କଟକରୁ ଜବତ ଔଷଧ ନକଲି ବୋଲି ଆସିଲା ଲାବୋରେଟୋରି ରିପୋର୍ଟ
ଔଷଧ ନକଲି ନେଇ ସୂଚନା ଦେଲେ କଟକ ଡିସିପି ପିନାକ ମିଶ୍ର
୨ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ଆଉ ୧୨ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି
ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତକୁ ଲାଗିଛି, ତଦନ୍ତ ଚାଲିଛି- ଡିସିପି

କଟକ(ଏନ୍.ଏମ୍.): କଟକରୁ ଜବତ ମେଡିସିନ୍ ନକଲି ଥିବା ସ୍ପଷ୍ଟ ହେଲା । ଲାବୋରେଟୋରି ରିପୋର୍ଟ ଆସିବା ପରେ ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ନକଲି ବୋଲି ଆଜି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଲାବୋରେଟୋରି ରିପୋର୍ଟରେ ଏହି ‘ମେଡିସିନ୍ ନଟ୍ ଫିଟ୍ ଫର୍ ୟୁଜ୍’ ବୋଲି ଉଲ୍ଲେଖ କରାଯାଇଛି । ଏହି ନକଲି ଔଷଧ କାରବାରର ମୁଖ୍ୟ ଅଭିଯୁକ୍ତ ୨ ଜଣଙ୍କ ନାମରେ ଥିବା ଆଉ ୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି । ଏଥିରୁ ୧୨ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ୨ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କୁ ଅଣାଯିବା ପରେ ପଚରାଉଚରା କରାଯାଇଥିଲା । ଯେଉଁଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି । ଆଗରୁ ଏହି ଦୁଇ ଅଭିଯୁକ୍ତଙ୍କ ଏଜେନ୍ସି ନାମରେ ଥିବା ୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଥିବା ଡିସିପି କହିଛନ୍ତି । ଏଥି ସହିତ ଏହି ଏଜେନ୍ସି ଓ ଅଭିଯୁକ୍ତଙ୍କ ସହ ବ୍ୟାଙ୍କ ନେଣଦେଣ କରୁଥିବା ଅନ୍ୟ ଦୁଇଟି ଆକାଉଣ୍ଟ ଜବତ କରାଯାଇଛି । ଅନ୍ୟପଟେ ଅଭିଯୁକ୍ତଙ୍କୁ ଅନ୍ୟ କେଉଁମାନେ ନକଲି ଔଷଧ ଦେଉଥିଲେ, କେଉଁ ଦୋକାନୀମାନେ ନକଲି ଔଷଧ ବୋଲି ଜାଣି ମଧ୍ୟ ନେଇ କାରବାରରେ ସାମିଲ ଥିଲେ, କେଉଁମାନେ ନକଲି ଔଷଧ ବୋଲି ନଜାଣି କାରବାର କରୁଥିଲେ ତାହାର ଏକ ତାଲିକା ପ୍ରସ୍ତୁତ ହୋଇଛି । ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରିବାକୁ ପୁଲିସ ପ୍ରସ୍ତୁତି ହେଉଛି ବୋଲି ଡିସିପି କହିଛନ୍ତି । ସୂଚନା ଥାଉକି, ଗତ ୧୦ତାରିଖରେ ଏହି ଘଟଣା ସମ୍ପର୍କରେ ପୁରୀଘାଟ ଥାନାରେ କଟକ ଡ୍ରଗ୍ ଇନ୍ସପେକ୍ଟର ଏତଲା କରିଥିଲେ । ଯାହା ପରେ ପୁଲିସ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ଦୁଇ ଅଭିଯୁକ୍ତ ଭିଆର ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସ୍ ନାମରେ ନକଲି ଔଷଧ କାରବାର କରୁଥିଲେ । ସେମାନେ ବେଙ୍ଗାଲୁରୁ ଓ ଗୟାରୁ ନକଲି ମେଡ଼ିସିନ ଆଣି ଓଡ଼ିଶାରେ କାରବାର କରୁଥିବା ଜଣାପଡ଼ିବା ପରେ ପୁଲିସର ତତ୍ପରତା ପ୍ରକାଶ ପାଇଥିଲା ।