ଓଟିଏମର ୫୨୧ ଏକର ଜମିକୁ ଦଖଲ କଲା ପ୍ରଶାସନ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା : ଜିଲ୍ଲାପାଳ
#କଟକ(ଏନ୍.ଏମ୍.): ଚୌଦ୍ୱାର ଅଞ୍ଚଳର ବହୁ ଚର୍ଚ୍ଚିତ ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରାଇଭେଟ ଲିମିଟେଡ଼(ଓଟିଏମ) ମାମଲା ଏବେ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ତେବେ ଏହାକୁ ନେଇ ହାଇକୋର୍ଟ ୫ତାରିଖ ଅପରାହ୍ନ ୪ଟା ସୁଦ୍ଧା ଓଟିଏମ ଜମିକୁ ରାଜ୍ୟସରକାର ହାତକୁ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଓଟିଏମ ଜମିର ସର୍ଭେ କରିବା ସହ ଗତ ୩ତାରିଖ ଦିନ ରାଜ୍ୟସରକାର ଲିକ୍ୟୁଡେଟରଙ୍କ ଠାରୁ ଜମି ନିଜ ହାତକୁ ନେଇଥିବା ଭୁବନେଶ୍ୱର ମେକଇନ ଓଡ଼ିଶା କନକ୍ଲେଭ-୨୦୨୨ରେ ଶିଳ୍ପ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ଏହାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୬ତାରିଖ ଅର୍ଥାତ ଆସନ୍ତାକାଲି ରହିଛି । କୋର୍ଟରେ ସରକାର ଜମି ନିଜ ହାତକୁ ନେଇଥିବା ବିଷୟ ଅବଗତ କରିବେ ବୋଲି ଜଣାପଡ଼ିଛି । ତେବେ ଏ ନେଇ ଜିଲ୍ଲପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ସୂଚନା ଦେଇ କହିଛନ୍ତି ଯେ, କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାରରେ ଥିବା ଓଟିଏମର ୫୨୧ ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅକ୍ତିଆରକୁ ଆଣିଛି । ଓଟିଏମର ପୁନରୁଦ୍ଧାର ପ୍ରସଙ୍ଗରେ ଜିଲ୍ଲାପ୍ରଶାସନ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିଛି । ସେ ପୁଣି କହିଛନ୍ତି ଯେ, ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଏହି ପ୍ରକିୟାକୁ ଆଗେଇ ନେଇଛନ୍ତି । ଜମି, ଆସବାବପତ୍ର ଓ ଆବାସିକ କ୍ୱାର୍ଟର୍ସଗୁଡିକୁ ଏହି ପ୍ରକିୟାରେ ସାମିଲ କରାଯାଇଛି । ତେବେ ଇଡକୋକୁ ଏହାର ଦେଖାଶୁଣା ଦାୟିତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାହା ରହିବ ଜିଲ୍ଲା ପ୍ରଶାସନ ସେହି ଅନୁଯାୟୀ ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଓଟିଏମ ବନ୍ଦ ହୋଇ ଯିବା ପରେ ରାଜ୍ୟ ତଥା ରାଜ୍ୟ ବାହାରୁ କାମ କରୁଥିବା ହଜାର ହଜାର ଶ୍ରମିକ କର୍ମସଂସ୍ଥାନ ହରାଇଥିଲେ । ଶ୍ରମିକମାନେ ମଧ୍ୟ ନିଜର ବକେୟା ଅର୍ଥ ପାଇବାରୁ ବଞ୍ôଚତ ହୋଇ ଦୁର୍ଦ୍ଦଶାରେ ଜୀବନ ବିତାଇବା ସହ ବହୁ ଶ୍ରମିକ ଆତ୍ମହତ୍ୟା କରିବା, ବିଭିନ୍ନ ରୋଗରେ ପୀଡ଼ିତ ଥାଇ ଉପଯୁକ୍ତ ଚିକିତ୍ସା ନପାଇ ମୃତ୍ୟୁବରଣ କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ତେବେ ଏହି ଓଟିଏମର ମୂଲ୍ୟବାନ ଜମି ଉପରେ ବହୁ ଘରୋଇ ଶିଳ୍ପ ସଂସ୍ଥା ଲୋଲୁପ ଦୃଷ୍ଟି ପକାଇଥିବାବେଳେ ଅଞ୍ଚଳର ଶ୍ରମିକନେତା, ଶ୍ରମିକ ସଂଘ ଏହାକୁ ବିରୋଧ କରିଥିଲେ । ଓଡ଼ିଏମ ବଞ୍ଚାଓ ସଂଗଠନ ପକ୍ଷରୁ ଶ୍ରମିକନେତା ଦୀପକ ବାରିକଙ୍କ ନେତୃତ୍ୱରେ ବର୍ଷ ବର୍ଷ ଧରି ଅହୋରାତ୍ର ଧାରଣାରେ ବସିବା ସହ ଏହି ବୃହତ ଶିଳ୍ପକୁ ରାଜ୍ୟସରକାର ନିଜ ହାତକୁ ନେବା ସହ ଏହାର ପୁନରୁଦ୍ଧାର ପାଇଁ ଦାବି କରିଥିଲେ । ତେବେ ଓଟିଏମ ବନ୍ଦ ହେବା ପରେ ଏହାର ଦାୟିତ୍ୱ ଲିକ୍ୟୁଡେଟରଙ୍କ ହାତରେ ନ୍ୟସ୍ତ ଥିବାବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଏହାକୁ ରାଜ୍ୟସରକାର ନିଜ ହାତକୁ ନେଇଛନ୍ତି । ଯାହା ଓଟିଏମକୁ ରାଜ୍ୟସରକାର ଟେକଓଭର କରନ୍ତୁ ବୋଲି ଆବେଦନକାରୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ତେବେ ଏଠାରେ ରାଜ୍ୟସରକାରଙ୍କ ପକ୍ଷରୁ ଏକାଧିକ ଶିଳ୍ପସଂସ୍ଥାକୁ ଶିଳ୍ପାନୁଷ୍ଠାନ ଖୋଲିବା ପାଇଁ ଜମି ଯୋଗାଇଦେବେ ବୋଲି ଜଣାପଡ଼ିଛି । ଯାହା ଫଳରେ ହଜାର ହଜାର ଜନସାଧାରଣ କର୍ମସଂସ୍ଥାନ ପାଇ ପାରିବେ ବୋଲି ଜଣାପଡ଼ିଛି । ଏହାକୁ ନେଇ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥି ସହିତ ଓଟିଏମର କିଛି ଶ୍ରମିକ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା ଜଣାଇବା ସହ ବିଧାୟକ ସୌଭିକ ବିଶ୍ୱାଳ ଓ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।