ଏସସିବି କୋଭିଡ ୱାର୍ଡରେ ଖଟିଆରୁ ଖସିପଡି ବୃଦ୍ଧ ଗୁରୁତର
କଟକ(ଏନ୍.ଏମ୍.): ଏସସିବି ମେଡିକାଲର କୋଭିଡ ୱାର୍ଡରେ ଚିକିତ୍ସାଧୀନ ଜଣେ ବୃଦ୍ଧ ଖଟିଆରୁ ଖସି ପଡି ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣା ପାଇଁ ମେଡିକାଲ କର୍ମଚାରୀଙ୍କୁ ଦାୟୀ କରି ରୋଗୀ ସମ୍ପର୍କୀୟମାନେ ହୋହାଲ୍ଲା କରିଥିଲେ । ଖବର ପାଇ ମେଡିକାଲ ଫାଣ୍ଡି ପୁଲିସ ପହଞ୍ôଚ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ନାଲିକଣା ଗ୍ରାମର ଶିବପ୍ରସାଦ ପ୍ରଧାନ(୮୧)ଙ୍କୁ ୪ ଦିନ ପୂର୍ବେ ଜ୍ୱର ହୋଇଥିଲା । ସ୍ଥାନୀୟ ଡାକ୍ତରଖାନାରେ ଦେଖାଇ ଶିବପ୍ରସାଦ ଔଷଧ ସେବନ କରିଥିଲେ । ମାତ୍ର ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିନଥିଲା । ପରୀକ୍ଷା କରିବାରୁ ପରେ ସେ କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଗତ ଶୁକ୍ରବାର ଅପରାହ୍ନରେ ଶିବପ୍ରସାଦଙ୍କୁ ଏସସିବି ମେଡିକାଲର କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେ ୱାର୍ଡର ୫୧୪ ନମ୍ବର ବେଡରେ ରହି ଚିକିତ୍ସିତ ହେଉଥିଲେ । ତେବେ ସେ ଠିକଭାବେ ଚଲାବୁଲା କରିପାରୁନଥିବାରୁ ତାଙ୍କ ପାଖରେ ଜଣକୁ ସହାୟକ ଭାବେ ରଖିବା ପାଇଁ ପରିବାର ପକ୍ଷରୁ ନିବେଦନ କରାଯାଇଥିଲା । ହେଲେ ସହାୟକଙ୍କୁ ରଖିବାରେ ନିୟମ ନଥିବା ଏବଂ ତାଙ୍କର ସମସ୍ତ ପ୍ରକାର ଯତ୍ନ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ଆଜି ଶିବପ୍ରସାଦ ହଠାତ ଖଟରୁ ତଳକୁ ଖସିପଡିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏହି ଖବର ପାଇବା ପରେ ପରିବାର ଲୋକ ୱାର୍ଡ ସମ୍ମୁଖରେ ପହଞ୍ôଚ ପାଟିତୁଣ୍ଡ କରିଥିଲେ । କୋଭିଡ ସଂକ୍ରମିତଙ୍କୁ ୱାର୍ଡରେ ନିୟୋଜିତ ଡାକ୍ତର ଓ କର୍ମଚାରୀ ଅଣଦେଖା କରୁଥିବା କହି ପରିବାର ଲୋକ ହୋହଲ୍ଲା କରିଥିଲେ । ଏହି ସୂଚନା ପାଇ ମେଡିକାଲ ଫାଣ୍ଡି ପୁଲିସ ସେଠାରେ ପହଞ୍ôଚ ଉତ୍ତେଜିତ ପରିବାର ଲୋକଙ୍କୁ ବୁଝିସୁଝା କରିଥିଲା । ପରେ ଅଭିଯୋଗ ଆଧାରରେ ପୁଲିସ ୱାର୍ଡର କିଛି କର୍ମଚାରୀଙ୍କୁ ତାଗିଦ କରିବା ପରେ ଉତ୍ତେଜନା ଥମିଥିଲା ।