ଓଡିଶା ସଚିବାଳୟ ସେବା ବର୍ଗର କାର୍ଯ୍ୟବନ୍ଦ ଆନ୍ଦୋଳନ
#ଭୁବନେଶ୍ୱର(ଏନ୍.ଏମ୍.): ଓଡିଶା ସଚିବାଳୟ ସେବା ସଂଘ ଆହ୍ୱାନ କରିଥିବା ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କ୍ରମାଗତ ତୃତୀୟ ଦିନରେ ପହଞ୍ଚିଥିବା ସମୟରେ, ସଚିବାଳୟର ଦୈନନ୍ଦିନ କାର୍ଯ୍ୟବାଧାପ୍ରାପ୍ତ ହେବାଦ୍ୱାରା ରାଜ୍ୟର ସର୍ବୋଚ୍ଚ ଅନୁଷ୍ଠାନ ସମ୍ପୂର୍ଣ୍ଣ ପକ୍ଷାଘାତ ହୋଇପଡିଛି । ବହୁ ସଂଖ୍ୟାରେ ରାଜ୍ୟ ସଚିବାଳୟ ସେବା ଅଧିକାରୀମାନେ ସରକାରଙ୍କନିକଟରେ ବିଚାରାଧିନ ଥିବା ଆଇନଗତ ନ୍ୟାଜ୍ୟ ଦାବିର ପୂରଣ ନିମନ୍ତେ ଶାନ୍ତିପୂର୍ଣ୍ଣ ଭାବରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପଡିଆରେ ଏକତ୍ରିତ ହୋଇଥିଲେ । ଦୀର୍ଘଦିନ ଧରି ସରକାରଙ୍କ ନିକଟରେ ସଂଘର ନ୍ୟାୟୋଚିତ ଦାବି ଉପସ୍ଥାପନ କରିବା ସତ୍ତ୍ୱେ ସରକାର ଉକ୍ତ ଦାବିଗୁଡିକ ପ୍ରତି ବୈମାତୃକୀୟ ଭାବନା ପୋଷଣ କରିବା ବିଷୟକୁ ଦୋହରାଇଛନ୍ତି । ଯଦିଓ ଅନେକ ଥରବିଭିନ୍ନ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଠାରୁ କେବଳ ଦୃଢ ଆଶ୍ୱାସନା ପ୍ରଦାନ କରାଯାଇଛି କିନ୍ତୁସେହି ପ୍ରତିଶୃତି ଗୁଡିକ ପୂରଣ କରିବା ନିମନ୍ତେ କୌଣସି ଆନ୍ତରିକତା ଦେଖାଇନଥିବା ଯୋଗୁଁ ସଂଘ ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି । ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ସରକାରଙ୍କ ପ୍ରତି ଅସନ୍ତୋଷ ଏବଂ ଦୁଃଖ ପ୍ରକାଶ କରିଛନ୍ତି ଯେ, ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଓ ସୁସଂଚାଳନ ପାଇଁ ନୀତି, ନିୟମ, ଯୋଜନା ଏବଂ ପ୍ରଶାସନିକ ନିର୍ଦ୍ଦେଶନାମା ପରିଚାଳନାରେ ପ୍ରମୁଖ କାର୍ଯ୍ୟକରୁଥିବା ସଚିବାଳୟ ଅଧିକାରୀଙ୍କ ଅବଦାନକୁ ସରକାର ହେୟ ଜ୍ଞାନ କରୁଛନ୍ତି । ସଂଘର ସଭାପତି, ଅଜୟ ସ୍ୱାଇଁ କହିଛନ୍ତି ଯେ ସମସ୍ତ ସରକାରୀ କାମର ସୁପରିଚାଳନା ନିମନ୍ତେ ସଂଘ ସଦା ସର୍ବଦା ସରକାରଙ୍କୁ ସମସ୍ତ ସହାୟତା ପ୍ରଦାନ କରିଛି; କିନ୍ତୁ ସଂଘର ନ୍ୟାଜ୍ୟ ଦାବିଗୁଡିକର ପୂରଣ ନିମନ୍ତେ ରଖିଥିବା ବିଶ୍ୱାସକୁ ସରକାର ବିଶ୍ୱାସଘାତକରିଛନ୍ତି । ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଏହା ଅଧିକ କଷ୍ଟଦାୟକ ଯେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ ହୋଇ ମଧ୍ୟ ଏଥିରେ ହସ୍ତକ୍ଷେପ କିମ୍ବା ଆଲୋଚନା କରିବାକୁ ଆଗ୍ରହ ଦେଖାଇ ନାହାଁନ୍ତି । ସଚିବାଳୟ ଅଧିକାରୀଙ୍କ ଦୀର୍ଘ ବିଚାରାଧୀନ ବେତନ ଅସନ୍ତୁଳନକୁ ଦୂର କରିବା, କେନ୍ଦ୍ରୀୟ ସଚିବାଳୟର ବେତନ ହାର ଅନୁଯାୟୀ ବେତନ ସଂରଚନାକୁ ସଂଶୋଧନ କରିବା ଏବଂ କ୍ୟାଡରର ପୁନଃ ନିର୍ମାଣକରିବା ହେଉଛି ସଂଘର ମୁଖ୍ୟ ଦାବି । ଶ୍ରୀ ବରାଳ କହିଛନ୍ତି ଯେ ସଂଘ କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ କିମ୍ବା ୫ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା ନିମନ୍ତେ ପ୍ରସ୍ତୁତ ଅଛି । ସେ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ କୃଷି ଭବନର ମଧ୍ୟସ୍ଥ ସମସ୍ତ ବିଭାଗ ଗୁଡିକ ଖାଲି ଏବଂ ଶୁନଶାନ ଦେଖା ଯାଉଥିଲା । ସଚିବାଳୟ କାର୍ଯ୍ୟରେ ଅସହାୟତା ସ୍ପଷ୍ଟ ବାରି ହୋଇପଡୁଥିଲା । କେତେକ କ୍ଷେତ୍ରରେ, ଅଫିସ୍ କାର୍ଯ୍ୟରେ ସାହାଯ୍ୟ କରିବାକୁ ଅନୁରୋଧ କରୁଥିବାର ମଧ୍ୟ ଦେଖାଯାଇଥିଲା । ଏହି ଅଚଳାବସ୍ଥାର ଅବସାନ ନିମନ୍ତେ ଶ୍ରୀ ବରାଳ ତୁରନ୍ତ ମୁଖ୍ୟମନ୍ତ୍ରୀ କିମ୍ବା ୫ଟି ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।