ଓଡ଼ିଶା ସାଧାରଣ ନିର୍ବାଚନ: ଭାଙ୍ଗିଲା ବିଜେଡି-ବିଜେପି ମେଣ୍ଟ ଆଶା

ଓଡ଼ିଶା ସାଧାରଣ ନିର୍ବାଚନ: ଭାଙ୍ଗିଲା ବିଜେଡି-ବିଜେପି ମେଣ୍ଟ ଆଶା

ଓଡ଼ିଶା ସାଧାରଣ ନିର୍ବାଚନ: ଭାଙ୍ଗିଲା ବିଜେଡି-ବିଜେପି ମେଣ୍ଟ ଆଶା
ଏକାକୀ ଲଢ଼ିବାକୁ ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି


#ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ ସାଧାରଣ ନିର୍ବାଚନ ଏବଂ ବିଜେଡି-ବିଜେପି ମେଣ୍ଟ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦୀର୍ଘ ଦିନ ଧରି ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ପ୍ରତିଥର ଏହାକୁ ଖଣ୍ଡନ କରିଥିଲେ ମନମୋହନ । ତଥାପି ବିଭିନ୍ନ ମହଲରେ ଆଲୋଚନା ବୈଠକ ଚାଲୁଥିବା ବେଳେ ବିଜେଡି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା କରିବାକୁ ବେଶ ଖୋରାକ ଯୋଗାଇଥିଲା । ଗୋଟିଏ ପଟେ ବିଜେଡିର ନୀରବତା ଅନ୍ୟପକ୍ଷେ ବିଜେପି ରାଜ୍ୟ ନେତୃତ୍ୱଙ୍କ ଘନଘନ ଦିଲ୍ଲୀଗସ୍ତ ନିର୍ବାଚନ ସମୀକ୍ଷକମାନଙ୍କୁ ଦ୍ୱନ୍ଦରେ ପକାଇଥିଲା । ତେଣୁ ମେଣ୍ଟ ହେବା ନେଇ ଚର୍ଚ୍ଚା ଚାଲିଥିଲା । ଆଜି ଏ ନେଇ ବିଜେପି ରାଜ୍ୟ ସଭାପତି ଏକାକୀ ଲଢ଼ିବ ବୋଲି ଏକ୍ସରେ ପୋଷ୍ଟ କରିବା ପରେ ଉଭୟ ଦଳ ସମସ୍ତ ଆସନରେ ପ୍ରାର୍ଥୀଦେବେ ବୋଲି ସ୍ପଷ୍ଟ ହୋଇଛି । ବିଜେପି ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବୋଲି ମନମୋହନ ସୂଚନା ଦେଇଛନ୍ତି । ସେହିଭଳି ବିଜେଡି ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରି ସମସ୍ତ ଆସନରେ ପ୍ରାର୍ଥୀମାନେ ନିଜର ଦକ୍ଷତା ପ୍ରତିପାଦନ କରିବା ନେଇ ନେତାମାନଙ୍କ ସହ ଆଲୋଚନା କରିଛି । ତେଣୁ ବିଜେଡି ମଧ୍ୟ ସମସ୍ତ ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଇତି ମଧ୍ୟରେ ବିଜେଡି ଅନେକ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । କିନ୍ତୁ ବିଜେଡି ଏବଂ ବିଜେପି ପକ୍ଷରୁ ଯେ ପର୍ଯ୍ୟନ୍ତ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ ସେ ପର୍ଯ୍ୟନ୍ତ ମେଣ୍ଟ ହେବନି ବୋଲି ସ୍ପଷ୍ଟ ହୋଇ ପାରୁନଥିବା ବିଭିନ୍ନ ରାଜନୈତିକ ସମୀକ୍ଷକ ପ୍ରକାଶ କରିଛନ୍ତି । କାରଣ ପୂର୍ବରୁ ମଧ୍ୟ ମନମୋହନ ସାମଲ ମେଣ୍ଟ ହେବା ନେଇ ଅସ୍ୱୀକାର କରୁଥିଲେ ମଧ୍ୟ ମେଣ୍ଟ ଚର୍ଚ୍ଚା ଥମୁନଥିଲା । ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏକ୍ସରେ ମନମୋହନ ସାମଲଙ୍କ ପୋଷ୍ଟକୁ ରି-ପୋଷ୍ଟ କରି ଏଥର ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ସୂଚନା ଦେଇଛନ୍ତି । ଏ ନେଇ ବିଜେପି ରାଜ୍ୟ ସଭାପତି ‘ଏକ୍ସ’ରେ ଲେଖିଛନ୍ତି, ‘ଗତ ୧୦ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ତ୍ୱ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି । ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ । ସମଗ୍ର ଦେଶରେ ଯେଉଁ ସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି, ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ୱରାନ୍ୱିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଛୁ । କିନ୍ତୁ ଆଜି ଓଡ଼ିଶାରେ ମୋଦି ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡ଼ିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇ ପାରୁନାହାନ୍ତି । ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହମତ ହୋଇ ପାରୁନାହୁଁ । ସାଢ଼େ ୪ କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ।’ ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ