ କର୍ପୋରେଟର, ବହୁ କ୍ରୀଡାବିତ୍ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।
ଚୌଦ୍ୱାରର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମ ଉଦ୍ଘାଟିତ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାରା ରାଜ୍ୟରେ ୬୬୦ କୋଟି ଟଙ୍କା ବ୍ୟୟରେ ୪୮ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ଉଦ୍ଘାଟନ କରିଛନ୍ତି । ସେଥି ମଧ୍ୟରୁ ଚୌଦ୍ୱାର ଓଟିଏମ୍ କଲୋନୀ ସ୍ଥିତ ଓଟିଏମ୍ ହାଇ ସ୍କୁଲ ନିକଟରେ ନବ ନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣ ପ୍ରଭା ସାମଲ, ଭାଇସ୍ ଚେୟାରମ୍ୟାନ ଶୁଭେନ୍ଦୁ ସାମଲଙ୍କ ସହ ବିଭିନ୍ନ ୱାର୍ଡର କାଉନସିଲର ଉପସ୍ଥିତ ଥିଲେ । ତେବେ ପାଖାପାଖି ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମରେ ବ୍ୟାଡମିଟନ, ଟେବୁଲ୍ ଟେନିସ, ୱେଟ ଲିଫ୍ଟିଙ୍ଗ, ଜିମ୍ନାଷ୍ଟିକ, ଯୋଗକେନ୍ଦ୍ର ପ୍ରମୁଖ ସହ କ୍ରୀଡାପୋଯୋଗୀ ବ୍ୟବସ୍ଥା ହୋଇଛି । ତେବେ ଏହି ଷ୍ଟାଡିୟମଟି ହେବା ପରେ ଚୌଦ୍ୱାର ଓ ଏହାର ଆଖପାଖ ଅଞ୍ଚବାସୀଙ୍କ ତଥା ଯୁବ କ୍ରୀଡାବିତମାନଙ୍କ ମଧ୍ୟରେ ଆନନ୍ଦ ଭରି ଦେବା ସହ ସମସ୍ତେ ପ୍ରଶଂସା କରୁଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଚାରବାଟିଆ ଆର ଆଣ୍ଡ ବି ଏସଡିଓ ନିର୍ମଳ ଚନ୍ଦ୍ର ପଣ୍ଡା, ବିଜେଡି ଯୁବ ସଭାପତି ଅର୍ଜୁନ ପଣ୍ଡା, ବିଷ୍ଣୁଚରଣ ପରିଡ଼ା, ପ୍ରେମଚାନ୍ଦ ନାୟକ, ଓଟିଏମ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଙ୍କ ସମେତ ବହୁ କର୍ମୀ ଓ ଅଞ୍ଚଳବାସୀ ଓ କ୍ରୀଡାବିତ୍ ଉପସ୍ଥିତ ଥିଲେ ।