କଟକରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ
୫ ମାସରେ ଜବତ ହେଲାଣିି ୩ କିଲୋଗ୍ରାମ୍ ବ୍ରାଉନ ସୁଗାର ଓ ୨୪ ଗିରଫ
କଟକ(ଏନ୍.ଏମ୍.): କଟକ ଜିଲ୍ଲାରରେ ଏବେ ବାଉନସୁଗାର କାରବାର ବେଶ ବୃଦ୍ଧି ପାଇଛି । ଏପରିକି ସନ୍ଧ୍ୟା ହେଲେ ସହରର ଅନ୍ଧାରୁଆ ଗଳି ଓ ନଦୀ କୂଳରେ ଏହି କାରବାର ଅଧିକ ହେଉଥିବା ଜଣାପଡ଼ିଛି । ବ୍ରାଉନସୁଗାର କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଗତ କାଲି ମଧୁପାଟଣା ଥାନା ଅନ୍ତର୍ଗତ ଆମ୍ବ ବଗିଚା ନିକଟରୁ ୩ ଜଣ ବ୍ରାଉନସୁଗାର ଅନ୍ତଃ ଜିଲ୍ଲା ଏଜେଣ୍ଟଙ୍କୁ ସ୍ପେଶାଲ ସ୍କ୍ୱାର୍ଡ଼ ଓ ମଧୁପାଟଣା ପୁଲିସ କାବୁ କରିଛି । ମଧୁପାଟଣା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ଼ ମିଳିତ ଭାବେ ଚଢାଉ କରି ଏକ ଆନ୍ତଃ ଜିଲ୍ଲା ବ୍ରାଉନସୁଗାର ବ୍ୟବସାୟୀ ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୧କୋଟି ୧୦ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି । ଗିରଫ ଅଭିଯୁକ୍ତ ଜଗତସିଂହପୁର ଓହଳର ସେକ୍ ଗୁଲସାରୁଦ୍ଦିନ ଓରଫ ଗୁଲସାର, ଲାଲା ସାହିର ସୌଭାଗ୍ୟ ରଞ୍ଜନ ସିଂହ ଓରଫ ପପୁ ଓ ମାର୍କଣ୍ଡପୁରର ଲିପୁ ବେହେରା ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ମୁତାବକ ୩ ଜଣ ବ୍ରାଉନ ସୁଗାର ବ୍ୟବସାୟୀ ଏକ ମୋଟର ସାଇକେଲ(ଓଡ଼ି ୨୧ ଏମ ୨୩୭୩)ରେ ଆସି ଆମ୍ବ ବଗିଚା ନିକଟରେ ଠୁଳ ହୋଇ ଖୁଚୁରା ବ୍ୟବସାୟୀଙ୍କୁ ବ୍ରାଉନ ସୁଗାର ଯୋଗାଇବା ପାଇଁ ଆସୁଥିବା ସମ୍ପର୍କରେ ପୁଲିସକୁ ଗତ କାଲି ଗୁପ୍ତ ଖବର ମିଳିଥିଲା । ତଦନୁଯାୟୀ ଆଜି ସେମାନେ ସେଠାରେ ଅପେକ୍ଷା କରିଥିବା ସମୟରେ ମଧୁପାଟଣା ପୁଲିସ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ପୁଲିସ ଗୁଲସାର, ପପୁ ଓ ଲିପୁ ନିକଟରୁ ଏକ ବାଇକ୍, ୪ ମୋବାଇଲ ଫୋନ୍ ଓ ନଗଦ ୧୭ ହଜାର ୩୦୦ ଟଙ୍କା ସହ ୧କିଲୋ ଗ୍ରାମ୍ ୧୨୦ ଗ୍ରାମ ବ୍ରାଉନସଗୁର ଜବତ କରିଛି । ଜବତ ବ୍ରାଉନ ସୁଗାରର ଅନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ । ଏମାନେ ଦୀର୍ଘ ଧରି ବାଲେଶ୍ୱରର ଜଳେଶ୍ୱର ଅଞ୍ଚଳରୁ ବ୍ରାଉନ ସୁଗାର ଆଣି କଟକ, ଖୋର୍ଦ୍ଧା, ଭୁବନେଶ୍ୱର, ଜଗତସିଂହପୁର, ପୁରୀ ଆଦି ସ୍ଥାନରେ ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଉଥିଲା । ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏହାର ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଛି । ମାଷ୍ଟର ମାଇଣ୍ଡକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବାବେଳେ ସେମାନଙ୍କ ଅପରାଧିକ କାର୍ଯ୍ୟ କଳାପର ଛାନ୍ ଭିନ୍ ଜାରି ରହିଛି । ତେବେ ଗତ କିଛି ବର୍ଷ ହେବ ରାଜ୍ୟରେ ବ୍ରାଉନସୁଗାର କାରବାରର ର୍ୟାକେଟ୍ ବୃଦ୍ଧି ପାଇଛି । ଚଳିତ ବର୍ଷ ମାତ୍ର ୫ ମାସ ମଧ୍ୟରେ ୩ କିଲୋଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରାଯାଇଥିବାବେଳେ ଏହି କାରବାରରେ ସମ୍ପୃକ୍ତ ୨୪ ଜଣଙ୍କୁ ଗିରଫ କରାଯାଇଛି । ୨୦୨୦ମସିହାରେ ଅବକାରୀ ବିଭାଗ ମୋଟ ୩୦କିଲୋରୁ ଅଧିକ ବ୍ରାଉନ୍ସୁଗାର ଜବତ ହୋଇଥିଲା ଓ ଏହି କାରବାରରେ ୫୦ରୁ ଅଧିକ ଏଜେଣ୍ଟକୁ ମଧ୍ୟ ଗିରଫ କରାଯଇଥିଲା । ପୁଲିସ ଓ ଅବକାରୀ ବିଭାଗ କେବଳ ଏହି ନିଶା କାରବାରର ଏଜେଣ୍ଟମାନଙ୍କୁ ଧରୁଥିବା ବେଳେ ମୁଖ୍ୟ କାର୍ପଟଦାରଙ୍କ ପାଖରେ ପହଞ୍ଚôବାରେ ସଫଳ ହୋଇପାରି ନାହିଁ । ଏହାକୁ ରୋକିବା ପୁଲିସ ଓ ଅବକାରୀ ବିଭାଗ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବାଙ୍ଗଳାଦେଶ, ଆଫଗାନିସ୍ତାନ ଭଳି ଦେଶରୁ ବ୍ରାଉନସୁଗାର ଭାରତକୁ ଆସୁଥିବା ବେଳେ କୋଲକାତା, ବାଲେଶ୍ୱରର ଜଳେଶ୍ୱର ଏହାର ପେଣ୍ଠସ୍ଥଳି ପାଲଟିଥିବା କୁହାଯାଉଛି ।